ନୂଆଦିଲ୍ଲୀ: 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍' ମାମଲାରେ ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ରଣବୀରଙ୍କୁ ସୋ’ କରିବାକୁ ଅନୁମତି ଦେଇଛନ୍ତି। ରଣବୀରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଥିଲା। ଶୁଣାଣି ପରେ ଏହି ରାୟ ଶୁଣାଇଛନ୍ତି କୋର୍ଟ।

Advertisment

'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍' ସୋ'ରେ ଆଲ୍ଲାବାଦିଆଙ୍କ ଅଶ୍ଳୀଳ ପ୍ରଶ୍ନ ପରେ, ସୁପ୍ରିମକୋର୍ଟ ଫେବ୍ରୁଆରି ୧୮ରେ ତାଙ୍କ ଉପରେ କୌଣସି ସୋ' ପ୍ରସାରଣ କରିବା ନେଇ ବାରଣ କରିଥିଲେ ଏବଂ ମହାରାଷ୍ଟ୍ର, ରାଜସ୍ଥାନ ଓ ଆସାମ ପୁଲିସ ଦ୍ୱାରା ଦାଖଲ କରାଯାଇଥିବା ଏକାଧିକ ଏଫଆଇଆର ଆଧାରରେ ଗିରଫଦାରୀରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିଥିଲେ।

ସୋ' ପ୍ରସାରଣ କରିବା ନେଇ ବାରଣ କରାଯିବା ପରେ ଆଲ୍ଲାହାବାଦିଆ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ ଯେ, "ତାଙ୍କର ୨୮୦ ଜଣ କର୍ମଚାରୀ ଅଛନ୍ତି। ⁠ଏହା ସେମାନଙ୍କ ଜୀବିକାର କଥା। ସୋ’ର ପ୍ରସାରଣ ବନ୍ଦ ହେଲେ ସେମାନଙ୍କ ପରିବାର କିଭଳି ଚଳିବ।" ତ‌ାଙ୍କର ଏଭଳି ଆବେଦନ ପରେ ଆଜି ତାଙ୍କୁ ସୋ’ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ।

ଶୁଣାଣି ବେଳେ ରଣବୀର ଆଲ୍ଲାହାବାଦିଆଙ୍କୁ ତାଗିଦ୍ କରି କୋର୍ଟ କହିଥିଲେ, "ସମଗ୍ର ପରିବାର ଦେଖିପାରିବା ଭଳି କମେଡି ସୋ’ ହେବା ଉଚିତ୍।। ଏହା ହେଉଛି ପ୍ରତିଭା। ଖରାପ ଭାଷା ବ୍ୟବହାର କରିବା ପ୍ରତିଭା ନୁହେଁ। ଅଶ୍ଳୀଳ ଭାଷାର ପ୍ରୟୋଗ ନକରିବା ହେଉଛି ଅସଲି ସୃଜନଶୀଳତା ଏବଂ ପ୍ରତିଭା। କହିବାର ସ୍ବାଧୀନତା ରହିଛି, ତା’ର ଅର୍ଥ ନୁହେଁ ଯେ କେହି କିଛି ବି କହିପାରିବେ।।"