ବିଶ୍ବରେ ରେକର୍ଡ କଲା ଦେଶର ଦୈନିକ ସଂକ୍ରମଣ

୪ ଲକ୍ଷ ୧୨ ହଜାର ନୂଆ, ୩,୯୮୦ ମୃତ୍ୟୁ

ନୂଆଦିଲ୍ଲୀ : ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗୋଟିଏ ଦିନରେ ସଂକ୍ରମଣ ମାମଲା ୪,୧୨,୨୬୨ ଥିବା ବେଳେ ୩,୯୮୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦ୍ବିତୀୟ ଥର ପାଇଁ ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଛି। ଗତ ଏପ୍ରିଲ ୩୦ରେ ପ୍ରଥମ ଥର ଦୈନିକ ସଂକ୍ରମଣ ମାମଲା ୪,୦୨,୩୫୧ ଥିଲା। ଅନ୍ୟପକ୍ଷେ ଦେଶରେ ମୃତ୍ୟୁସଂଖ୍ୟା ୨୩,୦୧,୬୮ ପହଞ୍ଚିଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨,୧୦,୭୭,୪୧୦କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଏବେ ୩୫,୬୬,୩୯୮ ସକ୍ରିୟ ମାମଲା ରହିଛି। ବିଗତ ୨୪ ଘଣ୍ଟାରେ ୩,୨୯,୧୧୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜି ବିଶ୍ବରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମଣ ମାମଲାର ୫୭ ପ୍ରତିଶତ ଭାରତରେ ରହିଛି। ଅନ୍ୟପକ୍ଷେ ଆମେରିକାରେ ମାତ୍ର ୬ ପ୍ରତିଶତ ରହିଛି। ପ୍ରଥମ ଲହରରେ ବିଶ୍ବର ମୋଟ୍‌ କୋଭିଡ୍‌ ସଂକ୍ରମଣର ୧୮% ଭାରତରେ ରହିଥିଲା। ଗତ ୧୦ ଦିନ ଧରି ଭାରତର ପଜିଟିଭ୍‌ ହାର ୨୦ ପ୍ରତିଶତରୁ ଅଧିକ ରହୁଛି। ପଜିଟିଭ୍‌ ହାର ୫%ରୁ କମ୍‌ ରହିଲେ ହିଁ ସ୍ଥିତି ନିୟନ୍ତ୍ରଣକୁ ଆସିପାରିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) କହିଛି।

ଦକ୍ଷିଣ ଭାରତରେ ସଂକ୍ରମଣ ବଢ଼ୁଛି। କର୍ଣ୍ଣାଟକରେ ବୁଧବାର ଦିନ ୫୦,୧୧୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର ପରେ ଦ୍ବିତୀୟ ରାଜ୍ୟ ଭାବେ କର୍ଣ୍ଣାଟକରେ ଦୈନିକ ସଂକ୍ରମଣ ୫୦ ହଜାର ଟପିଯାଇଛି। ମହାରାଷ୍ଟ୍ରରେ ମଧ୍ୟ ଦୈନିକ ସଂକ୍ରମଣ ମାମଲା କମିବାପରେ ଗତକାଲି ପୁଣି ନୂଆ ସଂକ୍ରମଣ ସଂଖ୍ୟା ୫୭,୬୪୦ ରହିଛି। କେରଳରେ ଗତକାଲି ସଂକ୍ରମଣ ମାମଲା ୪୧,୯୫୩ ଥିବାବେଳେ ତାମିଲନାଡ଼ୁରେ ୨୩,୩୧୦, ପଶ୍ଚିମବଙ୍ଗ‌ରେ ୧୮,୧୦୨, ପଂଜାବରେ ୮,୦୧୫, ଉତ୍ତରାଖଣ୍ଡରେ ୭,୭୮୩, ଆସାମରେ ୪,୮୨୬, ଜମ୍ମୁ କାଶ୍ମୀରରେ ୪,୭୧୬, ହିମାଚଳରେ ୩,୮୪୨, ଗୋଆରେ ୩,୪୯୬, ପୁଡ଼ୁଚେରୀରେ ୧,୮୧୯ ଏବଂ ମିଜୋରାମ୍‌ରେ ୨୩୮ ସଂକ୍ରମଣ ମାମଲା ରହିଛି। ଆସାମ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ବଢ଼ୁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି। ଗତ ୨ ସପ୍ତାହ ଧରି ୩୦ ଜିଲ୍ଲାରେ ଲଗାତାର ସଂକ୍ରମଣ ବଢ଼ୁଛି। ଏଥିମଧ୍ୟରୁ ୧୦ଟି କେରଳରେ, ଆନ୍ଧ୍ରରେ ୭ଟି, କର୍ଣ୍ଣାଟକରେ ୩ଟି ଏବଂ ତାମିଲନାଡ଼ୁରେ ଗୋଟିଏ ରହିଛି। ମହାରାଷ୍ଟ୍ରରେ ଗତକାଲି ୯୨୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ଏଯାବତ୍‌ ୧୬.୨୬ କୋଟି ଟିକା ଡୋଜ୍‌ ଦିଆସରିଛି।

ସମ୍ବନ୍ଧିତ ଖବର