କାଉଣ୍ଟଡାଉନ୍‌ ୨୦୧୯: ମମତାଙ୍କ ଗଣିତ ଓ ମାୟାବତୀଙ୍କ ଉପହାର

କୋଲକାତା: ଆସନ୍ତା ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ କିଏ ହେବ? ବିଜେପି ନେତୃତ୍ବାଧୀନ ଏନଡିଏ ଜିତିଲେ ନରେନ୍ଦ୍ର ମୋଦୀ ହେବେ। ଯଦି କଂଗ୍ରେସ ନେତୃତ୍ବାଧୀନ ୟୁପିଏ ଯିତେ, ତାହାହେଲେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ। ଦୁଇ ମେଣ୍ଟ ଏଭଳି ଅନୁମାନ ଓ ସମ୍ଭାବନା ନେଇ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ଭବିଷ୍ୟବାଣୀ ଅଲଗା। ତାଙ୍କ ମତରେ ବିଜେପି କିମ୍ବା କଂଗ୍ରେସ ମେଣ୍ଟ କାହାରିକୁ ସ୍ପଷ୍ଟ ବହୁମତ ମିଳିନ ନାହିଁ। କଂଗ୍ରେସ କେତେ ଆସନ ପାଇବ ତାହା ସେ କହି ପାରିବେ ନାହିଁ। କିନ୍ତୁ ବିଜେପି ୧୨୫ ଡେଇଁବ ନାହିଁ। ତାହାହେଲେ ସରକାର କିଏ କରିବ? ତାଙ୍କର ଜବାବ ହେଲା ଆଞ୍ଚଳିକ ଦଳ। ଆଞ୍ଚଳିକ ଦଳ ବିଜେପି ଓ କଂଗ୍ରେସ ଅପେକ୍ଷା ଅଧିକ ଆସନ ପାଇବେ ଏବଂ ସେମାନେ ହିଁ ମେଣ୍ଟ କରି ସରକାର ଗଠନ କରିବେ।

ଆସନ୍ତା ୧୯ ତାରିଖ ଶନିବାର ଦିନ କୋଲକାତାରେ ମମତା ବାନାର୍ଜୀ ଏକ ବଡ଼ ଧରଣର ରାଲି କରିବାକୁ ଯାଉଛନ୍ତି। ଏଥିରେ ବିଜେପି ବିରୋଧୀ ଆଞ୍ଚଳିକ ଦଳ ଯୋଗ‌େଦବେ। ରାଲିରେ ଅବଶ୍ୟ କଂଗ୍ରେସ ନେତାମାନେ ଯୋଗଦେବେ। କିନ୍ତୁ ଏହି ସର୍ବପୁରାତନ ଜାତୀୟ ଦଳକୁ ନେଇ ସେ ଉତ୍ସାହିତ ନୁହନ୍ତି। ତାଙ୍କ ମତରେ ଆଗାମୀ ନିର୍ବାଚନରେ ଜାତୀୟ ଦଳଙ୍କ ଗୁରୁତ୍ବ କମିଯିବ। ବିଜେପିର ମଧ୍ୟ ଶେଷ ସମୟ ଆସଗଲାଣି। ଆଞ୍ଚଳିକ ଦଳଙ୍କର ଲୋକପ୍ରିୟତା ବଢ଼ୁଛି। ‌ସେମାନଙ୍କୁ କେହି ଅଟକାଇ ପାରିବେ ନାହିଁ। ତେବେ ସେ ସ୍ବୀକାର କରିଛନ୍ତି ଯେ ଯେହେତୁ ଆଞ୍ଚଳିକ ଦଳଗୁଡ଼ିକ ନିଜ ନିଜ ଅଞ୍ଚଳର ପ୍ରସଙ୍ଗକୁ ନେଇ ଗଠିତ, ସେମାନଙ୍କ ମଧ୍ୟରେ ମତଭେଦ ରହିବା ସ୍ବାଭାବିକ। ତେବେ ଜାତୀୟ ସ୍ବାର୍ଥ ପାଇଁ ସେମାନେ ମହାମେଣ୍ଟରେ ଅଂଶୀଦର ହୋଇ ସରକାର ଗଠନ କରିବା ନିଶ୍ଚିତ। ଆସନ୍ତା ୧୯ ତାରିଖ ରାଲି ପାଇଁ ମମତା ଯେଉଁ ତାଲିକା ପ୍ରସ୍ତୁତ କରିଛନ୍ତି ସେଥିରେ କଂଗ୍ରେସ ରହିଛି। କିନ୍ତୁ ରାହୁଲ ଆସିବେ ନାହିଁ। ତାଙ୍କ ବଦଳରେ ଆସିବେ ମଲିକାର୍ଜୁନ ଖାଡ଼ଗେ। ସେହିଭଳି ମାୟାବତା ନଆସି ସତୀଶ ମିଶ୍ରଙ୍କୁ ପଠାଇବେ। ଏହି ରାଲିରେ ଅଖିଳେଶ ଯାଦବ, ଚନ୍ଦ୍ରବାବୁ ନାଇଡ଼ୁ, କୁମାରସ୍ବାମୀ, ଅରବିନ୍ଦ କେଜ୍ରିୱାଲ, ତେଜସ୍ବୀ ଯାଦବ, ଫାରୁକ ଅବଦୁଲ୍ଲା ଓ ଶରଦ ପାୱାର ପ୍ରମୁଖ ଯୋଗଦେବେ ବୋଲି ଜଣାପଡ଼ିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ‌େଯ ମମତା ଯେଉଁ ମହାମେଣ୍ଟର କଳ୍ପନା କରିଛନ୍ତି ‌େସଥିରେ ନବୀନ ପଟ୍ଟନାୟକଙ୍କ ବିଜେଡି ନାହିଁ କି କେସି ରାଓଙ୍କ ଟିଆରଏସ୍ ର ସ୍ଥାନ ନାହିଁ। ଓଡ଼ିଶା ଓ ତେଲେଙ୍ଗାନାର ଏହି ଦୁଇ ଲୋକପ୍ରିୟ ନେତାଙ୍କୁ ମମତା ଭରସା ନକରିବା ପଛରେ ରହସ୍ୟ କଣ ତାହା ସେ ‌କହି ନାହାନ୍ତି। ଯଦି ଆଞ୍ଚଳିକ ଦଳ ସରକାର ଗଠନ କରିବେ ପ୍ରଧାନମନ୍ତ୍ରୀ କିଏ ହେବ? ଏଥିପାଇଁ ଦୁଇ ଜଣ ଦାବିଦାର ଅଛନ୍ତି। ସେମାନେ ହେଲେ ମମତା ବାନାର୍ଜୀ ଏବଂ ବିଏସପି ନେତ୍ରୀ ମାୟାବତୀ। ଏହି ଦୁଇ ନେତ୍ରୀ ଖୋଲାଖୋଲି ଭାବେ ନିଜେ କିଛି କହୁ ନାହାନ୍ତି। କିନ୍ତୁ ସେମାନଙ୍କ ଦଳର ନେତାମାନେ ନିଜ ନିଜ ନେତ୍ରୀଙ୍କ ସପକ୍ଷରେ ବୟାନବାଜି ଆରମ୍ଭ କରିଦେଇଛନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଏଭଳି ରାଲି କରି ମମତା ନିଜକୁ ପରୋକ୍ଷରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ଉପସ୍ଥାପିତ କରିବାକୁ ଯାଉଥିବା ବେଳେ ମାୟାବତୀ ଲକ୍ଷ୍ନୌରେ ଭିନ୍ନ ବାର୍ତା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ କିଏ ହେବ ତାହା ଉତ୍ତର ପ୍ରଦେଶ ସ୍ଥିର କରିବ। ବିଏସପି ଏବଂ ଏସପି କର୍ମୀମାନେ ମିଳିତ ହୋଇ କାମ କରନ୍ତୁ ଏବଂ ତାଙ୍କୁ ଉପହାର ଦିଅନ୍ତୁ।

ସମ୍ବନ୍ଧିତ ଖବର