ଏନଆଇସିଇକୁ ନେଇ ଅପମାନ କଲା ଭଳି କଥା କହିଥିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡାଙ୍କୁ ୨କୋଟି ଟଙ୍କା କ୍ଷତିପୂରଣ ଦେବାକୁ କହିଲେ କୋର୍ଟ

ବେଙ୍ଗାଲୁରୁ: ୧୦ ବର୍ଷ ପୂର୍ବେ ଏକ ଟେଲିଭିଜନ ସାକ୍ଷାତକାରରେ କମ୍ପାନି ବିରୋଧରେ ଅପମାନଜନକ ବିବୃତ୍ତି ଦେଇ ଫସିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବ ଗୌଡା | ନନ୍ଦୀ ଇନଫ୍ରାଷ୍ଟ୍ରକ୍ଚର କରିଡର ଏଣ୍ଟରପ୍ରାଇଜେସ୍ (ଏନଆଇସିଇ)କୁ ନେଇ ଦେଇଥିବା ବୟାନ ପାଇଁ ଏବେ କ୍ଷତିପୂରଣ ବାବଦରେ ଦୁଇ କୋଟି ଟଙ୍କା ଦେବାକୁ ଅଦାଲତ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବ ଗୌଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଷ୍ଟମ ସିଟି ସିଭିଲ୍ ଆଣ୍ଡ୍ ସେସନ୍ସ ଜଜ୍ ମଲାନାନଗୌଡା ଏନଆଇସିଇ ଦାଖଲ ହୋଇଥିବା ମକଦ୍ଦମାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି | ଜୁନ ୨୮,୨୦୧୧ରେ ଏକ ଟେଲିଭିଜନ ସାକ୍ଷାତକାରରେ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବ ଗୌଡା ଏନଆଇସିଇକୁ ଅପମାନ କଲା ଭଳି କଥା କହିଥିଲେ | ଏହା ଦ୍ୱାରା କମ୍ପାନିର ଭାବମୂର୍ତ୍ତି ଖରାପ ହେବା ସହ କମ୍ପାନି ହାତକୁ ନେଇଥିବା କାମ ବିଳମ୍ବ ହୋଇଥିଲା | କମ୍ପାନି ଦ୍ୱାରା ହାତକୁ ନିଆଯାଇଥିବା ପ୍ରକଳ୍ପ ଏକ ବୃହତ ପ୍ରକଳ୍ପ ଥିଲା, ଯାହା କର୍ଣ୍ଣାଟକବାସୀଙ୍କ ସ୍ୱାର୍ଥରେ ଥିଲା ବୋଲି କହିଥିଲେ କୋର୍ଟ । କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅପମାନଜନକ ବୟାନ ପାଇଁ ପ୍ରକଳ୍ପ କାମ ବିଳମ୍ବ ହୋଇଥିଲା | ଭବିଷ୍ୟତରେ କେହି ଯେମିତି ରାଜ୍ୟବାସୀଙ୍କ ସ୍ୱାର୍ଥ ପୂରଣ ହେଉଥିବା ପ୍ରକଳ୍ପ କାମ ନେଇଥିବା କମ୍ପାନି ବିରୋଧରେ ଏଭଳି ମନ୍ତବ୍ୟ ନଦିଅନ୍ତି, ସେଥିପାଇଁ ଅଦାଲତ କ୍ଷତିପୂରଣ ବାବଦକୁ ୨କୋଟି ତାଙ୍କ ଦେବାକୁ ଏଚ୍ ଡି ଦେବ ଗୌଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର