ବେଙ୍ଗାଲୁରୁ: ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସଫଳ ଅବତରଣ କରିବା ପରେ ମହାକାଶ ଇତିହାସରେ ଭାରତର ନାଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମୁଖ୍ୟ ଏସ୍‌ ସୋମନାଥ ଶନିବାର ଜାତୀୟସ୍ତରର ଘରୋଇ ଟିଭି ଚ୍ୟାନେଲ ଏନଡିଟିଭିକୁ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଯାତ୍ରା ଏବଂ ଚନ୍ଦ୍ର, ମଙ୍ଗଳ ଗ୍ରହ ଏବଂ ମହାକାଶରେ ଭାରତର ଏକ ସ୍ଥାୟୀ ବାସସ୍ଥାନ ସୃଷ୍ଟି ଏବଂ ପ୍ରତିଷ୍ଠା କରିବାର ଗୁରୁତ୍ୱ ବିଷୟରେ ବିଶେଷ ଭାବରେ ଆଲୋଚନା କରିଛନ୍ତି।

Advertisment

ଇସ୍ରୋ ଅଧ୍ୟକ୍ଷ ତାଙ୍କ କ୍ୟାରିୟରରେ ଅନେକ ଆହ୍ଵାନର ସମ୍ମୁଖୀନ ହୋଇଥିବା କହିଛନ୍ତି। ସେ କହିଛନ୍ତି, ‘ମୋ ଜୀବନରେ ମୋ ପାଇଁ ସବୁକିଛି ଭଲ ଥିଲା ବୋଲି ଭାବିବେ ନାହିଁ! ମୁଁ ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ ଜୀବନରେ ମଧ୍ୟ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲି। ଏପରିକି ଇସ୍ରୋରେ ମୋ ପଦ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥିଲା। ମତେ ହୁଏତ ପଦବିରୁ ହଟାଇ ଦିଆଯାଇଥାଆନ୍ତା’ ବୋଲି ଶ୍ରୀ ସୋମନାଥ କହିଛନ୍ତି।

ନିଜ ଅତୀତର ସ୍ମୃତିକୁ ମନେ ପକାଇ ମହାକାଶବିଜ୍ଞାନୀ ସୋମନାଥ କହିଛନ୍ତି ଯେ ଉତକ୍ଷେପଣ ପୂର୍ବରୁ କଠୋର ନିଷ୍ପତ୍ତି ନେବାକୁ ପଡ଼ିଥାଏ। ବହୁ ବର୍ଷ ପୂର୍ବେ, ପିଏସଏଲଭି ମାର୍କ-୩ ଅଭିଯାନର ଶୁଭାରମ୍ଭ ସମୟରେ ଏହା ବିଫଳ ହେବାର ଯଥେଷ୍ଟ ସମ୍ଭାବନା ଥିଲା। କିନ୍ତୁ କାହାକୁ ତ’ ହେଲେ (ଉତକ୍ଷେପଣ) ନିଷ୍ପତ୍ତି ନେବାକୁ ପଡିବ! ଏବଂ ମୁଁ ଏହାକୁ ନେଇଥିଲି!

କିନ୍ତୁ, ସେ ସମୟରେ ସେଠାରେ ଆଉ କେହି ନଥିଲେ ଏବଂ ମୁଁ ଏହା କରିଥିଲି। ତେବେ, ଏହା ସଫଳ ହୋଇଥିଲା। ଜୀବନରେ ଏମିତି ଅନେକ ଘଟଣା ଘଟିଛି। ଭାରତର ସବୁଠାରୁ ସମ୍ବେଦନଶୀଳ ମହାକାଶ ସ୍ୱପ୍ନକୁ ବାସ୍ତବରେ ପରିଣତ କରିଥିବା ବ୍ୟକ୍ତି ଜଣକ ମୃଦୁଭାଷୀ ଓ ବୁଦ୍ଧିମାନ ଏବଂ ନିଜକୁ ଜଣେ ଅନୁସନ୍ଧିତ୍ସୁ ବ୍ୟକ୍ତି ଭାବରେ ବର୍ଣ୍ଣନା କରନ୍ତି। ‘ମୁଁ ଚନ୍ଦ୍ରର ଅନୁସନ୍ଧାନ କରୁଛି। ଚନ୍ଦ୍ରର ଅନୁସନ୍ଧାନ କରିବା ମୋ ଜୀବନର ଯାତ୍ରାର ଏକ ଅଂଶ’ ବୋଲି ସେ କହିଛନ୍ତି।

ଚନ୍ଦ୍ର, ମଙ୍ଗଳ ଗ୍ରହ ସଂପର୍କରେ ଶ୍ରୀ ସୋମନାଥ କହିଛନ୍ତି ଯେ ଯଦି ମାନବଜାତି ପୃଥିବୀ ବାହାରେ ଯାତ୍ରା କରିବାକୁ ଚାହୁଁଛି, ତେବେ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହ ସହିତ ଏକ୍ସୋପ୍ଲାନେଟରେ ବାସସ୍ଥାନ ସୃଷ୍ଟିର ଆବଶ୍ୟକତା ରହିଛି ଏବଂ ଭାରତୀୟମାନଙ୍କୁ ସେଠାରେ ରହିବାକୁ ପଡିବ। ଆମେ ଆଜି ନିଜକୁ ବହୁତ ନିମ୍ନ ବୋଲି ଭାବୁଛୁ! ଆମେ ବୈଷୟିକ ଦୃଷ୍ଟିରୁ ଉନ୍ନତ ନୁହଁ, ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ନୁହଁ! ଏବଂ ଆମେ ସର୍ବଦା ଭାବୁଛୁ ଯେ ଆମେ ଗରିବ, ତେଣୁ ଆମେ ଏସବୁରେ ନିବେଶ କରିପାରିବୁ ନାହିଁ! କିନ୍ତୁ, ମୁଁ ବିଶ୍ୱାସ କରେ ଯେ ଏହା ହେବା ଦରକାର। କାରଣ ଯେଉଁ ରାଷ୍ଟ୍ର ଭାବୁଛି ଯେ ସେମାନେ ହିଁ ଜ୍ଞାନର ସୃଷ୍ଟିକର୍ତ୍ତା ସେମାନଙ୍କ ପାଇଁ ଏହାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।