ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପହଲଗାମରେ ଆଜି ପର୍ଯ୍ୟଟକଙ୍କ ଉପରେ ବର୍ବର ଆତଙ୍କବାଦୀ ଆକ୍ରମଣ ଦେଶକୁ ସ୍ତବ୍ଧ କରିଦେଇଛି। ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ଏବଂ ପରିଚୟପତ୍ର ଯାଞ୍ଚ କରି ଗୁଳିମାରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଫୋନ୍ରେ କଥା ହୋଇ ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ କହିଛନ୍ତି। ଗୃହମନ୍ତ୍ରୀ ଶାହ ଏ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ସିଆର୍ପିଏଫ୍ ଡିଜି, ଜମ୍ମୁ-କଶ୍ମୀର ଡିଜିପି ଏବଂ ସେନା ଅଧିକାରୀମାନେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଆତଙ୍କବାଦୀ ପାତାଳରେ ଲୁଚିଲେ ବି ସେମାନଙ୍କୁ ଠାବ କରି ନିପାତ କରାଯିବ ବୋଲି ଶାହ କହିଛନ୍ତି।
ଅନ୍ୟପକ୍ଷରେ ମିଳିତ ସୁରକ୍ଷା ବାହିନୀ ପହଲଗାମ ଆକ୍ରମଣରେ ସାମିଲ ଆତଙ୍କବାଦୀମାନଙ୍କୁ ଠାବ କରିବା ପାଇଁ ବିଶାଳ ଅଭିଯାନ ଆରମ୍ଭ କରିଛି। ପୁଲିସ, ସିଆର୍ପିଏଫ୍, ସେନାର ସ୍ବତନ୍ତ୍ର କମାଣ୍ଡେ ବାହିନୀ ଏହି ଅପରେସନରେ ନିୟୋଜିତ ଅଛନ୍ତି। ମୃତକଙ୍କ ମଧ୍ୟରେ ଭାରତୀୟ ନୌସେନା ଅଧିକାରୀ ବିନୟ ନରୱାଲ(୨୬) ମଧ୍ୟ ରହିଥିବା ଜଣାପଡିଛି। ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ସବୁ ସବୁ ମହଲରୁ ତୀବ୍ର ନିନ୍ଦା କରାଯିବା ସହ ଏହାକୁ ଅଞ୍ଚଳର ଶାନ୍ତି ଓ ପର୍ଯ୍ୟଟନ କ୍ଷେତ୍ର ଉପରେ ଏକ ବଡ଼ ଆକ୍ରମଣ ବୋଲି କୁହାଯାଇଛି। ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି। ଆତଙ୍କବାଦୀମାନେ ପଶୁ, ଅମାନୁଷିକ ଓ ଘୃଣ୍ୟ ଚରିତ୍ର ବୋଲି ସେ କହିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ରାମବନରୁ ଶ୍ରୀନଗର ଫେରିଥିଲେ। ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ପହଲଗାମରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେତେକ ଆହତ ପର୍ଯ୍ୟଟକଙ୍କୁ ଜିଏମ୍ସି ଅନନ୍ତନାଗକୁ ସ୍ଥାନାନ୍ତର କରାଯାଇଛି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଏଭଳି ହିଂସା ଗ୍ରହଣୀୟ ନୁହେଁ ଏବଂ ଏହାକୁ କଠୋର ନିନ୍ଦା କରାଯିବା ଉଚିତ ବୋଲି ସେ ଏକ୍ସରେ ଲେଖିଛନ୍ତି।
ଅଧିକାରୀମାନେ କହିଛନ୍ତି ଯେ ବୈସରନ ଉପତ୍ୟକାରେ ଏହି ଆକ୍ରମଣ ହୋଇଛି ଏବଂ ଏହି ଅଂଚଳରେ ସ୍ଥାୟୀ ଶାନ୍ତି ଯୋଗୁଁ ହତାଶ ଆତଙ୍କବାଦୀମାନେ ନିରୀହ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରିଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଅଜ୍ଞାତ ଦୁର୍ବୃତ୍ତମାନେ ପର୍ଯ୍ୟଟକଙ୍କ ଉପରକୁ ଅତି ନିକଟରୁ ଗୁଳି ଚଳାଇଥିଲେ ଏବଂ ସେମାନଙ୍କ ପାଇଁ ଖସିବା ନିମନ୍ତେ କୌଣସି ସୁଯୋଗ ନଥିଲା। ଘଟଣାସ୍ଥଳରେ ୪୦ରୁ ଅଧିକ ପର୍ଯ୍ୟଟକ ଥିଲେ ବୋଲି ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି। ଆହତଙ୍କୁ ସ୍ଥାନାନ୍ତର କରିବା ପାଇଁ ଏକ ହେଲିକପ୍ଟର ନିୟୋଜିତ କରାଯାଇଥିଲା। ଆହତଙ୍କ ମଧ୍ୟରୁ କେତେକଙ୍କୁ ସ୍ଥାନୀୟ ଲୋକେ ଖଚରରେ ମୁଖ୍ୟମାର୍ଗକୁ ଆଣିଥିଲେ। କାଶ୍ମୀରରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ଘଟଣା ଘଟିଛି। ସେହିପରି ୩୮ ଦିନିଆ ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ପବିତ୍ର ଗୁମ୍ଫାକୁ ଦୁଇଟି ମାର୍ଗ ଦେଇ ଦର୍ଶନ କରିଥାନ୍ତି। ଗୋଟିଏ ରାସ୍ତା ହେଉଛି ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଥିବା ପାରମ୍ପରିକ ୪୮ କିଲୋମିଟର ପହଲଗାମ ଟ୍ରାକ୍ ଏବଂ ଅନ୍ୟଟି ହେଉଛି ଗଣ୍ଡରବାଲ ଜିଲ୍ଲାର ୧୪ କିଲୋମିଟର ଛୋଟ ବାଲଟାଲ ଟ୍ରାକ୍।
ଗତ ଦଶନ୍ଧି (୨୦୧୪-୨୦୨୪)ରେ ଜମ୍ମୁ ଓ କାଶ୍ମୀରରେ ପାଞ୍ଚଟି ବଡ଼ ଆତଙ୍କବାଦୀ ଆକ୍ରମଣ
୧. ୨୦୧୬ ଉରି ଆକ୍ରମଣ
ତାରିଖ: ୧୮ ସେପ୍ଟେମ୍ବର ୨୦୧୬
ଆତଙ୍କୀ ସଂଗଠନ: ଜୈସ-ଏ-ମହମ୍ମଦ
୨୪ ଭାରତୀୟ ଯବାନ ସହିଦ
ତଙ୍କବାଦୀମାନେ ଉରିସ୍ଥିତ ସେନା ଘାଟିରେ ଅନୁପ୍ରବେଶ କରି ଗ୍ରେନେଡ୍, ବୋମା ଓ ସ୍ବୟଂଚାଳିତ ବନ୍ଧୁକରୁ ଯବାନଙ୍କୁ ଟାର୍ଗେଟ କରିଥିଲେ, ଯାହା ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା।
୨. ୨୦୧୯ ପୁଲୱାମା ଆକ୍ରମଣ
ତାରିଖ: ୧୪ ଫେବୃଆରି ୨୦୧୯
ଆତଙ୍କୀ ସଂଗଠନ: ଜୈସ-ଏ-ମହମ୍ମଦ
୪୬ ସିଆର୍ପିଏଫ୍ ଯବାନ ସହିଦ, ୨୦ ଆହତ
ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରକ ବୋଝେଇ ଗାଡ଼ିକୁ ସିଆର୍ପିଏଫ୍ ଯବାନଙ୍କ ଉପରକୁ ଧକ୍କା ଦେଇଥିଲା । ଏହି ଆକ୍ରମଣ ପରେ ଭାରତ-ପାକିସ୍ତାନ ଉତ୍ତେଜନା ବଢ଼ିବା ସହ ଏହାର ଜବାବରେ ଭାରତ ପାକିସ୍ତାନର ବାଲାକୋଟରେ ବିମାନ ଆକ୍ରମଣ କରିଥିଲା।
୩. ୨୦୨୪ ରିଆସି ଆକ୍ରମଣ
ତାରିଖ: ୯ ଜୁନ୍ ୨୦୨୪
ଆତଙ୍କୀ ସଂଗଠନ: ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍ଏଫ୍)
ମୃତାହତ: ୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୩୩ ଆହତ
ହିନ୍ଦୁତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ, ଯାହାଫଳରେ ଏହା ଖାଲକୁ ଖସି ପଡ଼ିଥିଲା। ପର୍ଯ୍ୟଟନ ଋତୁରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା।
୪. ୨୦୨୩ ରାଜୌରୀ-ପୁଞ୍ଚ ଆକ୍ରମଣ
ଏପ୍ରିଲ-ଡିସେମ୍ବର ୨୦୨୩
ଆତଙ୍କୀ ସଂଗଠନ: ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଏଫ୍ଏଫ୍)
ମୃତାହତ: ଏକାଧିକ ଆକ୍ରମଣରେ ୧୪ରୁ ଅଧିକ ସୁରକ୍ଷାକର୍ମୀ ସହିଦହ ହୋଇଥିଲେ। ଏପ୍ରିଲ ୨୦ରେ ପୁଞ୍ଚରେ ସେନା ଗାଡି ଉପରକୁ ଆକ୍ରମଣ ହୋଇଥିବା ବେଳେ ୨୧ ଡିସେମ୍ବରରେ ମଧ୍ୟ ସେନା ଉପରେ ଆକ୍ରମଣ ହୋଇଥିଲା
୫. ୨୦୨୪ କଠୁଆ ଆକ୍ରମଣ
ତାରିଖ: ୯ ଜୁଲାଇ ୨୦୨୪
ସହିଦ: ସେନାର ୫ ଯବାନ ସହିଦ
ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆତଙ୍କବାଦୀମାନେ କଠୁଆରେ ଏକ ସାମରିକ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ।