ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ପତ୍ନୀଙ୍କୁ ଡାକ୍ତରଖାନା ନେବା ବାଟରେ କାରରେ ଘଟିଲା ଅଗ୍ନିକାଣ୍ଡ; ଦମ୍ପତି ମୃତ

କନ୍ନୁର: କେରଳର କନ୍ନୁରରେ ଆଜି (ଗୁରୁବାର) ସକାଳେ ଘଟିଥିବା ଏକ ଦୁଃଖଦ ଘଟଣାରେ ଡାକ୍ତରଖାନା ଯିବା ବାଟରେ ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କ ସ୍ୱାମୀ ଜୀବନ୍ତ ଜଳିଯାଇଛନ୍ତି।

ରିପୋର୍ଟରୁ ପ୍ରକାଶ, ୨୬ ବର୍ଷ ବୟସ୍କା ରିଶା ପ୍ରସବ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କ ସ୍ୱାମୀ ୩୫ ବର୍ଷ ବୟସ୍କା ପୃଜିଥ ତାଙ୍କୁ ନିଜ ମାରୁତି ଏସ-ପ୍ରେସୋ କାରରେ ନେଇ ଜିଲ୍ଲା ଡାକ୍ତରଖାନାକୁ ଯାଉଥିଲେ। ସ୍ୱାମୀ ଓ ସ୍ତ୍ରୀ କାରର ଆଗ ସିଟ୍‌ରେ ବସିଥିବା ବେଳେ ପଛ ସିଟ୍‌ରେ ଜଣେ ଶିଶୁ ସମେତ ୪ ଜଣ ବସିଥିଲେ। ତେବେ, ଡାକ୍ତରଖାନା ଯିବା ବାଟରେ କାରଟିରେ ଅଚାନକ ନିଆଁ ଲାଗି ଯାଇଥିଲା। କାରରେ ନିଆଁ ଲାଗିଯିବା ପରେ ପଛ ସିଟରେ ବସିଥିବା ଚାରିଜଣ କାର ଭିତରୁ ବାହାରକୁ ବାହାରି ଆସିଥିଲେ। କିନ୍ତୁ ସାମ୍ନାରେ ବସିଥିବା ଦମ୍ପତି କବାଟ ଖୋଲି ପାରି ନଥିଲେ ଏବଂ କାରରେ ନିଆଁ ଲାଗିବା ପରେ କାର ଭିତରେ ଫସି ଯାଇଥିଲେ। ଅଗ୍ନିଶମ କର୍ମଚାରୀ ଏବଂ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କଲାବେଳକୁ ସେମାନଙ୍କର ଦେହାନ୍ତ ହୋଇ ସାରିଥିଲା।

ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ସେମାନେ ଦମ୍ପତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ କରିପାରି ନଥିଲେ। ସେମାନେ କହିଛନ୍ତି ଯେ କାରଟି ନିଆଁରେ ଜଳୁଥିବା ବେଳେ କିଛି ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ପରେ ସ୍ଥାନୀୟ ଲୋକମାନେ କାର ଆଡକୁ ଦୌଡିଥିଲେ। କିନ୍ତୁ କାଳେ କାର ବିସ୍ଫୋରଣ ହେବ ସେଇ ଭୟରେ ପଛଘୁଞ୍ଚା ଦେଉଥିଲେ। ସେହି ସମୟରେ ଆମେ ସମ୍ପୂର୍ଣ୍ଣ ଅସହାୟ ଥିଲୁ। କାରଣ କାରର ସମ୍ମୁଖ ପାର୍ଶ୍ୱ ନିଆଁରେ ଜଳି ଯାଇଥିଲା। ଆମେ ସେମାନଙ୍କୁ ବଞ୍ଚାଇବା ପାଇଁ ଅଧିକ କିଛି କରିପାରିଲୁ ନାହିଁ କାରଣ ଆମେ ଭୟ କରୁଥିଲୁ ଯେ କାରର ତେଲ ଟାଙ୍କିରେ ଯେକୌଣସି ସମୟରେ ବିସ୍ଫୋରଣ ହେବ ବୋଲି!

କନ୍ନୁର ପୁଲିସ କମିଶନର ଅଜିତ କୁମାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ କାରରେ କାହିଁକି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବିଶେଷଜ୍ଞଙ୍କ ସାହାଯ୍ୟରେ କାରର ଯାଞ୍ଚ କରାଯିବା ପରେ ଆମେ ଏକ ସ୍ପଷ୍ଟ ଚିତ୍ର ପାଇବାରେ ସକ୍ଷମ ହେବୁ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର