ମାନସିକ ରୋଗ ଚିକିତ୍ସା ଲାଗି ହସ୍ପିଟାଲ୍ ପଠାଇବାକୁ ନିର୍ଭୟା ଦୋଷୀ ବିନୟ କରିଥିବା ଆବେଦନ ଖାରଜ

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ମାନସିକ ରୋଗ ଚିକିତ୍ସା ଲାଗି ହସ୍ପିଟାଲ୍ ପଠାଇବାକୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି।  ଆଜି ତିହାର ଜେଲ୍ କର୍ତ୍ତୃପକ୍ଷ ଅଦାଲତରେ ବିନୟ ଶର୍ମାର ସ୍ବାସ୍ଥ୍ୟ ପରୀକ୍ଷା କରି ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ପରେ ତାର ଚିକିତ୍ସା ଆବେଦନକୁ ଅଦାଲତ ନାକଚ କରିଛନ୍ତି।

ପୂର୍ବରୁ ବିନୟର ଓକିଲ୍‌ ଏ ପି ସିଂ ବିନୟକୁ ସିଜୋଫ୍ରେନିଆ ରୋଗୀ ବୋଲି କହିବା ସହ ସେ ମାନସିକ ଭାବେ ଅସୁସ୍ଥ ତେଣୁ ତାକୁ ଚିକିତ୍ସା ଯୋଗାଇ ଦେବା ଦରକାର ବୋଲି ଆବେଦନ କରିଥିଲେ। ତେବେ ଶନିବାର ତିହାର ଜେଲ୍‌ କର୍ତ୍ତୃପକ୍ଷ ଅଦାଲତରେ ଏହାକୁ ଅସ୍ବୀକାର କରିଛନ୍ତି। ବିନୟ ଜାଣି ଜାଣି ନିଜ ମୁଣ୍ଡକୁ ପିଟି ଖଣ୍ଡିଆ କରିବା ସହ ନିଜକୁ ମାନସିକ ସ୍ତରରେ ଦୁର୍ବଳ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଥିବା ସିସିଟିଭି କ୍ୟାମେରାରେ ସ୍ପଷ୍ଟ ରେକର୍ଡ ହୋଇଛି ବୋଲି ଜେଲ୍ କର୍ତ୍ତୃପକ୍ଷ କୋର୍ଟଙ୍କୁ ଜଣାଇଛନ୍ତି।

ବିନୟର ଓକିଲ ଏପି ସିଂହ ଗତ ସପ୍ତାହରେ  ଅଦାଲତରେ କହିଥିଲେ ଯେ ବିନୟର ମାନସିକ ଅବସ୍ଥା ଠିକ୍‌ ନାହିଁ। ସେ ସିଜୋଫ୍ରେନିଆ ରୋଗରେ ପୀଡ଼ିତ ଥିବା କାରଣରୁ ତା’ର ପରିବାର ଲୋକ ଓ ଓକିଲ୍‌ଙ୍କୁ ଚିହ୍ନିପାରୁ ନାହିଁ। ଏହାପରେ ଅତିରିକ୍ତ ସେସନ୍‌ ଜଜ୍‌ ଧର୍ମେନ୍ଦ୍ର ରାଣା ଜେଲ୍ କର୍ତ୍ତୃପକ୍ଷଙ୍କଠାରୁ ଏ ନେଇ ଏକ ଷ୍ଟାଟସ୍‌ ରିପୋର୍ଟ ମାଗିଥିଲେ। ଏହାବ୍ୟତୀତ ଶର୍ମାକୁ ଉଚ୍ଚସ୍ତରୀୟ ଚିକିତ୍ସା ଯୋଗାଇ ଦେବାକୁ ସେ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୨୨ ତାରିଖରେ ହେବ ବୋଲି ସ୍ଥିର ହୋଇଥିଲା। ଆଜି ଅଦାଲତରେ ଜେଲ୍ କର୍ତ୍ତୃପକ୍ଷ ସ୍ପଷ୍ଟ ଭାବେ କହିଛନ୍ତି ଯେ ବିନୟର କୌଣସି ପ୍ରକାରର ମାନସିକ ଅସୁସ୍ଥତା ନାହିଁ।

ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷ ରଖି ପବ୍ଲିକ୍‌ ପ୍ରୋସିକ୍ୟୁଟର୍‌ ଇର୍ଫାନ ଅହମ୍ମଦ କହିଛନ୍ତି କି ‘ଶର୍ମା ଗଦା ଗଦା ମିଛ କହୁଛି। ସେ ନିଜ ମୁଣ୍ଡକୁ କାନ୍ଥରେ ପିଟି ଜାଣି ଜାଣି ନିଜକୁ କ୍ଷତାକ୍ତ କରିଛି, ଯାହାକି ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସେହିପରି ସେ ନିଜ ମା’କୁ ଓ ଓକିଲଙ୍କୁ ଫୋନ କରି କଥା ହୋଇଥିବା ପ୍ରମାଣ ରହିଛି। ତେଣୁ ସେ ଆଦୌ ମାନସିକ ଭାବେ ଅସୁସ୍ଥ ନୁହେଁ।’

ସମ୍ବନ୍ଧିତ ଖବର