କାଉଣ୍ଟ୍‌ଡାଉନ୍‌ ୨୦୧୯: ମୋଦୀଙ୍କ ଆସନ ଉପରେ ସହଯୋଗୀଙ୍କ ଆଖି

ଲକ୍ଷ୍ନୌ: ୨୦୧୪ ନିର୍ବାଚନ ପରେ ଗୋଟିଏ ପ‌େର ଗୋଟିଏ ସହଯୋଗୀ ବିଜେପିର ହାତ ଛାଡ଼ିବା ଆରମ୍ଭ କରିଛନ୍ତି। ପ୍ରଥ‌େମ ବଡ଼ ସହଯୋଗୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ବିଜେପି ମେଣ୍ଟ (ଏନଡିଏ) ଛାଡ଼ିଲା। ଆରମ୍ଭରୁ ଅନ୍ୟତମ ବଡ଼ ସହଯୋଗୀ ଶିବ ସେନା ବିଜେପିକୁ ଅଡ଼ୁଆରେ ପକାଇ ଚାଲିଥିବା ବେଳେ ନିକଟରେ ବିହାରର ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଏନଡିଏରୁ ବାହାରି ଯାଇଛି। ଏହାର ମୁଖ୍ୟ ଉପେନ୍ଦ୍ର କୁଶୱାହା କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତାଙ୍କ ପାର୍ଟିକୁ ମେଣ୍ଟରେ ଗୁରୁତ୍ବ ଦିଆଯାଉ ନଥିବା ସେ ଅଭିଯୋଗ କରିଥିଲେ। ପାଶ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି ମଧ୍ୟ ଅନୁରୂପ ଅଭି‌େଯାଗ କରି ମେଣ୍ଟ ଛାଡ଼ିବାକୁ ଧମକ ଦେଇଥିଲା। ତେବେ ଶେଷ ମୁହୂର୍ତରେ ଉକ୍ତ ପାର୍ଟି ସହିତ ବିଜେପି ବୁଝାମଣା କରିଛି।

ଏବେ ଉତ୍ତର ପ୍ରଦେଶର ଦୁଇଟି ସହଯୋଗୀ ଦଳ ଅପନା ଦଲ ଏବଂ ଏସବିଏସପି ମଧ୍ୟ ବିଜେପି ଉପରେ ଭୀଷଣ କ୍ଷୁବ୍ଧ। ସେମାନେ ଅଭିଯୋଗ କରିଛନ୍ତି ଯେ ମେଣ୍ଟରେ ସେମାନଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ। ୨୦୧୯ ଲୋକସଭା ନିର୍ବାଚନ‌େର ସେମାନେ ଅଧିକ ଆସନ ଦାବି କରୁଥିବା ବେଳେ ବିଜେପି ସେମାନଙ୍କ କଥା ଶୁଣୁନାହିଁ। ଅପନା ଦଲ ନେତ୍ରୀ ଅନୁପ୍ରିୟା ପଟେଲ କେନ୍ଦ୍ରରେ ମନ୍ତ୍ରୀ ଥିବା ବେଳେ ଏସବିଏସପି ‌େନତା ଓମ ପ୍ରକାଶ ରାଜଭର ଯୋଗୀ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଅଛନ୍ତି। କିନ୍ତୁ ସେମାନେ ଏବେ ବିଜେପି ସରକାରର କଡ଼ା ସମାଲୋଚକ ପାଲଟି ଯାଇଛନ୍ତି। ସେମାନେ ବିଜେପି ଉପରେ ଏ‌େତ କ୍ଷୁବ୍ଧ ‌େଯ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ବର୍ଜନ କରିବାକୁ ପଛାଉ ନାହାନ୍ତି। ପୂର୍ବରୁ ପ୍ରସ୍ତୁତି ସ୍ବରୂପ ଆଜି ବିଜେପି ପକ୍ଷରୁ ଉତ୍ତର ପ୍ରଦେଶର ଗାଜିପୁରରେ ଏକ ବିଶାଳ ଜନସମାବେଶ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଯୋଗଦେଇଥିଲେ। ଏନ୍‌ଡିଏର ସହଯୋଗୀ ଦଳ ହିସାବରେ ରାଜ୍ୟର ଅପ୍‌ନା ଦଲ୍‌ ଏବଂ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍‌ବିଏସ୍‌ପି)ର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଉଭୟ ଦଳର କୌଣସି ନେତା ଏଥିରେ ସାମିଲ ହୋଇନଥିଲେ।

ଏଭଳି ଅସନ୍ତୋଷର ମୁଖ୍ୟ କାରଣ ହେଉଛି ଆସନ୍ତା ଲୋକସଭା ନିର୍ବାଚନରେ ଅଧିକ ଆସନ ପାଇଁ ଏମାନେ ଦାବି କରୁଥିବା ବେଳେ ବିଜେପି ରାଜି ହେଉନାହିଁ। ‘ଅପ୍‌ନା ଦଲ୍’ ୨୦୧୯ ସାଧାରଣ ନିର୍ବାଚନ ପାଇଁ ୧୦ ଲୋକସଭା ଆସନ ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରଣାସୀ ଲୋକସଭା ଆସନ ଉପରେ ଏହା ଆଖି ପକାଇଛି। ଏଠାରେ ମଧ୍ୟ ଲଢ଼ିବାକୁ ଦଳ ନିଜ ଇଚ୍ଛା ଜାହିର କରିଛି। ଦଳ ୨୦୧୪ରେ ଉତ୍ତର ପ୍ରଦେଶର ମିର୍ଜାପୁର ଓ ପ୍ରତାପଗଡ଼ ଲୋକସଭା ଆସନରେ ଲଢ଼ି ଜିତିଥିବାରୁ ଅଧିକ ଆସନରେ ଲଢ଼ିବାକୁ ସୁଯୋଗ ମିଳିଲେ ଏନ୍‌ଡିଏର ଫାଇଦା ହେବ ବୋଲି ଦଳର ମୁଖ୍ୟ ଆଶିଷ ସିଂହ ପଟେଲ୍ କହିଛନ୍ତି। ସେପଟେ ଏନ୍‌ଡିଏ ଅନ୍ୟତମ ସହଯୋଗୀ ଏସ୍‌ବିଏସ୍‌ପି ରାଜ୍ୟର ସମସ୍ତ ୮୦ ଲୋକସଭା ଆସନରୁ ଲଢ଼ିବ ବୋଲି ଘୋଷଣା କରିଛି। ଦଳର ମୁଖ୍ୟ ରାଜଭର ଏହି ସୂଚନା ଦେଇଛନ୍ତି। ‌େସ କହିଛନ୍ତି ଯେ ତାଙ୍କ ପାର୍ଟିକୁ ସମ୍ମାନଜନକ ସଂଖ୍ୟା ନ ମିଳିଲେ ସବୁ ଆସନରେ ଲଢିବାକୁ ବାଧ୍ୟ ହେବେ। ସେ ଯୋଗୀ ସରକାରକୁ ଦୁର୍ନୀତିଗ୍ରସ୍ତ କହି ଏହାର ତୀବ୍ର ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଲୋକସଭାରେ ବିଜେପିର ଏବେ ୯ଟି ସହଯୋଗୀ ଦଳ ଅଛନ୍ତି ଏବଂ ସେମାନଙ୍କର ୩୬ ଜଣ ସଭ୍ୟ ଅଛନ୍ତି। ସେଥିମଧ୍ୟରୁ ୧୮ ଜଣ ଶିବସେନାର ଥିବା ବେ‌େଳ ଲୋକ ଜନଶକ୍ତି ପାର୍ଟିର ୬ ଏବଂ ଅକାଳି ଦଳର ୪ ଜଣ ସଭ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର