କୋଲକାତା: ଦେଶର ସର୍ବାଧିକ ଅପରିଷ୍କାର ୨୫ଟି ସହର ମଧ୍ୟରୁ ୧୯ଟି ସହର କେବଳ ପଶ୍ଚିମବଙ୍ଗରେ ହିଁ ରହିଛି। ନିକଟରେ କେନ୍ଦ୍ର ସହର ବିକାଶ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଦାର୍ଜିଲିଂ, ସିଲିଗୁଡ଼ି,ସେରାମପୁର ଆଦି ପର୍ଯ୍ୟଟନସ୍ଥଳଗୁଡ଼ିକ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି। କେବଳ ଏତିକି ନୁହେଁ ବରଂ ଦେଶର ସବୁଠୁ ଅପରିଷ୍କାର ୪ଟି ରାଜ୍ୟ ମଧ୍ୟରେ ନାଗାଲାଣ୍ଡ, ପୁଡୁଚେରୀ ଓ ତ୍ରିପୁରା ପରେ ପଶ୍ଚିମବଂଗ ଏହି ତାଲିକାରେ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆବର୍ଜନା, ବାହାରେ ମଳତ୍ୟାଗ, ପରିଚ୍ଛନ୍ନତା ଆଦି ମାନଦଣ୍ଡକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ବିହାର ଓ ୟୁପିର ୩ଟି ଲେଖାଏଁ ସହର ମଧ୍ୟ ଏହି ଅପରିଷ୍କାର ସହର ତାଲିକାରେ ସ୍ଥାନ ପାଇଛି। ଗତ ଜାନୁଆରିରୁ ମାର୍ଚ୍ଚ ମାସ ମଧ୍ୟରେ ଦେଶର ମୋଟ ୪୨୦୩ଟି ପୌରପାଳିକାରେ ଏହି ସର୍ଭେ କରାଯାଇଥିଲା। ଲଗାତାର ଦ୍ୱିତୀୟ ଥର ପାଇଁ ଇନ୍ଦୋର ସବୁଠୁ ପରିଷ୍କାର ସହର ଭାବେ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ଦ୍ୱିତୀୟରେ ଭୋପାଳ ଓ ତୃତୀୟରେ ଚଣ୍ଡିଗଡ଼ ରହିଛି। ଉଲ୍ଳେଖଯୋଗ୍ୟ, ୨୦୧୬ ଓ ୨୦୧୭ରେ ହୋଇଥିବା ଏହି ସ୍ୱଚ୍ଛ ସର୍ବେକ୍ଷଣ ସର୍ଭେରେ ପଶ୍ଚିମବଙ୍ଗ ସାମିଲ ହୋଇନଥିଲା। ରାଜ୍ୟ ମୁଖ୍ୟ ଶାସନ ସଚିବ ସୁବ୍ରତ ଗୁପ୍ତା କହିଛନ୍ତି ଯେ, ନିର୍ମଳ ବଙ୍ଗଳା ଯୋଜନା ଆଧାରରେ ପଶ୍ଚିମବଙ୍ଗର ସହରଗୁଡ଼ିକର ସ୍ୱଚ୍ଛତାର ମାନ ନିର୍ଦ୍ଧାରଣ କରାଯାଇଥାଏ।