ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଅଭାବନୀୟ ଘଟଣାକ୍ରମରେ ଏକ ଦମ୍ପତି ସେମାନଙ୍କ ୨ ଶିଶୁଙ୍କୁ ବିଷ ଦେଇ ମାରିବାପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ପୁଲିସ ଅନୁଯାୟୀ ଅନୁପ କୁମାର (୩୮) ଏବଂ ତାଙ୍କ ପତ୍ନୀ ରାକ୍ଷୀ (୩୫) ସେମାନଙ୍କ ଭଡ଼ାଘରେ ନିଜର ୨ ପିଲାଙ୍କୁ ବିଷ ଦେଇ ମାରିଦେବାପରେ ନିଜେ ଝୁଲି ପଡ଼ିଥିଲେ। ସମସ୍ତ ୪ ଜଣ ସଦସ୍ୟ ଉତ୍ତରପ୍ରଦେଶର। ସେମାନେ ଗତ ୨ ବର୍ଷ ହେବ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନିରେ ସଫ୍ଟୱେୟାର କନସଲଟାଣ୍ଟ୍ ଭାବେ କାମ କରୁଥିଲେ। ଆଜି ସକାଳେ ଅନୁପଙ୍କ ଘରେ କାମ କରୁଥିବା ଘରୋଇ ସହାୟକ ଆସି କଲିଂ ବେଲ୍ ମାରିବାପରେ କୌଣସି ଉତ୍ତର ମିଳିନଥିଲା। ଘରୋଇ ସହାୟକ ଏହାପରେ ପଡ଼ୋଶୀରେ ଜଣାଇଥିଲେ ଏବଂ ସେମାନେ ପରେ ଏହି କଥା ପୁଲିସରେ ଅବଗତ କରିଥିଲେ।
ଘରକୁ ପ୍ରବେଶ କରିବାପରେ କର୍ତ୍ତୃପକ୍ଷ ଦମ୍ପତି ଏବଂ ସେମାନଙ୍କ ପିଲାମାନଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ। ଅନୁପଙ୍କ ୨ ପିଲାଙ୍କ ମଧ୍ୟରୁ ଜଣଙ୍କ ବୟସ ୨ ବର୍ଷ ଏବଂ ଅନ୍ୟ ଜଣଙ୍କର ୫ ବର୍ଷ। ଏଭଳି ଚରମ ପଦକ୍ଷେପର କାରଣ କ’ଣ ଜଣାପଡ଼ିନି। କେନ୍ଦ୍ରୀୟ ଡିସିପି ଶେଖର ଏଚ୍ ଟେକ୍କନଭର କହିଛନ୍ତି, ସେମାନେ ଏହି ଘଟଣା ସଂକ୍ରାନ୍ତରେ ଅନୁପ କୁମାରଙ୍କ ସମ୍ପର୍କୀୟଙ୍କୁ ଅବଗତ କରିଛନ୍ତି। ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/07/7pAspEc7bJrwwk1UNAnf.jpg)