ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ କୋଭିଡ୍ ଟିକାର ବାହାର ଦେଶକୁ ରପ୍ତାନି ଉପରେ ସରକାର ଲଗାଇଥିବା ପ୍ରତିବନ୍ଧକ ଯୋଗୁଁ ସମ୍ପ୍ରତି ବିଶ୍ବର ୯୧ଟି ରାଷ୍ଟ୍ର ଭୀଷଣ ଭାବେ ପ୍ରଭାବିତ ହୋଇଛନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ପ୍ରମୁଖ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍ କହିଛନ୍ତି। ବିଶେଷ କରି ଆଷ୍ଟ୍ରାଜେନେକା ଟିକାର ଭାରତୀୟ ସଂସ୍କରଣ କୋଭିସିଲ୍ଡ ପ୍ରସ୍ତୁତ କରୁଥିବା ସିରମ୍ ଇନ୍ଷ୍ଟିଚ୍ୟୁଟ୍ରୁ ବ୍ୟାପକ ସଂଖ୍ୟାରେ ଟିକା ବାଧାପ୍ରାପ୍ତ ହେବା ସାଙ୍ଗକୁ ଏହାର ମୂଳ କମ୍ପାନି ତାହା ଭରଣା କରିପାରୁନଥିବାରୁ ଏହି ଅସୁବିଧା ଦେଖାଯାଇଥିବା ସେ କହିଛନ୍ତି। ସୂଚନା ଥାଉ କି, ୨୦୨୦ ମସିହାରେ ଆଷ୍ଟ୍ରାଜେନେକା କମ୍ପାନି ସହ ଭାରତୀୟ ଟିକା ନିର୍ମାତା ସିରମ୍ ଇନ୍ଷ୍ଟିଚ୍ୟୁଟ୍ କରିଥିବା ଚୁକ୍ତି ମୁତାବକ ନିମ୍ନ ଓ ମଧ୍ୟମ ବର୍ଗର ଦେଶମାନଙ୍କୁ ଶହେ କୋଟି ଟିକା ଯୋଗାଇବା କଥା। ଏପରିକି ୨୦୨୦ ଶେଷ ସୁଦ୍ଧା ସିରମ୍ ୪୦ କୋଟି ଟିକା ରପ୍ତାନି କରିବ ବୋଲି ଆଶା କରାଯାଉଥିଲା। ଅପରପକ୍ଷେ, ଭାରତରେ ପ୍ରଥମେ ଠାବ ହୋଇଥିବା ଦ୍ବୈତ ରୂପାନ୍ତରିତ ପ୍ରଜାତି ବି.୧.୬୧୭.୨ ବା ଡେଲ୍ଟା ସମେତ ଅନ୍ୟାନ୍ୟ ଘାତକ ପ୍ରଜାତିର ସଂକ୍ରମଣ ଦ୍ବାରା କବଳିତ ହୋଇ ରହିଥିବା ଏହି ସବୁ ଦେଶ ଟିକାକୁ ହିଁ ଅମୋଘ ଅସ୍ତ୍ର ଭାବେ ଚାହି ରହିଛନ୍ତି।
ଏଣେ ଭାରତରେ ଦ୍ବିତୀୟ ଲହର ସଂକ୍ରମଣର ବ୍ୟାପକତା ପରିପ୍ରେକ୍ଷୀରେ ଦ୍ରୁତ ଟିକାକରଣ ପାଇଁ ଆବଶ୍ୟକ ଟିକାର ଅଭାବ ସାଙ୍ଗକୁ ସରକାରଙ୍କ ଟିକା ରପ୍ତାନି କୂଟନୀତିକୁ ବିରୋଧୀ ଦଳମାନେ ନିରନ୍ତର କଟୁ ସମାଲୋଚନା କରିବା ପରେ ଏପରି ଟିକା ରପ୍ତାନି ଉପରେ ନିଷେଧାଦେଶ ଲାଗିଛି। ତେବେ ଏଭଳି ସ୍ଥିତିରେ କିଛି ଆଫ୍ରିକୀୟ ଦେଶରେ ଲୋକସଂଖ୍ୟାର ମାତ୍ର ୦.୫ ପ୍ରତିଶତଙ୍କର ଟିକାକରଣ ହୋଇଛି। ଏପରିକି ସେମାନଙ୍କ ସ୍ବାସ୍ଥ୍ୟକର୍ମୀମାନଙ୍କର ମଧ୍ୟ ଟିକାକରଣ ସଂପନ୍ନ ହୋଇପାରିନାହିଁ। ତେଣୁ ଟିକା ଯୋଗାଣରେ ଏପରି ତାରତମ୍ୟ ରହିବା ଦ୍ବାରା ସମଗ୍ର ବିଶ୍ବରୁ ମହାମାରୀର ମଳୋତ୍ପାଟନ ଅସମ୍ଭବ ହେବା ସହ କେହି ଜଣେ ବି କେଉଁଠି ସଂକ୍ରମିତ ରହିଥିଲେ ଆମେ କେବେ ବି ସେଥିରୁ ମୁକ୍ତି ପାଇପାରିବା ନାହିଁ ବୋଲି ସେ ସତର୍କ କରାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/56456fs456h45s6fhhhhhhhhhhhhhhhhhhhhhhhhh.jpg)