କୌଣସି ଭୁଲ ନଥିଲେ ବି ବାଂଲାଦେଶୀ ସନ୍ଦେହରେ ୩୦୧ ଦିନ ଜେଲରେ ରହିଲେ ପଶ୍ଚିମବଙ୍ଗର ଦମ୍ପତି

ବେଙ୍ଗାଲୁରୁ: ପେଟପାଟଣା ପାଇଁ ପଶ୍ଚିମବଙ୍ଗରୁ ସୁଦୂର କର୍ଣ୍ଣାଟକ ଯାଇଥିବା ଦମ୍ପତିଙ୍କୁ ସନ୍ଦେହରେ ୩୦୧ ଦିନ ଜେଲରେ କାଟିବାକୁ ପଡିଛି | ମିଳିଥିବା ସୂଚନା ମୁତାବକ ଏହି ଦମ୍ପତିଙ୍କର କୌଣସି ଭୁଲ ନଥିବା ସତ୍ତ୍ୱେ ବାଂଲାଦେଶୀ ସନ୍ଦେହରେ ସେମାନଙ୍କୁ ଜେଲରେ ରଖାଯାଇଥିଲା | ଜୁଲାଇ ୨୦୨୨ ମସିହାରୁ ଏମାନେ ଜେଲରେ ଥିବାବେଳେ ଏବେ ସେମାନଙ୍କୁ ଜାମିନ ମିଳିଛି | ଏହି ଦମ୍ପତି ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନର ଯମାଲପୁର ଅଞ୍ଚଳର ହୋଇଥିବାବେଳେ ଏମାନେ ନିଜ ଛୁଆ ସହ ଦାଦନ ଖଟିବାକୁ କର୍ଣ୍ଣାଟକର ବେଙ୍ଗାଲୁରୁ ଯାଇଥିଲେ |

ତେବେ ସେଠାକାର ପୁଲିସ ଏମାନଙ୍କୁ ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି ସନ୍ଦେହ କରି ମାମଲା ରୁଜୁ କରିଥିଲା | ଏହି ଦମ୍ପତି ଅନେକ ଥର ପୁଲିସକୁ ବାଂଲାଦେଶୀ ଅନୁପ୍ରବେଶକାରୀ ନୁହେଁ ବୋଲି କହିଥିଲେ ବି ପୁଲିସ ଏମାନଙ୍କ କଥା ଶୁଣିନଥିଲା | ପୁଲିସ ଏମାନଙ୍କ ବିରୋଧରେ ବିଦେଶୀ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରିଥିଲା |

ଏହାପରେ ବେଙ୍ଗାଲୁରୁ ପୁଲିସର ଏକ ଟିମ ପୂର୍ବ ବର୍ଦ୍ଧମାନକୁ ଯାଇ ଯାଞ୍ଚ କରିଥିଲା | ସେଠାରେ ପୁଲିସ ସ୍ଥାନୀୟ ଲୋକଙ୍କଠାରୁ ତଥ୍ୟ ହାସଲ ସହ ଦସ୍ତାବିଜ ଯାଞ୍ଚ କରିଥିଲା | ଏହାପରେ ପୁଲିସ ଚାର୍ଜସିଟ ଦାଖଲ କରିଥିଲା | ତେବେ ଉକ୍ତ ଦମ୍ପତିଙ୍କ ଜଣେ ସମ୍ପର୍କୀୟ ଏବାବଦରେ ଜାଣିବା ପରେ ବେଙ୍ଗାଲୁରୁରେ ପହଞ୍ଚି ଜାମିନ ପାଇଁ ଆବେଦନ କରିଥିଲେ | ଆଉ ଶେଷରେ ସେମାନଙ୍କୁ ଜାମିନ ମିଳିଛି |

ସମ୍ବନ୍ଧିତ ଖବର