ଇସ୍ରୋର ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଉତ୍‌କ୍ଷେପଣ ପାଇଁ ଅବଗଣନା ଆରମ୍ଭ

ଶ୍ରୀହରିକୋଟା : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ-୦୩ର ଉତ୍‌କ୍ଷେପଣ ପାଇଁ ଅବଗଣନା ଆରମ୍ଭ ହୋଇଯାଇଛି । ଜିଏସଏଲଭି ରକେଟ୍ ମାଧ୍ୟମରେ ଏହାକୁ କକ୍ଷପଥରେ ସ୍ଥାପନ କରାଯିବ । ଏହାକୁ ଗୁରୁବାର ସକାଳ ୫ଟା ୪୩ ମିନିଟରେ ଶ୍ରୀହରିକୋଟାର ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯିବ ।

ଏହି ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ମାଧ୍ୟମରେ ଦେଶ ଓ ସୀମାର  ‘ରିଅଲ ଟାଇମ’ ଚିତ୍ର ପ୍ରଦାନ କରିବ । ଏହା ସହିତ ପ୍ରାକୃତିକ ଦୁର୍ବିପାକ ଉପରେ ଏହା ନଜର ରଖିବ । ବିଶେଷକରି ବାତ୍ୟା, ବାଦଲ ଫଟା ବର୍ଷା, ବିଜୁଳି ଆଦିର  ପୂର୍ବାନୁମାନ କ୍ଷେତ୍ରରେ ଏହା ବିଶେଷ ଉପଯୋଗୀ ହୋଇପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏହି ଉପଗ୍ରହ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ କାମ କରିବ ।

ଗୁରୁବାର ହେବାକୁ ଥିବା ଉତ୍‌କ୍ଷେପଣ ଗତ ଏପ୍ରିଲ କିମ୍ବା ମେ ମାସରେ ହେବାର ଥିଲା । କିନ୍ତୁ କରୋନା ମହାମାରୀ ବ୍ୟାପିବା ପରେ ଏହି ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିଲା । ଗତବର୍ଷ ନଭେମ୍ବର ମାସରେ ଇସ୍ରୋ ପକ୍ଷରୁ ପିଏସଏଲଭି ରକେଟ୍ ମାଧ୍ୟମରେ ଭୂ- ପର୍ଯ୍ୟବେକ୍ଷଣ ଉପଗ୍ରହ ମହାକାଶକୁ ଛଡ଼ାଯାଇଥିଲା ।

 

ସମ୍ବନ୍ଧିତ ଖବର