ନୂଆଦିଲ୍ଲୀ: ଅନାସ୍ଥା ଭୋଟରେ ସରକାର ପରାଜିତ ହେବା ପରେ ଇମ୍ରାନଙ୍କର ପ୍ରାୟ ସାଢ଼େ ୩ ବର୍ଷ ଶାସନର ଅନ୍ତ ଘଟିଥିଲା। ପାକିସ୍ତାନର ୭୫ ବର୍ଷ ଇତିହାସରେ ଇମ୍ରାନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ଅନାସ୍ଥା ଭୋଟରେ ହାରି ପଦଚ୍ୟୁତ ହୋଇଥିଲେ ବି ଏବେ ତାଙ୍କୁ କୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି। କାରଣ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ବିଭିନ୍ନ ମନ୍ତ୍ରୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ପଞ୍ଜିକରଣ କରିବାକୁ ହୋଇଥିବା ଆବେଦନକୁ ପାକିସ୍ତାନ କୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ଆବେଦନ ଶୁଣାଣି ପାଇଁ ଯୋଗ୍ୟ ନୁହେଁ।

Advertisment

ଖବର ଅନୁଯାୟୀ ଇସଲାମାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଅତହର ମିନଲାହ ଆବେଦନକାରୀ ମୌଲବୀ ଇକବାଲ ହାଇଦରଙ୍କ ଉପରେ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ସେହିପରି ଇମ୍ରାନ ଖାନ ଏବଂ ପୂର୍ବତନ ମନ୍ତ୍ରୀମାନଙ୍କୁ ବିମାନଯାତ୍ରାରେ ପ୍ରତିବନ୍ଧକ ତାଲିକାରେ ସାମିଲ କରିବାକୁ ହୋଇଥିବା ଯାଚିକାକୁ ମଧ୍ୟ ଖାରଜ କରିଦିଆଯାଇଛି |

ସୂଚନା ମୁତାବକ ନିର୍ବାଚନ ସମୟରେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଏବଂ ଅର୍ଥନୀତି ପରିଚାଳନାରେ ବିଫଳ ଅଭିଯୋଗ ତାଙ୍କ ବିରୋଧରେ ସହଯୋଗୀ ଦଳଗୁଡ଼ିକ ପ୍ରଥମେ ଆଣିଥିଲେ। ୩୪୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ୧୭୪ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। ତେବେ ଇମ୍ରାନଙ୍କ ପାକିସ୍ତାନ ତେହେରିକ୍-ଇ-ଇନସାଫ (ପିଟିଆଇ) ଦଳ ଭୋଟିଂ ବେଳେ ସଂସଦରେ ଅନୁପସ୍ଥିତ ଥିଲେ। ଆଉ ଅନାସ୍ଥା ଭୋଟରେ ହାରି ଇମ୍ରାନ ଗାଦିଚ୍ୟୁତ ହୋଇଥିଲେ |