ନୂଆଦିଲ୍ଲୀ: ଇସ୍ରୋ ଯେପରି ସିଗନାଲ ଦେଉଛି, ସେହି ଅନୁରୂପ କାମ କରୁଛି ଚନ୍ଦ୍ରଯାନ-୨। ଗତକାଲି ଅର୍ବିଟରରୁ ଅଲଗା ହେବା ପରେ ଲାଣ୍ଡରର କକ୍ଷପଥକୁ ବଦଳାଇ ଦେଇଛି ଇସ୍ରୋ। ଚନ୍ଦ୍ରର ୧୦୯ କିଲୋମିଟର ନିକଟ ଓ ୧୨୦ କିଲୋମିଟର ଦୂର ଅଣ୍ଡାକାର କକ୍ଷପଥରେ ଘୁରିବୁଲିବା ଆରମ୍ଭ କରିଛି ବିକ୍ରମ ଲାଣ୍ଡର। ଆସନ୍ତାକାଲି ଦ୍ୱିତୀୟ ଥର ପାଇଁ ଲାଣ୍ଡରର କକ୍ଷପଥ ବଦଳିବ। ଚନ୍ଦ୍ରର ଆହୁରି ନିକଟତର ହେବା ସହ ଦକ୍ଷିଣ ମେରୁରେ ଅବତରଣ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ସେପ୍ଟେଟର ୬ ଓ ୭ ତାରିଖ ରାତିର ସେହି ଐତିହାସିକ ମୁହୂର୍ତ୍ତ ପାଇଁ ଆରମ୍ଭ ହେଲା କାଉଂଟଡାଉନ୍‌।

Advertisment

ସେପ୍ଟେଟର ୩ ତାରିଖ। ସକାଳ ୮ଟା ୫୦ ମିନିଟ୍‌। କକ୍ଷ ପରିବର୍ତନ କଲା ଲାଣ୍ଡର ବିକ୍ରମ। କକ୍ଷପଥ ବଦଳାଇବାକୁ ଲାଣ୍ଡରର ଇଂଜିନକୁ ଇସ୍ରୋର କଂଟ୍ରୋଲ ରୁମରୁ ତିନି ସେକେଣ୍ଡ ଖୋଲିବା ପାଇଁ ସିଗନାଲ୍‌ ଦେଇଥିଲେ ଇସ୍ରୋର ବୈଜ୍ଞାନିକ। ବୈଜ୍ଞାନିକମାନେ ଯେପରି ଚାହୁଁଥିଲେ, ସେହି ଅନୁରୂପ କାମ କରିଥିଲା ଲାଣ୍ଡର। କକ୍ଷର ପରିବର୍ତନ ହୋଇଥିଲା ଏବଂ ସଫଳତାର ଆଉ ଏକ ପାହାଚ ଅତିକ୍ରମ କରିଛି ଇସ୍ରୋ। ସୋମବାର ଦିନ ଅର୍ବିଟରରୁ ଲାଣ୍ଡରକୁ ଅଲଗା କରିବା ପରେ ବଦଳାଇ ଦିଆଯାଇଛି ଏହାର କକ୍ଷପଥ।

publive-image Hindustan Times

ସେପ୍ଟେଟର ୪ ତାରିଖ। ଦ୍ୱିତୀୟ ଥର ବଦଳିବ ଲାଣ୍ଡରର କକ୍ଷପଥ। ଚନ୍ଦ୍ରର ଆହୁରି ନିକଟତର ହେବ ବିକ୍ରମ। ପ୍ରାୟ ୩୫ କିଲୋମିଟର ନିକଟ ଓ ୧୧୦ କିଲୋମିଟର ଦୂର ଅଣ୍ଡାକାର କକ୍ଷପଥରେ ପ୍ରାୟ ତିନି ଦିନ ଧରି ଚନ୍ଦ୍ର ଚାରିପଟେ ଘୁରିବ ବିକ୍ରମ ଲାଣ୍ଡର। ଏହି ସମୟରେ ଲାଣ୍ଡର ଓ ପ୍ରଜ୍ଞାନ ରୋଭରର ଯନ୍ତ୍ରାଂଶ ଯାଂଚ କରିବେ ଇସ୍ରୋର ବୈଜ୍ଞାନିକ। ସବୁ କିଛି ଠିକ୍‌ ଥିଲେ ଆରମ୍ଭ ହେବ ଅବତରଣ ପାଇଁ ପ୍ରସ୍ତୁତି।

ସେପ୍ଟେଟର ୭ ତାରିଖ। ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା। ଯେଉଁ ମୁହୂର୍ତର ଅପେକ୍ଷା ଥିଲା ଆସିବ ସେହି ପ୍ରତୀକ୍ଷିତ ସମୟ। ଯାହାକୁ କେବଳ ଭାରତବାସୀ ନୁହଁନ୍ତି ନଜର ରଖିଛି ସାରାବିଶ୍ୱ। ୬ ଓ ୭ ତାରିଖ ମଧ୍ୟ ରାତିରେ ଚନ୍ଦ୍ରର ମାଟି ଛୁଇଁବ ବିକ୍ରମ ଲାଣ୍ଡର।