ଅବଗଣନା ଆରମ୍ଭ! ରାହୁଲ କହିଲେ ଆମେ ଜିତିବୁ, ଲକ୍ଷ୍ୟ କିନ୍ତୁ ‘ବିଜେପିମୁକ୍ତ ଭାରତ’ ନୁହେଁ

୩ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ରାହୁଲଙ୍କ ପ୍ରଶଂସା

ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରିଣାମ କଂଗ୍ରେସ ପାଇଁ ବରଦାନ ସାବ୍ୟସ୍ତ ହୋଇଥିବା ବେଳେ ବିଜେପି ଶିବିରରେ କମ୍ପନ ସୃଷ୍ଟି କରିଛି। ବିଜେପିର ଦୁର୍ଗ ପାଲଟିଥିବା ଛତିଶଗଡ଼ ଓ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ରାଜସ୍ଥାନକୁ ବିଜେପି ହାତରୁ ଛଡ଼ାଇ ନେଇଛି କଂଗ୍ରେସ। ମଧ୍ୟ ପ୍ରଦେଶରେ ଅତ୍ୟନ୍ତ କଡ଼ା ମୁକାବିଲା ଭିତ‌ରେ କଂଗ୍ରେସ ସବୁଠାରୁ ବଡ଼ ଦଳର ମାନ୍ୟତା ହାସଲ କରି ସରକାର ଗଠନ ପାଇଁ ସଜବାଜ ହେଉଛି। ତେଲେଙ୍ଗାନାରେ ଟିଆର୍‌ଏସ୍‌ ଓ ମିଜୋରାମ୍‌ରେ ଏମ୍‌ଏନ୍‌ଏଫ୍‌ ବଡ଼ ବିଜୟ ହାସଲ କରି ବିଜେପିର ରଣନୀତିକୁ ବିଫଳ କରିଦେଇଛନ୍ତି। ଏହି ବିଧାନସଭା ନିର୍ବାଚନ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ୍‌ ବୋଲି କୁହାଯାଉଥିଲା ବେ‌ଳେ ଏଥିରେ ବିଜେପିର ପରାଜୟ ଏକ ବଡ଼ ବିପର୍ଯ୍ୟୟର ସୂତ୍ରପାତ କରିଛି। ମୋଦୀ ନେତୃତ୍ବାଧୀନ ଏନ୍‌ଡିଏ ସରକାରର ପତନ ଘଟାଇବା ପାଇଁ ଆଜିଠାରୁ ଅବଗଣନା ଆରମ୍ଭ ହୋଇଯାଇଛି ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି। ମୋଦୀଙ୍କୁ ଚାଲେଞ୍ଜ୍ ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ବିରୋଧୀଙ୍କୁ ଏକଜୁଟ କରିବାକୁ ସକ୍ଷମ ହେଉଥିବାରୁ ଆଗାମୀ ଦିନରେ ଜାତୀୟ ରାଜନୀତିରେ ନୂଆ ମୋଡ଼ ଆସିବ ବୋଲି କୁହାଯାଉଛି।

ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ କଂଗ୍ରେସ ପାଇଁ ‘ଭଲ ଦିନ’ ଆଣିଥିବାରୁ ଏଥିରେ ଉତ୍ସାହିତ ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ଭାରତରେ ଗଣତନ୍ତ୍ରର ବିଜୟ ହୋଇଛି ଏବଂ ପରିବର୍ତ୍ତନର ସମୟ ଆସିଯାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ଜନସାଧାରଣ ଦଳ ପ୍ରତି ଅପାର ସମର୍ଥନ ପ୍ରକଟ କରିଛନ୍ତି ଏବଂ କଂଗ୍ରେସକୁ ବଡ଼ ଦାୟିତ୍ବ ମିଳିଛି ବୋଲି ରାହୁଲ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆମେ କୌଣସି ଦଳକୁ ହଟାଇବାକୁ ଚାହୁନାହୁଁ। ଆମେ ଜିତିବୁ। କିନ୍ତୁ ବିଜେପିମୁକ୍ତ ଭାରତ ଆମ ଲକ୍ଷ୍ୟ ନୁହେଁ। ବିଜେପିର ‘କଂଗ୍ରେସମୁକ୍ତ ଭାରତ’ ସ୍ଲୋଗାନ୍‌ର ଜବାବରେ ରାହୁଲ ଏଭଳି କହିଥିବା କୁହାଯାଉଛି। ସେ କହିଛନ୍ତି, ୩ ମୁଖ୍ୟମନ୍ତ୍ରୀ ଭଲ କାମ କରିଥିଲେ। ସେମାନଙ୍କ କାମକୁ କଂଗ୍ରେସ ଅବ୍ୟାହତ ରଖିବ। ସେ ଆହୁରି କହିଛନ୍ତି, ମୋଦୀଙ୍କ ଠାରୁ ମୁଁ ଅନେକ ଶିକ୍ଷା କରିଛି। ୫ ବର୍ଷ ଶାସନ ଭିତ‌େର ମୋଦୀ ଦେଶର ହୃତ୍‌ସ୍ପନ୍ଦନ ଶୁଣିପାରି ନାହାନ୍ତି। ଚାଷୀ ଓ କୋଟି କୋଟି ଯୁବକ ଯୁବତୀଙ୍କ ହିତ ପାଇଁ ସେ କାର୍ଯ୍ୟ କରିପାରି ନାହାନ୍ତି। ଯେଉଁଥିପାଇଁ ବିଜେପିକୁ ଆଜି ପରାସ୍ତ ହେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର