ୟାଙ୍ଗୁନ : ଭାରତର ପଡ଼ୋଶୀ ଦେଶ ମିଆମାରରେ ସାମରିକ ବିଦ୍ରୋହ ପରେ ସେନା ପକ୍ଷରୁ ପ୍ରମୁଖ ନେତାମାନଙ୍କୁ ଟାର୍ଗେଟ କରାଯାଉଛି । ଅନେକ ନେତାଙ୍କ ବିରୁଦ୍ଧରେ ମିଛ କେସ ଲଗାଯାଇ ସେମାନଙ୍କୁ ଗିରଫ କରାଯାଉଛି । ବେଆଇନଭାବେ ଟେଲିକମ ଉପକରଣ ଆମଦାନୀ ଅଭିଯୋଗରେ ମିଆମାରର ସର୍ବୋଚ୍ଚ ନେତ୍ରୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ଅଙ୍ଗ୍ ସାନ ସୁ କୀଙ୍କୁ ପୁଲିସ ମାମଲା ରୁଜ୍ଜୁ କରିଛି । ତଦନ୍ତ ପାଇଁ ତାଙ୍କୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଅଟକ ରଖାଯିବ ।
ପୁଲିସ ଏଫଆଇଆରରେ କୁହାଯାଇଛି ଯେ ରାଜଧାନୀ ନାଇପିଡୋଠାରେ ଥିବା ୭୫ ବର୍ଷୀୟ ନେତ୍ରୀଙ୍କ ଘରୁ ବିଦେଶୀ ଓ୍ବାକିଟକି ରେଡିଓ ମିଳିଛି । ବେଆଇନ ଭାବେ ଏସବୁ ସାମଗ୍ରୀ ଆମଦାନୀ କରି ବ୍ୟବହାର କରାଯାଉଥିଲା ।
ଅନ୍ୟପକ୍ଷରେ ମିଆମାରର ବିତାଡ଼ିତ ରାଷ୍ଟ୍ରପତି ଓ୍ବିନ ମିଣ୍ଟଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜ୍ଜୁ କରାଯାଇଛି । ସେ ଦେଶର ବିପର୍ଯ୍ୟୟ ପରିଚାଳନା ଆଇନର ଦୁରୁପଯୋଗ କରିଥିବା ଅଭିଯୋଗ ହେଉଛି ।
ସୁ କୀ ମିଆମାରର ଜଣେ ଅତି ଲୋକପ୍ରିୟ ନେତ୍ରୀଭାବେ ପରିଚିତ । ସେ ମିଆମାରରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ବିଗତ କିଛି ଦଶନ୍ଧି ଧରି ଆନ୍ଦୋଳନ କରିଆସୁଥିଲେ । ଏଥିପାଇଁ ସେ ୧୯୮୯ରୁ ୨୦୧୦ ପର୍ଯ୍ୟନ୍ତ ଜେଲରେ ଥିଲେ । ଗତ ନଭେମ୍ବର ୮ରେ ମିଆମାରରେ ହୋଇଥିବା ନିର୍ବାଚନରେ ସୁ କୀଙ୍କ ଦଳ ଏନଏଲଡି ବିଜୟୀ ହୋଇଥିଲା । କିନ୍ତୁ ଏହି ନିର୍ବାଚନରେ ଜାଲିଆତି ହୋଇଥିବା ଦର୍ଶାଇ ସେନା କ୍ଷମତା ଅକ୍ତିଆର କରିନେଇଛି ।