କାଉଣ୍ଟ୍‌ଡାଉନ୍‌ ୨୦୧୯: ବିଧାନସଭାରେ ମେଣ୍ଟ, ସଂସଦରେ ଫାଟ!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସମୟ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଇବାରେ ଲାଗିଛି। ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛିତଶଗଡ଼‌େର କଂଗ୍ରେସର ସଫଳତା ପରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ସହଯୋଗୀ ଦଳମାନଙ୍କ ଆଗରେ ମୁଣ୍ଡ ନୁଆଁଉଥିବା ଏହି ଦଳ ଏବେ ତ‌ାଉ ଦେଖାଇବା ଆରମ୍ଭ କରିଛି। ଆଗାମୀ ଲୋକସଭା ନିର୍ବାଚନରେ ସହଯୋଗୀମାନଙ୍କ ଲାଗି କମ୍ ଆସନ ଛାଡ଼ିବ ବୋଲି ସୂଚନା ମିଳିଛି। ଏଥିରେ କ୍ଷୁବ୍ଧ ହୋଇଛନ୍ତି କେତେକ ସହ‌େଯାଗୀ। ନିଜ ପାଇଁ ଅଧିକ ଆସନ ହାସଲ ଲାଗି ସେମାନେ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। କଂଗ୍ରେସ ଏଥିରେ ରାଜି ନହେଲେ ସେମାନେ ଏକାକୀ ନିର୍ବାଚନ ଲଢ଼ିବାକୁ ଧମକ ଦେଇଛନ୍ତି। କର୍ଣ୍ଣାଟକରେ ଧର୍ମନିରପେକ୍ଷ ଜନତା ଦଳ ବା ଜେଡିଏସ୍ ଓ କଂଗ୍ରେସ ମେଣ୍ଟ ସରକାର କରିଛନ୍ତି। କମ୍ ଆସନ ପାଇଥିଲେ ମଧ୍ୟ ଜେଡିଏସ୍‌ ନେତା କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ଅଛନ୍ତି। ରାଜ୍ୟରେ ୨୮ଟି ଲୋକସଭା ଆସନ ରହିଛି। ଜେଡିଏସ୍ ନେତାମାନେ କହିଛନ୍ତି ଯେ ସେମାନଙ୍କୁ ସମ୍ମାନଜନକ ଭାବେ ଆସନ ନମିଳିଲେ ବାଧ୍ୟ ହୋଇ ଏକାକୀ ଲଢିବେ। ଏବେ ଜେଡିଏସ୍‌ରେ ଅସନ୍ତୋଷ କୁହୁଳିବାରେ ଲାଗିଛି। କଂଗ୍ରେସ ଏହାର କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ବାମୀଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ଦେବା‌ ପରେ ଏହାକୁ ନେଇ ଜେଡିଏସ୍ ନେତାମାନେ ଅସନ୍ତୋଷ ଜାହିର କରିଛନ୍ତି। ରାଜ୍ୟର ବିଭିନ୍ନ ବୋର୍ଡ ଓ ନିଗମରେ ମଧ୍ୟ ଜେଡିଏସ୍‌କୁ ସମ୍ମାନଜନକ ପାହ୍ୟା ମିଳୁନାହିଁ। ଏଭଳି ଅନେକ ପ୍ରସଙ୍ଗରେ ଦୁଇ ଦଳ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ନିକଟରେ କର୍ଣ୍ଣାଟକ ସରକାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ କଂଗ୍ରେସର ୮ ବିଧାୟକଙ୍କୁ ସାମିଲ କରାଯାଇଥିଲା। ଫଳରେ ଜେଡିଏସ୍‌ ନେତାମାନେ ନିଜକୁ ଗୌଣ ମନେକରିଥିଲେ। ସେହିଭଳି ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମଧ୍ୟ କଂଗ୍ରେସକୁ ଅଧିକ ଆସନ ଦେବା ମୁଡ୍‌ରେ ନାହାନ୍ତି। ସେମାନଙ୍କ ମେଣ୍ଟରୁ କଂଗ୍ରେସକୁ ଦୂରେଇ ରଖିବା ଲାଗି ମଧ୍ୟ ଧମକ ଦେଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରେ ହେବାକୁ ଥିବା ମହାମେଣ୍ଟରେ କଂଗ୍ରେସକୁ ସାମିଲ ନକରିବାକୁ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ସୂଚନା ଦେବା ପରେ ଏହା କଂଗ୍ରେସ ମହଲରେ ନୈରାଶ୍ୟ ସୃଷ୍ଟି କରିଛି। ଅଖିଳେଶଙ୍କୁ ମନାଇବାକୁ କଂଗ୍ରେସ ନେତା ରାଜ୍‌ ବବ୍ବର୍‌ ଲଗାତାର ପ୍ରୟାସ ଚଳାଇଛନ୍ତି। ମଧ୍ୟ ପ୍ରଦେଶରେ ସମାଜବାଦୀ ପାର୍ଟି ବିଧାୟକଙ୍କୁ ମନ୍ତ୍ରୀ କରାଯାଇନଥିବାରୁ ଅଖିଳେଶ କଂଗ୍ରେସ ବିରୋଧରେ ଖୋଲା ଅସନ୍ତୋଷ ଜାହିର କରିଛନ୍ତି। ଅଖିଳେଶ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସକୁ କଟାକ୍ଷ କରିବା ପରେ ୟୁପି ମହାମେଣ୍ଟରେ କଂଗ୍ରେସ ସାମିଲ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ବିଏସ୍‌ପି ନେତ୍ରୀ ମାୟାବତୀ ମଧ୍ୟ କଂଗ୍ରେସର ସମାଲୋଚନା କରିବାକୁ ପଛାଇ ନାହାନ୍ତି।

ସମ୍ବନ୍ଧିତ ଖବର