୨୬/୧୧ ସହିଦଙ୍କୁ ସ୍ମରଣ କଲା ଦେଶ

ନୂଆଦିଲ୍ଲୀ : ମୁମ୍ବାଇରେ ୨୦୦୮ ନଭେମ୍ବର ୨୬ ତାରିଖରେ ୧୩ ବର୍ଷ ପୂର୍ବେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ସୁରକ୍ଷା କର୍ମୀଙ୍କୁ ଦେଶ ଆଜି ମନେ ପକାଇଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ବିଭନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୬୬ ଜଣ ଲୋକଙ୍କ ଜୀବନ ଯାଇଥିଲା। ମୁମ୍ବାଇ ସମେତ ଦେଶର ବିଭିନ୍ନ ସ୍ଥାନରେ ଉତ୍ସବମାନ ଆୟୋଜନ କରାଯାଇ ଦେଶ ସେମାନଙ୍କୁ ଆଜି ମନେ ପକାଇଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉଭୟ ସହିଦ ଏବଂ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଳୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମ‌ବେଦନା ଜଣାଇଛନ୍ତି। ଦାୟିତ୍ବ ସଂପାଦନ ବେଳେ ସହିଦ ହୋଇଥିବା ସୁରକ୍ଷା କର୍ମୀଙ୍କ ପ୍ରତି ଦେଶ ସବୁବେଳେ କୃତଜ୍ଞ ରହିବ ବୋଲି ସେ କହିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ୨୬/୧୧ ମୁମ୍ବାଇ ଆକ୍ରମଣକୁ କାପୁରୁଷ କାର୍ଯ୍ୟ ଭାବେ ବର୍ଣ୍ଣନା କରିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣ ସମୟରେ ଜୀବୀତ ଅବସ୍ଥାରେ ଧରାପଡ଼ିଥିବା ଏକମାତ୍ର ଆତଙ୍କବାଦୀ ଆଜମନ କସାବକୁ ପରବର୍ତ୍ତୀ ପର୍ଯ୍ୟାୟରେ ଫାଶୀ ଦିଆଯାଇଛି। କିନ୍ତୁ ପାକିସ୍ତାନରେ ରହି ଏହି କାର୍ଯ୍ୟକୁ ପରିଚାଳନା କରିଥିବା କିଙ୍ଗପିନ୍‌କୁ ବର୍ତ୍ତମାନ ସୁଦ୍ଧା ଦଣ୍ଡିତ କରାଯାଇ ନାହିଁ।

Zee News

କେମିତି ହୋଇଥିଲା ଆକ୍ରମଣ
୨୦୦୮ ନଭେମ୍ବର ୨୩ ତାରିଖରେ କରାଚୀ ବନ୍ଦରରୁ ୧୦ ଜଣ ବନ୍ଧୁକଧାରୀ ଆତଙ୍କବାଦୀ ମୁମ୍ବାଇ ଅଭି‌ମୁଖେ ବାହାରିଥିଲେ। ସେମାନେ ମଝି ସମୁଦ୍ରରେ ଏକ ମାଛଧରା ଡଙ୍ଗାକୁ ନିଜ କବ୍‌ଜାକୁ ନେଇଥିଲେ। ୨୬ ତାରିଖ ସଂଧ୍ୟାରେ ମୁମ୍ବାଇ କଫି ପରେଡ୍‌ରେ ସେମାନେ ସ୍ଥଳଭାଗରେ ପହଞ୍ଚିଥିଲେ। ଏମାନେ ସେମାନେ ଏକାଧିକ ଗୋଷ୍ଠୀରେ ବିଭକ୍ତ ହୋଇ ପୂର୍ବନିର୍ଦ୍ଧାରିତ ସ୍ଥାନଗୁଡ଼ିକୁ ଯାଇଥିଲେ।

ସେମାନେ ମୁଖ୍ୟତଃ ଜନଗହଳି ଥିବା ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକୁ ଆକ୍ରମଣ ପାଇଁ ବାଛିଥିଲେ। ସବୁଠୁ ଅଧିକ ମୃତ୍ୟୁ ଛତ୍ରପତି ଶିବାଜୀ ରେଳ ଷ୍ଟେସନରେ ହୋଇଥିଲା। ସେଠାରେ ୫୮ ଜଣଙ୍କର ଜୀବନ ଯାଇଥିଲା। ତାଜ୍‌ ହୋଟେଲରେ ୩୧ ଜଣ, ଟ୍ରାଇଡେଣ୍ଟ ହୋଟେଲରେ ୩୦ ଜଣ, ଲି‌ଓପୋଲ୍‌ଡ କାଫେରେ ୧୧ ଜଣ ଏବଂ ନରିମାନ ହାଉସରେ ୭ ଜଣଙ୍କୁ ଆତଙ୍କବାଦୀମାନେ ମାରିଥିଲେ। ଏଥିସହିତ କିଛି ଲୋକ କାମା ହସ୍ପିଟାଲ ଏବଂ ମେଟ୍ରୋ ସିନେମା ହଲା ନିକଟରେ ମରିଥିଲେ।

ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏନଏସଜି କମାଣ୍ଡୋମାନେ ହେଲିକପ୍ଟରରେ ନରିମାନ ହାଉସ ଛାତରେ ଓହ୍ଲାଇଥିଲେ। ସେମାନେ ଆତଙ୍କବାଦୀଙ୍କୁ ନିପାତ କରି ନଭେମ୍ବର ୨୮ ସକାଳ ସୁଦ୍ଧା ଏହାକୁ ସୁରକ୍ଷିତ ସ୍ଥାନ ଭାବେ ଘୋଷଣା କରିଥିଲେ। ତାଜ୍ ହୋଟେଲରେ ସବୁଠୁ ଅଧିକ ସମୟ ଆତଙ୍କବାଦ ବିରୋଧୀ ଅପରେସେନ ଚାଲିଥିଲା। ନଭେମ୍ବର ୨୯ରେ ସେଠାରେ ଅପରେସନ୍ ଶେଷ ହୋଇଥିଲା। ଓବରୟ ହୋଟେଲରୁ ୨୫୦ ଜଣଙ୍କୁ, ତାଜ୍‌ରୁ ୩୦୦ ଜଣଙ୍କ ଏବଂ ନରିମାନ ହାଉସରୁ ୬୦ ଜଣଙ୍କୁ ସୁରକ୍ଷାକର୍ମୀମାନେ ଉଦ୍ଧାର କରିଥିଲେ।

ୱେୟାରଲେସ୍ ଯୋଗାଯୋଗ ବ୍ୟବସ୍ଥାକୁ ନିରୀକ୍ଷଣ କରିବା ପରେ ଜଣାପଡ଼ିଥିଲା ଯେ ଆତଙ୍କବାଦୀମାନେ ପାକିସ୍ତାନରୁ ନିର୍ଦ୍ଦେଶନାମା ପାଉଥିଲେ। ଲୋକଙ୍କ ଚଳପ୍ରଚଳର ସ୍ଥିତିକୁ ସେମାନେ ଟିଭି ଫୁଟେଜରୁ ମଧ୍ୟ ଜାଣୁଥିଲେ। ଏହା ଜଣାପଡ଼ିବା ପରେ ହୋଟେଲଗୁଡ଼ିକୁ ଟିଭି ସଂଯୋଗ କାଟି ଦିଆଯାଇଥିଲା। ଏହି ଅପରେସନରେ ଅନେକ ସୁରକ୍ଷା କର୍ମୀ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଏଟିଏସ୍‌ ମୁଖ୍ୟ ହେମନ୍ତ କରକରେ, ଏନକାଉଣ୍ଟର ସ୍ପେସାଲିଷ୍ଟ ବିଜୟ ସଲାସକାର, ଏସିପି ଅଶୋକ କାମ୍‌ତେ ପ୍ରମୁଖ ରହିଥିଲେ। ସାହସୀ ପୁଲିସ ତୁକାରାମ ଓମ୍ବାଲେ ଆତଙ୍କବାଦୀ ଆଜମଲ କସାବକୁ ଧରିବାରେ ସକ୍ଷମ ହୋଇଥିଲେ।

କସାବକୁ ପଚରାଉଚରା ସମୟରେ ଏହା ଲସ୍କର-ଇ-ତୋଇବା ଦ୍ବାରା ହୋଇଥିବା ଜଣା ପଡ଼ିଥିଲା। ପାକ୍ ଅଧୀକୃତ କାଶ୍ମୀର ଅଞ୍ଚଳରେ ସେମାନଙ୍କୁ ୧୮ ମାସ ଧରି ତାଲିମ ଦିଆଯାଇଥିଲା। ଅନ୍ତର୍ଜାତୀୟ ସମୁଦାୟର ଚାପ ପରେ ପାକିସ୍ତାନ ହାପିଜ ସୟିଦ, ଜାକିର ରହେମାନ ଲଖଭି ଏବଂ ଅନ୍ୟ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିଥିଲା। ଆକ୍ରମଣରେ ସାମିଲ ଥିବା କାରଣରୁ ଆମେରିକାରେ ଡେଭିଡ କୋଲମ୍ୟାନ ହେଡଲିକୁ ୩୫ ବର୍ଷ ଜେଲଦଣ୍ଡ ହୋଇଛି। ତେବେ ଆଜମଲ କସାବକୁ ବିଚାର ପରେ ପୁନେର ୟେରାୱାଡା ଜେଲ୍‌ରେ ୨୦୧୨ ନଭେମ୍ବର ୨୧ରେ ଫାଶୀ ଦିଆଯାଇଥିଲା।

ସମ୍ବନ୍ଧିତ ଖବର