ଆନ୍ତର୍ଜାତିକ ଦୂରସଂଚାର ସଂଘ ପରିଷଦ ସଦସ୍ୟତା ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛି ଭାରତ

ଏମ୍‌. ରେବତୀଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୈଶ୍ୱିକ ଡିଜିଟାଲ ବ୍ୟବହାରରେ ଆଗୁଆ ରହି ବିକାଶର ଉତ୍କର୍ଷ ହାସଲ ସହ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିର ଯଥାଯଥ ବ୍ୟବହାର କରୁଛି ବୋଲି କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁ ସିଂ ଚୌହ୍ୱାନ ବିଶ୍ୱ ସୂଚନା ସମିତି ଶିଖର ବୈଠକ (ଡବ୍ଲୁଏସ୍‌ଆଇଏସ୍‌)ରେ ପ୍ରକାଶ କରିଛନ୍ତି। ସୁଇଜରଲାଣ୍ଡର ଜେନେଭାଠାରେ ମେ ୩୧ରୁ ଜୁନ ୩ ମଧ୍ୟରେ ଅନୁଷ୍ଠିତ ଡବ୍ଲୁଏସ୍‌ଆଇଏସ୍‌-୨୦୨୨ରେ ଚୌହ୍ୱାନ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ।

୨୦୨୩-୨୦୨୬ କାର୍ଯ୍ୟ ଅବଧି ନିମନ୍ତେ ଭାରତ ଆନ୍ତର୍ଜାତିକ ଦୂରସଂଚାର ସଂଘ (ଆଇଟିୟୁ) ପରିଷଦ ପାଇଁ ପ୍ରତିଦ୍ୱନ୍ଦ୍ବିତା କରୁଛି। ଭାରତ ୧୮୬୯ ମସିହାଠାରୁ ଏହାର ସଦସ୍ୟ ରହିଥିବାବେଳେ ନିୟମିତ ଭାବେ ଏହାର କାର୍ଯ୍ୟକଳାପରେ ଅଂଶଗ୍ରହଣ କରି ଆସୁଛି। ଭାରତୀୟ ବେତାର ନିୟନ୍ତ୍ରଣ ବୋର୍ଡ (ଆର୍‌ଆର୍‌ବି) ପ୍ରାର୍ଥୀ ଓ ଭାରତ ପକ୍ଷରୁ ଆଇଟିୟୁ ପରିଷଦ ପୁନର୍ନିର୍ବାଚନ ପ୍ରାର୍ଥିତ୍ୱ ପାଇଁ ହୋଇଥିବା ଅଭ୍ୟର୍ଥନା ସଭାରେ ନିଜର ପରିଚୟ ଦେଇ ଦେବୁ ସିଂ ଚୌହ୍ୱାନ କହିଥିଲେ ଯେ ଭାରତ ଆଇଟିୟୁର ସ୍ୱପ୍ନ ଓ ଦୂରଦୃଷ୍ଟିର ସମର୍ଥକ ଓ ୨୦୩୦ ସୁଦ୍ଧା ସ୍ଥାୟୀ ଓ ନିରନ୍ତର ବିକାଶ ହାସଲ ପାଇଁ ଆଇସିଟିଏସ୍‌କୁ ସମର୍ଥନ ଦେଇ ଆସୁଛି।

ଶ୍ରୀମତୀ ଏମ୍‌. ରେବତୀଙ୍କ ନାମ ଆର୍‌ଆର୍‌ବିର ସଦସ୍ୟତା ପାଇଁ ପ୍ରସ୍ତାବ ନେଇ ମନ୍ତ୍ରୀ କହିଥିଲେ ଯେ ଶ୍ରୀମତୀ ରେବତୀଙ୍କ ଅତୀତ ଟ୍ରାକ୍‌ ରେକର୍ଡ ପ୍ରମାଣିତ, ତାଙ୍କର ବୃତ୍ତିଗତ ବିଶେଷଜ୍ଞଙ୍କ ସହିତ ନେତୃତ୍ୱ ନେବାର ସାମର୍ଥ୍ୟ ଓ ସମୟାନୁପାତିକ କାର୍ଯ୍ୟ କରିବାର ଅଙ୍ଗୀକାରବଦ୍ଧତା ତଥା ଆଇସିଟିର ସାମଗ୍ରିକ ବିକାଶ ଅଭିଜ୍ଞତା ରହିଛି। ଶ୍ରୀ ଚୌହ୍ୱାନ ଆଇଟିୟୁ ଲକ୍ଷ୍ୟ ହାସଲ ପାଇଁ ଭାରତର ଅଙ୍ଗୀକାରବଦ୍ଧତାକୁ ଦୋହରାଇ ଅଂଶଗ୍ରହଣକାରୀ ସଦସ୍ୟମାନଙ୍କୁ ଆଇଟିୟୁ ପରିଷଦ ପାଇଁ ଭାରତର ପ୍ରାର୍ଥିତ୍ୱ ତଥା ଆରଆରବି ନିମନ୍ତେ ଶ୍ରୀମତୀ ରେବତୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବାକୁ ନିବେଦନ କରିଥିଲେ।

ଡବ୍ଲୁଏସ୍‌ଆଇଏସ୍‌-୨୦୨୨ ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଚୌହ୍ୱାନ ଅନେକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବା ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ସାକ୍ଷାତ୍ କରିଥିଲେ। ସେମାନଙ୍କ ମଧ୍ୟରେ ଆଇଟିୟୁ ଉପସଚିବ ମାଲକମ୍ ଜନସନ, ଇରାନର ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଇସା ଦାରୋପୋର, ଜାପାନର ନୀତି ସଂଯୋଜନା ଉପମନ୍ତ୍ରୀ ୟୁଜି ସାସାକୀ, ଆଇଟିୟୁ ମହାସଚିବ ହାଓଲିନ ଝାଓ ଅଛନ୍ତି। ମନ୍ତ୍ରୀ ସେମାନଙ୍କୁ ବିଶ୍ୱର ସର୍ବବୃହତ୍ ଏକତାର ପ୍ରତିମୂର୍ତ୍ତି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଫଳକ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଆଇସିଟିରେ ଭାରତର ପଦକ୍ଷେପକୁ ଆଇଟିୟୁ ମହାସଚିବ ହାଓଲିନ ଝାଓ ପ୍ରଶଂସା କରିଥିଲେ। ଡବ୍ଲୁଆଇଏସ୍‌ଏସ୍ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଇସା ଅଲ୍ଲୀ ଇବ୍ରାହିମ୍ ଭାରତ ସଫଳ ଅନୁଧ୍ୟାନଯୋଗ୍ୟ ବିଷୟ ବୋଲି କହିଥିଲେ।

ସମ୍ବନ୍ଧିତ ଖବର