ହାରିଲେ ମାଲ୍ୟା : କୋର୍ଟ ଦେଲେ ପ୍ରତ୍ୟର୍ପଣ ଅନୁମତି

ନୂଆଦିଲ୍ଲୀ : ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ଋଣ ନେଇ ଲଣ୍ଡନ ପଳାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଜି ବ୍ରି‌ଟେନ୍‌ର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟରେ ବଡ଼ ଝଟ୍‌କା ଲାଗିଛି। ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିଙ୍ଗଫିସର ଏୟାରଲାଇନ୍ସ ପାଇଁ ଋଣ ନେଇ ପରିଶୋଧ କରି ନଥିବା ମାଲ୍ୟାଙ୍କ ବିଚାର ଭାରତରେ ଚାଲିବ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକୁ ସେ ଭାରତରେ ସାମ୍ନା କରିବେ ବୋଲି କୋର୍ଟ କହିଛନ୍ତି। ତେବେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାକୁ ବ୍ରିଟେନର ପରରାଷ୍ଟ୍ର ସଚିବଙ୍କ ନିକଟକୁ ପଠାଇ ଦିଆଯାଇଛି। ଦୁଇ ମାସ ମଧ୍ୟରେ ଏହି ପ୍ରତ୍ୟର୍ପଣ ଆଦେଶରେ ଗୃହ ସଚିବ ଦସ୍ତଖତ କରିବେ। ତେବେ ମାଲ୍ୟା ତାଙ୍କ ପ୍ରତ୍ୟର୍ପଣ ରାୟ ବିରୋଧରେ ଉଚ୍ଚ ଅଦାଲତରେ ଆବେଦନ କରିବେ ବୋଲି ଜଣାପଡ଼ିଛି।

ଚିଫ୍ ମାଜିଷ୍ଟ୍ରେଟ୍ ବିଚାରପତି ଇମା ଆର୍ବୁଥନଟ୍ ମାଲ୍ୟାଙ୍କ ବିରୋଧରେ ଜାଲିଆତି, ଷଡ଼ଯନ୍ତ୍ର ଓ ଅନ୍ୟାନ୍ୟ ଅଭିଯୋଗର ପ୍ରାଥମିକ ପ୍ରମାଣ ପାଇଛନ୍ତି।

ମାଲ୍ୟାଙ୍କର ପ୍ରତ୍ୟର୍ପଣ ମାମଲାର ବିଚାର ଦୀର୍ଘ ବର୍ଷେରୁ ଊର୍ଧ୍ବ ସମୟ ହେଲା ଚାଲିଥିଲା। ଭାରତ ପ୍ରତ୍ୟର୍ପଣ ପାଇଁ କୋର୍ଟ ରାୟ ଦେଇଥିବାରୁ ଭାରତକୁ ଏହି ମାମଲାରେ ବଡ଼ ସଫଳତା ମିଳିଛି।
ତେବେ ଏବେ ସେ ଭାରତକୁ ପ୍ରତ୍ୟପର୍ଣ ହେବାର ସମ୍ଭାବନା ନାହିଁ। କାରଣ କୋର୍ଟ ରାୟ ବି‌େରାଧରେ ‌େସ ହାଇକୋର୍ଟ ଯିବେ। ଏହାପରେ ସୁପ୍ରିମ କୋର୍ଟ ଯିବାର ମଧ୍ୟ ସମ୍ଭାବନା ରହିଛି। ଏହି ମାମଲାର ବିଚାର ପାଇଁ ମାସ ମାସ ଲାଗିଯିବ।

ମାଲ୍ୟାଙ୍କ ପ୍ରତ୍ୟର୍ପଣ ରାୟ ଆସିବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି, ଭାରତକୁ ଠକିବାକୁ ଚେଷ୍ଟା କରୁଥିବା କୌଣସି ବ୍ୟକ୍ତିକୁ ଛଡ଼ାଯିବ ନାହିଁ। ଭାରତ ପାଇଁ ଆଜି ଏକ ମହାନ ଦିନ। ‌ଏଥିସହିତ ଉପା ସରକାରଙ୍କୁ ସେ ଟାର୍ଗେଟ ମଧ୍ୟ କରିଛନ୍ତି। ଉପା ସରକାର ଅମଳରେ ଉପକୃତ ହୋଇଥିବା ଜଣେ ବ୍ୟକ୍ତିକୁ ଏନଡିଏ ସରକାର ଆଣିବାରେ ସକ୍ଷମ ହୋଇଛି।

୬୨ ବର୍ଷୀୟ ମାଲ୍ୟା ତାଙ୍କ ବର୍ତ୍ତମାନ ଅଚଳ କମ୍ପାନି କିଙ୍ଗଫିସର ଏୟାରଲାଇନ୍ସ ପାଇଁ ଯେଉଁ ଋଣ ନେଇଥିଲେ ତାହାର ସୁଧମୂଳ ମିଶି ଏବେ ୯୦୦୦ କୋଟି ଟଙ୍କାରୁ ଅଧିକ ହୋଇସାରିଛି। ଏହି ଋଣ ଅର୍ଥ ମାଲ୍ୟା ପରିଶୋଧ ନକରି ଲଣ୍ଡନ ଫେରାର ହୋଇଯାଇଥିଲେ।

ଯଦି ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଏ ତାହେଲେ ତାଙ୍କର ମାନବାଧିକାର ଉଲ୍ଲଂଘନ ହେବ ନାହିଁ ବୋଲି କୋର୍ଟ କହିଛନ୍ତି। ସେହିଭଳି ମୁମ୍ବାଇସ୍ଥିତ ଆର୍ଥର ରୋଡ୍ ଜେଲ୍‌ରେ ମଧ୍ୟ ତାଙ୍କ ଜୀବନ ପ୍ରତି ବିପଦ ନାହିଁ ବୋଲି କୋର୍ଟ କହିଛନ୍ତି। ନିକଟରେ ଆର୍ଥର ରୋଡ୍ ଜେଲ୍‌ର ପ୍ରକୋଷ୍ଠକୁ ସଜଡ଼ା ଯାଇଛି। ସେ ଏହି ଜେଲ୍‌ର ୧୨ ନମ୍ବର ବାରାକ୍‌ରେ ରହିବେ। ମଧୁମେହ ଏବଂ ହୃଦରୋଗ ପାଇଁ ଜେଲରେ ତାଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମଳିପାରିବ ବୋଲି ‌କୁହାଯାଇଛି। ଜେଲରେ ତାଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ। ଗତବର୍ଷ ଏପ୍ରିଲରେ ତାଙ୍କ ବିରୋଧରେ ପ୍ରତ୍ୟର୍ପଣ ୱାରେଣ୍ଟ ଜାରି ହେବା ପରଠାରୁ ମାଲ୍ୟା ଜାମିନରେ ଅଛନ୍ତି।

ସମ୍ବନ୍ଧିତ ଖବର