ଭୁଲ୍‌‌ରେ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଆସିଥିବା ୪୦ ଲକ୍ଷ ଟଙ୍କାକୁ ଖର୍ଚ୍ଚ କରି ଜେଲ ଗଲେ ଦମ୍ପତି 

ତ୍ରିପୁରା : ୨୦୧୨ରେ ତ୍ରିପୁରାର ଜଣେ ଏଲ୍‌ଆଇସି ଏଜେଣ୍ଟ୍‌ ଭି ଗୁନାସେକରନ୍‌ଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଯେତେବେଳେ ଭୁଲ୍‌ରେ ୪୦ ଲକ୍ଷ ଟଙ୍କା ଜମା ହୋଇଥିଲା ସେ ସମୟରେ ସେ ଖୁସିରେ ଆତ୍ମହରା ହୋଇ ତୁରନ୍ତ ଅନେକ ଯୋଜନା କରିଥିଲେ। ଏତେଗୁଡ଼ିଏ ଟଙ୍କା ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ କେମିତି ଆସିଲା ତାହା ଜାଣିବା ପରିବର୍ତ୍ତେ ଗୁନାସେକରନ୍‌ ଏବଂ ତାଙ୍କ ପତ୍ନୀ ରାଧା ବିଭିନ୍ନ ବିଳାସପୂର୍ଣ୍ଣ ସାମଗ୍ରୀ ଏବଂ ଜମି କିଣି ଏହି ଟଙ୍କା ଉଡ଼ାଇଥିଲେ। ଏଥିରେ ଧୁମ୍‌ଧାମ୍‌ରେ ଝିଅ ବାହାଘର ମଧ୍ୟ କରିଦେଲେ। କିନ୍ତୁ ଶେଷରେ ଆଇନର ଲମ୍ବା ହାତ ତାଙ୍କ ନିକଟରେ ପହଞ୍ଚିଥିଲା। ବିଳମ୍ବରେ ହେ‌ଲେ ବି ଗୁନାସେକରନ୍‌ ତାଙ୍କ ଭୁଲ୍‌ ପାଇଁ ଏବେ ସଜା ଭୋଗୁଛନ୍ତି। ଏବେ ଗୁନାସେକରନ୍‌ ଏବଂ ତାଙ୍କ ପତ୍ନୀ ରାଧାଙ୍କୁ କୋର୍ଟ ୩ ବର୍ଷ ଜେଲ୍‌ଦଣ୍ଡ‌ ଦେଇଛନ୍ତି।

ଗୁନା‌ସେକରନ୍‌ଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଭୁଲ୍‌ରେ ଜମା ହୋଇଥିବା ୪୦ ଲକ୍ଷ ଟଙ୍କା ବାସ୍ତବ‌ରେ ଏମ୍‌ପିଲାଡ୍‌ ଯୋଜନା ଅଧୀନରେ ଏକ ବିକାଶମୂଳକ କାର୍ଯ୍ୟପାଇଁ ପିଡବ୍ଲ୍ୟୁଡି (ପୂର୍ତ୍ତ ବିଭାଗ)କୁ ଯିବାର ଥିଲା। କିନ୍ତୁ ପିଡବ୍ଲ୍ୟୁଡି କର୍ତ୍ତୃପକ୍ଷ ପିଡବ୍ଲ୍ୟୁଡିର ଜଣେ ଏକ୍‌ଜିକ୍ୟୁଟିଭ୍‌ ଇଂଜିନିୟରଙ୍କ ଆକାଉଣ୍ଟ୍‌ ନମ୍ବର ଦେବା ପରିବର୍ତ୍ତେ ଭୁଲ୍‌ରେ ଗୁନାସେନକରଙ୍କ ଆକାଉଣ୍ଟ୍‌ ନମ୍ବର ଦେଇଥିଲେ। ତ୍ରିପୁରା ସମବାୟ ବ୍ୟାଙ୍କ୍‌ର ମୁଖ୍ୟ ଶାଖାରେ ଗୁନାସେକରନ୍‌ଙ୍କର ଏକ ସେଭିଙ୍ଗ୍‌ସ ଆକାଉଣ୍ଟ୍‌ ଅଛି। ଏଠାରେ ପିଡବ୍ଲ୍ୟୁଡି ନିର୍ବାହୀ ଯନ୍ତ୍ରୀଙ୍କର ମଧ୍ୟ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଥିଲା। ତେବେ ଭୁଲ୍‌ରେ ଗୁନାସେକରନ୍‌ଙ୍କ ଆକାଉଣ୍ଟ୍‌କୁ ୪୦ ଲକ୍ଷ ଟଙ୍କା ଚାଲିଯାଇଥିଲେ ମଧ୍ୟ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଏହା ଜାଣି ପାରିନଥିଲେ। ପ୍ରାୟ ୮ ମାସ ପରେ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଏବିଷୟରେ ଅବଗତ ହେବାପରେ ସମବାୟ ବ୍ୟାଙ୍କ୍‌ ଅଧିକାରୀଙ୍କ ସହଯୋଗ ଲୋଡ଼ିଥିଲେ। ବ୍ୟାଙ୍କ୍‌ ଅଧିକାରୀମାନେ ଗୁନାସେକରନ୍‌ଙ୍କ ଆକାଉଣ୍ଟ୍‌ ବାଲାନ୍ସ ଚେକ୍‌ କରିବାପରେ ଜାଣିଥିଲେ ଯେ ସମସ୍ତ ୪୦ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟ୍‌କୁ ଯାଇଛି ଏବଂ ସେ ସବୁ ଟଙ୍କା ଉଠାଇ ନେଇଛନ୍ତି। ସମବାୟ ବ୍ୟାଙ୍କ୍‌ର ବରିଷ୍ଠ ଅଧିକାରୀମାନେ ପରେ ଗୁନାସେକରନ୍‌ଙ୍କୁ ଏହି ଟଙ୍କା ପୁନଃ ଜମା କରିବାପାଇଁ ଅନୁରୋଧ କରିଥିଲେ। କିନ୍ତୁ ଗୁନା‌ସେକରନ୍‌ ଟଙ୍କା ଜମା କରିନଥିଲେ । ଏହି ମାମଲାରେ ଏବେ ଗୁନାସେକରନ୍‌ ଏବଂ ତାଙ୍କ ପତ୍ନୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି।

ସମ୍ବନ୍ଧିତ ଖବର