ଅଦାଲତ ଅବମାନନା ମାମଲା: କ୍ଷମା ପ୍ରାର୍ଥନା ପାଇଁ ମନା କଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି ପ୍ରଶାନ୍ତ ଭୂଷଣ ରୋକ୍‌ଠୋକ୍‌ ମନା କରିଦେଇଛନ୍ତି। ଗଣତନ୍ତ୍ରରେ ବାକ୍‌ ସ୍ବାଧୀନତା ଆଧାରରେ ସେ ଟ୍ବିଟ୍‌ କରିଥିଲେ। କୋର୍ଟଙ୍କ ଗରିମା କ୍ଷୁଣ୍ଣ ହେଲାଭଳି ସେ କିଛି ବି ଟ୍ବିଟ୍‌ କରି ନଥିଲେ। ଅପରପକ୍ଷେ, ଗତ ଫେବ୍ରୁଆରି ଦଙ୍ଗାରେ ଉତ୍ତର-ପୂର୍ବ ଦିଲ୍ଲୀ ଜଳୁଥିବାବେଳେ ସର୍ବୋଚ୍ଚ ନ୍ୟାୟାଳୟ ଦେଖଣାହାରୀ ପାଲଟିଥିଲା ବୋଲି ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମ୍‌ କୋର୍ଟଙ୍କୁ ଆରୋପ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଶାନ୍ତ ଭୂଷଣ ଦୁଇଟି ଟ୍ବିଟ୍‌ କରିଥିଲେ, ଯାହାକୁ ଅଦାଲତ ଅବମାନନା ଦର୍ଶାଇ ସୁପ୍ରିମ୍‌ କୋର୍ଟ ତାଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ ଜାରି କରିଥିଲେ। ଅପରପକ୍ଷେ, ‘ଅଦାଲତ ଅବମାନନା ଆଇନ’କୁ ଚ୍ୟାଲେଞ୍ଜ କରି ବରିଷ୍ଠ ସାମ୍ବାଦିକ ଏନ୍‌. ରାମ, ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ସୌରୀ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ୧୯୭୧ ମସିହାରେ ଏହି ଅଦାଲତ ଅବମାନନା ଆଇନ ଯୋଗୁଁ ବାକ୍‌ ସ୍ବାଧୀନତା କ୍ଷୁଣ୍ଣ ହେଉଛି ବୋଲି ଏମାନେ ଦର୍ଶାଇଛନ୍ତି। ଅଦାଲତ ଅବମାନନା ଆଇନ ସମ୍ପୂର୍ଣ୍ଣ ଅସମ୍ବିଧାନିକ ଏବଂ ଏହା ସମ୍ବିଧାନର ମୌଳିକ ଢାଞ୍ଚାକୁ ବିରୋଧ କରୁଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଏହି ଆଇନରେ ଥିବା କେତେକ ପ୍ରାବଧାନକୁ ରଦ୍ଦ କରିବାକୁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହି ଆଇନରେ ଥିବା ଉପ ଧାରା ସମ୍ବିଧାନ ମୁଖବନ୍ଧ ମୂଲ୍ୟବୋଧ ବିରୋଧୀ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହା ବ୍ୟତୀତ ପ୍ରଶାନ୍ତ ଭୂଷଣଙ୍କ ସମର୍ଥନରେ ସୁପ୍ରିମ୍‌ କୋର୍ଟର କେତେଜଣ ପୂର୍ବତନ ବିଚାରପତିଙ୍କ ସମେତ ୧୩୧ ଜଣ ବିଶିଷ୍ଟ ବ୍ୟକ୍ତି ଯଥା ‌ହାଇକୋର୍ଟର ପୂର୍ବତନ ବିଚାରପତି, ଲେଖକ, ସାମ୍ବାଦିକ, ପୂର୍ବତନ ସରକାରୀ ଅଧିକାରୀ, ବୁଦ୍ଧିଜୀବୀମାନେ ବାହାରିଥିଲେ। ଏମାନେ ଏକ ଲିଖିତ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ମାଧ୍ୟମରେ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲାକୁ ବିରୋଧ କରିବା ସହ ଏଭଳି ନୋଟିସକୁ ପ୍ରତ୍ୟାହାର କରିନେବାକୁ ସୁପ୍ରିମ କୋର୍ଟଙ୍କୁ ନିବେଦନ କରିଥିଲେ। ଅପରପକ୍ଷେ, ଏନ୍‌. ରାମ ଏବଂ ଅରୁଣ ସୌରୀଙ୍କ ବିରୋଧରେ ମଧ୍ୟ ପୂର୍ବରୁ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର