ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ନିର୍ମଳା ସୀତାରମଣଙ୍କୁ ଅର୍ଥ ବିଭାଗ ଦାୟିତ୍ବ ମିଳିଛି। ନିର୍ମଳା ହେଉଛନ୍ତି ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥ ମନ୍ତ୍ରୀ। ଇନ୍ଦିରା ଗାନ୍ଧୀ ୧୯୬୯ ଜୁଲାଇରୁ ୧୯୭୦ ଜୁନ୍ ପର୍ଯ୍ୟନ୍ତ ଅର୍ଥ ମନ୍ତ୍ରାଳୟକୁ ନିଜ ଦାୟିତ୍ବରେ ରଖିଥିଲେ। ତେବେ ଦୀର୍ଘ ୪୮ ବର୍ଷ ପରେ ନିର୍ମଳା ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥ ମନ୍ତ୍ରୀ ହୋଇଛନ୍ତି। ଅରୁଣ ଜେଟ୍ଲି ସ୍ବାସ୍ଥ୍ୟା ସମସ୍ୟା ଯୋଗୁଁ ଏଥର କ୍ୟାବିନେଟ୍ରେ ସାମିଲ ହୋଇ ନଥିବାରୁ ଅର୍ଥ ବିଭାଗ ଭଳି ଗୁରୁ ଦାୟିତ୍ବ ନିର୍ମଳାଙ୍କୁ ମିଳିଛି। ୫୯ ବର୍ଷୀୟା ନିର୍ମଳା ମୋଦୀ ମନ୍ତ୍ରିମଣ୍ଡଳରେ ସବୁଠୁ ବରିଷ୍ଠ ମହିଳା ମନ୍ତ୍ରୀ। ମୋଦୀ ସରକାର-୧ରେ ନିର୍ମଳା ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ବ ସୁଚାରୁ ରୂପେ ତୁଲାଇଛନ୍ତି। ତେଣୁ ମୋଦୀ ଅର୍ଥ ବିଭାଗ ଭଳି ଗୁରୁ ଦାୟିତ୍ବ ତାଙ୍କ ହାତରେ ଦେଇଛନ୍ତି।
ନିର୍ମଳା ୧୯୫୯ ଅଗଷ୍ଟ ୧୮ରେ ତାମିଲନାଡ଼ୁର ତିରୁଚିରାପଲିରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ଭାରତୀୟ ରେଳ ବିଭାଗରେ କର୍ମଚାରୀ ଥିଲେ ଏବଂ ମା’ ଜଣେ ଗୃହିଣୀ। ମାଡ୍ରାସ ଏବଂ ତିରୁଚିରାପଲିରେ ସୀତାରମଣ ସ୍କୁଲ୍ ଶିକ୍ଷା ଗ୍ରହଣ କରିଛନ୍ତି। ଜେଏନ୍ୟୁରେ ସେ ଅର୍ଥନୀତିରେ ଏମ୍ଏ କରିଛନ୍ତି। ୨୦୦୮ରେ ସୀତାରମଣ ବିଜେପିରେ ଯୋଗ ଦେଲେ। ବିଜେପିର ଜାତୀୟ କାର୍ଯ୍ୟକାରିଣୀ ପରିଷଦରେ ସୀତାରମଣ ଯୋଗ ଦେବାପରେ ତାଙ୍କୁ ୨୦୧୦ରେ ବିଜେପିର ଜାତୀୟ ମୁଖପାତ୍ର ଦାୟିତ୍ବ ମିଳିଲା। ୨୦୧୪ରେ ସୀତାରମଣ ମୋଦୀଙ୍କ କ୍ୟାବିନେଟ୍ରେ ଜଣେ କନିଷ୍ଠ ମନ୍ତ୍ରୀଭାବେ ସାମିଲ ହେଲେ। ସୀତାରମଣ ମଧ୍ୟ ଇନ୍ଦିରାଙ୍କ ପରେ ଦ୍ବିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ନିର୍ମଳା ଏବେ ସଂସଦରେ କର୍ଣ୍ଣାଟକରୁ ରାଜ୍ୟସଭା ସଦସ୍ୟ ଅଛନ୍ତି । ୨୦୧୪ରେ ସେ ଆନ୍ଧ୍ରପ୍ରଦେଣରୁ ରାଜ୍ୟସଭା ସାଂସଦ ନିର୍ବାଚିତ ହୋଇଥିଲେ। ତେବେ ରାଜନୀତିରେ ପାଦ ଦେବା ପୂର୍ବରୁ ନିର୍ମଳା ପ୍ରଥମେ ଲଣ୍ଡନ୍ର ଏକ ହୋମ୍ ଡେକୋର ଷ୍ଟୋର୍ ‘ହାବିଟାଟ୍’ରେ ଜଣେ ‘ସେଲ୍ସ ଓମ୍ୟାନ୍’ ଭାବେ କାମ କରିଥିଲେ। ବ୍ରିଟେନ୍ରେ ସେ କୃଷି ଇଞ୍ଜିନିୟର୍ସ ସଂଘର ଜଣେ ଅର୍ଥନୀତିଜ୍ଞଙ୍କ ସହଯୋଗୀ ଭାବେ କାମ କରିଥିଲେ। ବିବିସି ୱାର୍ଲ୍ଡ ସର୍ଭିସ୍ରେ ମଧ୍ୟ ସେ ଜଣେ ବରିଷ୍ଠ ମ୍ୟାନେଜର ଭାବେ କାର୍ଯ୍ୟ କରିଛନ୍ତି। ଜାତୀୟ ମହିଳା କମିସନ୍ରେ ମଧ୍ୟ ସେ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/nirmala.jpg)