ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ଭିଭିପିଏଟି (ଭୋଟର ଭେରିଫାଏବଲ ପେପର ଅଡିଟ୍ ଟ୍ରେଲ୍) ଦ୍ଵାରା ୫୦ ପ୍ରତିଶତ ଭୋଟ୍ର ବାଧ୍ୟତାମୂଳକ ଗଣତି ଦାବି କରି ଆଗତ ହୋଇଥିବା ମାମଲାର କୌଣସି ଭିତ୍ତି ନଥିବା ଦର୍ଶାଇ ନିର୍ବାଚନ କମିଶନ ଏହି ମାମଲାକୁ ଖାରଜ କରିବା ପାଇଁ ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କରଛନ୍ତି।
ତେବେ, ନିର୍ବାଚନ କମିଶନଙ୍କ ସତ୍ୟପାଠ ଉପରେ ନିଜର ଉତ୍ତର ଆସନ୍ତା ଏକ ସପ୍ତାହ ମଧ୍ୟରେ ରଖିବା ପାଇଁ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଆଜି ଏହି ଯାଚିକା ଆଗତ କରିଥିବା ଦେଶର ୨୧ଟି ରାଜନୈତିକ ଦଳଙ୍କ ପକ୍ଷରୁ କୋର୍ଟରେ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ଅଭିଷେକ ମନୁ ସିଂହଭୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ସୋମବାରକୁ ଧାର୍ଯ୍ୟ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଦେଶର ୨୧ଟି ରାଜନୈତିକ ଦଳ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ଭିଭିପିଏଟି (ଭୋଟର ଭେରିଫାଏବଲ ପେପର ଅଡିଟ୍ ଟ୍ରେଲ୍) ଦ୍ଵାରା ୫୦ ପ୍ରତିଶତ ଭୋଟ୍ର ବାଧ୍ୟତାମୂଳକ ଗଣତି ଦାବି କରି ଗୁରୁବାର ସୁପ୍ରିମ୍ କୋର୍ଟରେ ଏକ ଯାଚିକା ଆଗତ କରିଥିଲେ। ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟସ୍ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଦୀପକ ଗୁପ୍ତା ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏସଂପର୍କରେ କାରଣ ଦର୍ଶାଇବା ପାଇଁ ନିର୍ବାଚନ କମିଶନଙ୍କ ଉପରେ ନୋଟିସ୍ ଜାରି କରିଥିଲେ।
ଇତିମଧ୍ୟରେ ନିର୍ବଚନ କମିଶନ ସୁପ୍ରିମ୍ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀର କେବଳ ମାତ୍ର ଗୋଟିଏ ନିର୍ବାଚନ କେନ୍ଦ୍ରର ଇଭିଏମ୍ ଏବଂ ଭିଭିପିଏଟି ଯାଞ୍ଚ କରାଯିବ ବୋଲି ଦେଶର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ କମିଶନଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ତେବେ, କୌଣସି ନିର୍ଦ୍ଦିଷ୍ଟ କାରଣ ନ ର୍ଦଶାଇ ବିରୋଧୀ ଦଳଗୁଡ଼ିକ ଅଯଥାରେ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ଭିଭିପିଏଟି (ଭୋଟର ଭେରିଫାଏବଲ ପେପର ଅଡିଟ୍ ଟ୍ରେଲ୍) ଦ୍ଵାରା ୫୦ ପ୍ରତିଶତ ଭୋଟ୍ର ବାଧ୍ୟତାମୂଳକ ଗଣତି ଦାବି କରୁଛନ୍ତି। ତେଣୁ, ଏହି ଯାଚିକାକୁ ଖାରଜ କରିଦେବା ପାଇଁ ଆଗତ ସତ୍ୟପାଠରେ ଅନୁରୋଧ କରିଛନ୍ତି ନିର୍ବାଚନ କମିଶନ।