୫ ରାଜ୍ୟରେ ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆଜି

ସକାଳ ୮ରୁ ଗଣତି ଆରମ୍ଭ, ଅପରାହ୍ଣ ସୁଦ୍ଧା ସ୍ପଷ୍ଟ ଚିତ୍ର

ନୂଆଦିଲ୍ଲୀ : ୫ଟି ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଆଜି (ଗୁରୁବାର) ଜଣାପଡ଼ିବ। ‌ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ଭୋଟ୍‌ ଗଣତି ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଭୋଟ୍‌ ଗଣତି ସକାଳ ୮ଟାରୁ ଆରମ୍ଭ ହେବ। କିଏ କେତେ ଆସନ ଜିତିବ, ଏସଂକ୍ରାନ୍ତ ପ୍ରାରମ୍ଭିକ ସୂଚନା ଦିନ ୧୦ଟାରୁ ମିଳିବା ଆାରମ୍ଭ ହେବ। ସନ୍ଧ୍ୟା ୫ଟା ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ।

ଏହି ୫ ରାଜ୍ୟରୁ ୪ଟିରେ ବିଜେପି କ୍ଷମତାରେ ଥିବା ବେଳେ କଂଗ୍ରେସ କେବଳ ଗୋଟିଏ ରାଜ୍ୟ ପଞ୍ଜାବରେ କ୍ଷମତାରେ ରହିଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ୍ ବାହୁଡ଼ା ମତ ବା ଏକ୍‌ଜିଟ୍‌ ପୋଲ୍‌ରେ ଉତ୍ତରପ୍ରଦେଶ ରେ ବିଜେପିକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ଦର୍ଶାଯାଇଥିବା ବେଳେ ପଞ୍ଜାବରେ କେଜ୍ରିୱାଲଙ୍କ ଆପ୍‌ ଚମକପ୍ରଦ ବିଜୟ ହାସଲ କରିବ ବୋଲି ଅନୁମାନ କରାଯାଇଛି। ଗୋଆ ଏବଂ ଉତ୍ତରାଖଣ୍ଡରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବାରୁ ଝୁଲା ବିଧାନସଭା ସମ୍ଭାବନା ରହିଛି। ଏକଜିଟ୍ ପୋଲ୍ କେତେ ସତ ହେଉଛି ତାହା ଆସନ୍ତାକାଲି ଗଣତି ବେଳେ ଜଣାପଡ଼ିବ।

ତେବେ ସମସ୍ତଙ୍କର ନଜର ରହିଛି ଉତ୍ତର ପ୍ରଦେଶ ଉପରେ। ରାଜ୍ୟରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ବିଜେପି ସରକାର କ୍ଷମତା ବଜାୟ ରଖିବ ବୋଲି ଏକଜିଟ୍ ପୋଲରୁ ସୂଚନା ମିଳିଛି। ଏହା ହେଲେ ଗତ ୪ ଦଶନ୍ଧୀ ଧରି ରାଜ୍ୟରେ ପ୍ରତି ନିର୍ବାଚନରେ ସରକାର ପରିବର୍ତ୍ତନର ଯେଉଁ ଧାରା ଜାରି ରହିଛି ସେଥିରେ ବ୍ରେକ୍ ଲାଗିବ। ୧୯୮୫ ପରେ କ୍ଷମତା ବଜାୟ ରଖିବାରେ ‌େଯାଗୀ ହେବେ ପ୍ରଥମ ମୁଖ୍ୟମନ୍ତ୍ରୀ। ଗତ ନିର୍ବାଚନରେ ୩୦୦ରୁ ଅଧିକ ଆସନ ପାଇଥିବା ବିଜେପିକୁ ଏଥର କମ୍ ଆସନ ପାଇବ, କିନ୍ତୁ ସରକାର ଗଠନ ଲାଗି ଆବଶ୍ୟକ ସଂଖ୍ୟକ ଆସନ ପାଇବାରେ କୌଣସି ଅସୁବିଧା ହେବନାହିଁ ବୋଲି କୁହାଯାଇଛି।

ସେହିଭଳି ପଞ୍ଜାବରେ କଂଗ୍ରେସକୁ ଗାଦିଚ୍ୟୁତ କରି ସରକାର ଗଠନ କରିବ ଆପ୍। ଏକଜିଟ୍ ପୋଲ୍‌ ଅନୁଯାୟୀ ଆପ୍ ୭୦ରୁ ଅଧିକ ଆସନ ପାଇବ। ଉତ୍ତରାଖଣ୍ଡ ଓ ଗୋଆରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଏକଜିଟ୍ ପୋଲ ପୂର୍ବାନୁମାନ କରିଛି। ଏଥିପାଇଁ ଉଭୟ ଦଳ ସରକାର ଗଠନ ଲାଗି ଅନ୍ୟମାନଙ୍କ ସହିତ ଆଲୋଚନା ଚଳାଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ବିଧାନସଭା ନିର୍ବାଚନରେ ଗୋଆ ଏବଂ ମଣିପୁରରେ କାହାକୁ ସ୍ପଷ୍ଟ ବହୁମତ ମିଳିନଥିଲେ ମଧ୍ୟ କଂଗ୍ରେସ ସର୍ବାଧିକ ଆସନ ପାଇଥିଲା। କିନ୍ତୁ ଏହି ଦୁଇ ରାଜ୍ୟରେ ଅନ୍ୟମାନଙ୍କ ସହାୟତାରେ ବିଜେପି ସରକାର ଗଠନ କରିଥିଲା।

ସମ୍ବନ୍ଧିତ ଖବର