‘ଶୁଭସମୟ’ ନାହିଁ କହି ୧୧ ବର୍ଷ ଧରି ସ୍ୱାମୀଙ୍କ ପାଖକୁ ଯାଉନଥିଲେ ପତ୍ନୀ, କୋର୍ଟ ତୁରନ୍ତ ମଞ୍ଜୁର କରିଦେଲେ ଛାଡପତ୍ର

ରାୟପୁର: ଶୁଭସମୟ ନଥିବା କହି ୧୧ ବର୍ଷ ଧରି ଶାଶୂଘର ଯାଉନଥିଲେ ମହିଳା | ଆଉ ମହିଳଙ୍କର ଏହି ବାହାନା ଉପରେ କୋର୍ଟ ଅସନ୍ତୋଷ ପ୍ରକାଶ କରି ତୁରନ୍ତ ଛାଡପତ୍ରକୁ ମଞ୍ଜୁର କରିଦେଇଛନ୍ତି | ଛତିଶଗଡ ହାଇକୋର୍ଟ ଏକ ଅଜବ ମାମଲାରେ ଛାଡପତ୍ର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ଜଣେ ମହିଳା ଶୁଭସମୟ ନଥିବା କହି ୧୧ ବର୍ଷ ପର୍ଯ୍ୟନ୍ତ ତାଙ୍କ ଶାଶୁଘରକୁ ଯାଉନଥିଲେ | ଏଥି ସହିତ, ଆବେଦନ ଉପରେ ଶୁଣାଣି ବେଳେ କୋର୍ଟ ଏତେ ଦିନ ପର୍ଯ୍ୟନ୍ତ ସ୍ୱାମୀଙ୍କଠାରୁ ଦୂରେଇ ରହିବା ମାମଲାକୁ ପରିତ୍ୟାଗ ମାମଲା ବୋଲି ବିଚାର କରିଛନ୍ତି। ଜଷ୍ଟିସ ଗୌତମ ଭଦୁରୀ ଏବଂ ରଜନୀ ଦୁବେଙ୍କ ଖଣ୍ଡପୀଠ କହିଛନ୍ତି ଯେ ଶୁଭ ସମୟ ଗୋଟିଏ ପରିବାରର ଖୁସିର ସମୟ ପାଇଁ ହୋଇଥାଏ । ଆଉ ଏହି ଶୁଭ ସମୟକୁ ପତ୍ନୀଙ୍କ ବିବାହରେ ଏକ ପ୍ରତିବନ୍ଧକ ସାଧନ ଭାବରେ ବ୍ୟବହାର କରାଯାଇଛି | ଏଥିସହ କୋର୍ଟ କହିଛନ୍ତି ଯେ ଏହା ହିନ୍ଦୁ ବିବାହ ଆଇନ ଅନୁଯାୟୀ ଏହି ବିବାହର କୌଣସି ଅର୍ଥ ନାହିଁ ଏବଂ ଛାଡପତ୍ରକୁ ମଧ୍ୟ ଅନୁମୋଦନ କରାଯାଇଛି।

ବାସ୍ତବରେ ଆବେଦନକାରୀ ସନ୍ତୋଷ ସିଂ ପୂର୍ବରୁ ଛାଡ଼ପତ୍ର ପାଇଁ ପରିବାର କୋର୍ଟରେ ଆବେଦନ କରିଥିଲେ ବି ଏହାକୁ ଖାରଜ କରିଦିଆଯାଇଥିଲା | ଏହା ପରେ ସେ ହାଇକୋର୍ଟକୁ ଯାଇଥିଲେ। ଆବେଦନ ଅନୁଯାୟୀ, ସନ୍ତୋଷ ସିଂ ଜୁଲାଇ ୨୦୧୦ରେ ବିବାହ କରିଥିଲେ। ସେ ତାଙ୍କ ପତ୍ନୀଙ୍କ ସହ ୧୧ ଦିନ ରହିଥିଲେ । ଏହା ପରେ ପତ୍ନୀଙ୍କ ପରିବାର ସଦସ୍ୟ ଆସି କିଛି ଗୁରୁତ୍ୱପୂର୍ଣ୍ଣ କାମ ଥିବାର କହି ନେଇଯାଇଥିଲେ | ଏହା ପରେ ସ୍ୱାମୀ ତାଙ୍କୁ ଦୁଇଥର ତାଙ୍କ ଘରୁ ନିଜ ଘରକୁ ଆଣିବାକୁ ଚେଷ୍ଟା କରିଥିଲେ | କିନ୍ତୁ ଏହା ଶୁଭ ସମୟ ନୁହେଁ ବୋଲି କହି ପତ୍ନୀ ଆସିବାକୁ ମନା କରି ଦେଇଥିଲେ ।

କିନ୍ତୁ ଯେତେବେଳେ ଶୁଭ ସମୟ ଆରମ୍ଭ ହେଲା, ସ୍ୱାମୀ ଆଉ ନେବାକୁ ଆସିନଥିଲେ | ମହିଳାଙ୍କ କହିବା କଥା ଯେ ପ୍ରଥା ଅନୁଯାୟୀ ସ୍ୱାମୀ ତାଙ୍କୁ ଆସି ନେବାର ଥିଲା | ଏହାକୁ ନେଇ ପତ୍ନୀଙ୍କ ଓକିଲ କୋର୍ଟରେ ନିଜର ପକ୍ଷ ଉପସ୍ଥାପନ କରିବାବେଳେ କହିଥିଲେ ଯେ ଉଭୟ ପକ୍ଷ ମଧ୍ୟରେ ପ୍ରଚଳିତ ପ୍ରଥା ମୁତାବକ ସ୍ୱାମୀଙ୍କୁ ଆସିବାର ଥିଲା | ଯେହେତୁ ସ୍ୱାମୀ ଆସିନଥିଲେ, ତେଣୁ ପତ୍ନୀ ଯାଇପାରିଲେ ନାହିଁ | ଏଭଳି ପରିସ୍ଥିତିରେ କୋର୍ଟ ଏହି ବିବାହକୁ ରଦ୍ଦ କରି ହିନ୍ଦୁ ବିବାହ ଆଇନର ଧାରା ୧୩ (ଆଇବି) ଅନୁଯାୟୀ ଛାଡପତ୍ରର ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି। ଏହା ସହିତ କୋର୍ଟ ତାଙ୍କ ନିର୍ଦ୍ଦେଶରେ ମଧ୍ୟ କହିଛନ୍ତି ଯେ ସୂଚନା ଅନୁଯାୟୀ ପତ୍ନୀ ସ୍ୱାମୀକୁ ସଂପୂର୍ଣ୍ଣ ଛାଡ଼ିଦେଇଛନ୍ତି, ତେଣୁ ଛାଡପତ୍ର ହେଉଛି ସ୍ୱାମୀଙ୍କର ଅଧିକାର |

ସମ୍ବନ୍ଧିତ ଖବର