ସରକାରୀ ଅର୍ଥରେ ମସଜିଦର ଇମାମଙ୍କୁ ଦରମା ଦେବା ସମ୍ବିଧାନର ଉଲ୍ଲଙ୍ଘନ : କେନ୍ଦ୍ରୀୟ ସୂଚନା କମିସନ

ନୂଆଦିଲ୍ଲୀ : ସରକାରୀ ଅର୍ଥରେ ମସଜିଦର ଇମାମଙ୍କୁ ଦରମା ଦେବା ସମ୍ବିଧାନର ଉଲ୍ଲଙ୍ଘନ ବୋଲି କହିଛନ୍ତି କେନ୍ଦ୍ରୀୟ ସୂଚନା କମିସନ । ଏ ପ୍ରସଙ୍ଗରେ ୧୯୯୩ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ସମ୍ବିଧାନର ଉଲ୍ଲଙ୍ଘନ କରିବା ସହ ଅଯଥା ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛି ବୋଲି କମିସନ କହିଛନ୍ତି ।

ଏକ ଆରଟିଆଇ ଆବେଦନର ଶୁଣାଣି କରି ସୂଚନା କମିସନର ଉଦୟ ମହୁରକର କହିଛନ୍ତି ଯେ ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁସାରେ ଟିକସ ଦାତାଙ୍କ ଅର୍ଥ କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମର ସୁବିଧା ପାଇଁ ବ୍ୟବହାର କରିହେବ ନାହିଁ । ସମ୍ବିଧାନର ଧାରା ୨୫ରୁ ୨୮ ଯେପରି ଠିକ ଭାବରେ ପାଳନ ହେବ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

କମିସନ ଆହୁରି ମଧ୍ୟ କହିଛନ୍ତି ଯେ ୧୯୪୭ ପୂର୍ବରୁ ଇମାମମାନଙ୍କୁ ସରକାରୀ ଅର୍ଥରେ ଦରମା ଦେବାର ବ୍ୟବସ୍ଥା ଥିଲା । ଏହା ଭାରତୀୟ ମୁସଲିମମାନଙ୍କ ଏକ ଗୋଷ୍ଠୀକୁ ବିଭାଜନ ପାଇଁ ପ୍ରେତ୍ସାହିତ କରିଥିଲା । ଏଣୁ ଏପରି କିଛି କରିବା ପୂର୍ବରୁ ଇତିହାସକୁ ଦେଖାଯିବା ଉଚିତ ।

ଆରଟିଆଇ କର୍ମୀ ସୁଭାଷ ଅଗ୍ରଓ୍ବାଲ ନିଜ ଆରଟିଆଇ ଆବେଦନରେ ଦିଲ୍ଲୀ ସରକାର ଓ ଓ୍ବାକଫ ବୋର୍ଡ ଇମାମ ମାନଙ୍କ ଦରମା ପାଇଁ କେତେ ବ୍ୟୟ କରୁଛନ୍ତି ସେ ସଂପର୍କିତ ତଥ୍ୟ ମାଗିଥିଲେ । କିନ୍ତୁ ସେ ଏହାର କୌଣସି ସନ୍ତୋଷଜନକ ଉତ୍ତର ପାଇପାରିନଥିଲେ । ଏହାର ବିଚାର କରି ସୁଭାଷଙ୍କୁ ୨୫ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି ।

 

ସମ୍ବନ୍ଧିତ ଖବର