ନୂଆଦିଲ୍ଲୀ: ଦକ୍ଷିଣ ମୁମ୍ବାଇର ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଚର୍ଚ୍ଚଗେଟର ଜଣେ ରସାୟନବିଦଙ୍କୁ ଜଣେ ଗ୍ରାହକଙ୍କୁ ମୋଟ ୧.୭୫ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ମସିହାରେ ବିସ୍କୁଟରୁ ବହାରିଥିବା ପୋକ ଘଟଣାକୁ କେନ୍ଦ୍ର କରି ଏହି ଜରିମାନା ରାଶି ଲାଗୁ କରାଯାଇଛି।
ମାଲାଡରେ ରହୁଥିବା ଜଣେ ୩୪ ବର୍ଷୀୟ ଗ୍ରାହକ ଫେବୃଆରି ୨୦୧୯ ରେ ଦୂଷିତ ଦ୍ରବ୍ୟ ଖାଇବା ପରେ ସ୍ୱାସ୍ଥ୍ୟ ସମସ୍ୟା ଅନୁଭବ କରିବା ପରେ ଏକ ମାମଲା ଦାୟର କରିଥିଲେ। ଉକ୍ତ ଗ୍ରାହକ ଜଣକ ହେଉଛନ୍ତି ଜଣେ ଆଇଟି ପ୍ରଫେସନାଲ୍।
ଆଇଟି ପ୍ରଫେସନାଲଙ୍କ ଅଭିଯୋଗ ଅନୁଯାୟୀ, ମୁଁ ଦକ୍ଷିଣ ମୁମ୍ବାଇରେ କାମ କରିବାକୁ ଯାଉଥିବା ସମୟରେ ଚର୍ଚ୍ଚଗେଟ୍ ଷ୍ଟେସନ ନିକଟସ୍ଥ ଖୁଚୁରା ବିକ୍ରେତା ମେସର୍ସ ଅଶୋକ ଏମ୍ ଶାହଙ୍କଠାରୁ ବିସ୍କୁଟର ଏକ ପ୍ୟାକେଟ କିଣିଥିଲି। ଦୁଇଟି ବିସ୍କୁଟ ଖାଇବା ପରେ ମୋର ବାନ୍ତି ହେବା ଆରମ୍ଭ ହୋଇଯାଇଥିଲା। ପ୍ୟାକେଟରେ ଥିବା ବିସ୍କୁଟକୁ ପରଖିବା ପରେ ସେଥିରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ପାଇଥିଲି।
ମୁଁ ଏହି ଅଭିଯୋଗ ନେଇ ଦୋକାନୀଙ୍କ ପାଖକୁ ଯାଇଥିବା ବେଳେ ସେ ମୋର ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରି ଦେଇଥିଲେ। ଏହାପରେ ମୁଁ ମୋର ସମସ୍ୟା ନେଇ ବ୍ରିଟାନିଆର ଗ୍ରାହକ ସେବା କେନ୍ଦ୍ର ସହିତ ମଧ୍ୟ ଯୋଗାଯୋଗ କରିଥିଲେ, କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ପାଇ ନଥିଲି।
ଏହାପରେ ମୁଁ ଉକ୍ତ ବିସ୍କୁଟ ପ୍ୟାକେଟକୁ ବ୍ୟାଚ୍ ବିବରଣୀ ସହିତ ସଂରକ୍ଷଣ କରି ବୃହନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନର ଖାଦ୍ୟ ବିଶ୍ଳେଷକ ବିଭାଗରେ ଦାଖଲ କରିଥିଲି। ଲ୍ୟାବ୍ ରିପୋର୍ଟରେ ବିସ୍କୁଟରେ ପୋକ ଥିବା ନିଶ୍ଚିତ ହୋଇଥିଲା । ଏହି ରିପୋର୍ଟ ପରେ ବିସ୍କୁଟକୁ ମାନବ ଖାଦ୍ୟ ପାଇଁ ଅନୁପଯୁକ୍ତ ଘୋଷଣା କରାଯାଇଥିଲା।
ପରବର୍ତ୍ତୀ ସମୟରେ ମୁଁ କ୍ଷତିପୂରଣ ଦାବି କରି ୨୦୧୯ ଫେବୃଆରି ୪ରେ ବ୍ରିଟାନିଆକୁ ଏକ ଆଇନଗତ ନୋଟିସ୍ ଜାରି କରିଥିଲି। ଏହା ସତ୍ତ୍ବେ ବି ନିର୍ମାତାଙ୍କଠାରୁ କୌଣସିପ୍ରକାର ଉତ୍ତର ପାଇ ନଥିଲି। ମାର୍ଚ୍ଚ ୨୦୨୯ରେ ଗ୍ରାହକ ସୁରକ୍ଷା ଆଇନ, ୧୯୮୬ ଅନୁଯାୟୀ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଥିଲି, ମାନସିକ ଯନ୍ତ୍ରଣା ପାଇଁ ₹୨.୫ ଲକ୍ଷ ଏବଂ ମାମଲାର ଖର୍ଚ୍ଚ ପାଇଁ ₹୫୦,୦୦୦ଟଙ୍କା ଦାବି କରିଥିଲି।’