ଚିକିତ୍ସା ପାଇଁ ସିଙ୍ଗାପୁର ଯିବେ ଲାଲୁ, ବିଦେଶ ଯିବାକୁ ଅନୁମତି ଦେଲେ କୋର୍ଟ

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ଯାଦବ ଚିକିତ୍ସା ପାଇଁ ସିଙ୍ଗାପୁର ଯାଇପାରିବେ | ବହୁ ଚର୍ଚିତ ଗୋଖାଦ୍ୟ ଦୁର୍ନୀତି ସହ ଅନ୍ୟ ୫ଟି ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ପ୍ରସାଦ ଚିକିତ୍ସା ପାଇଁ ସିଙ୍ଗାପୁର ଯାଇପାରିବେ ବୋଲି ଆଜି କୋର୍ଟ ଅନୁମତି ଦେଇଛନ୍ତି। ଆଜି ସିବିଆଇ କୋର୍ଟରେ ଏନେଇ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ତାଙ୍କ ଓକିଲ ଚିକିତ୍ସା ପାଇଁ ସିଙ୍ଗାପୁର ଯିବାକୁ ପାସପୋର୍ଟ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଲାଲୁଙ୍କ ଓକିଲ ବିଚାରପତିଙ୍କୁ ଅନୁରୋଧ କରିଥିଲେ ଯେ ପ୍ରସ୍ଥାନ ତାରିଖରୁ ଅତି କମରେ ୨ ମାସ ସମୟ ଦିଆଯିବା ଉଚିତ୍ | ସେଠାରୁ ଫେରିବା ପରେ ପାସପୋର୍ଟ ପୁଣି କୋର୍ଟରେ ଦାଖଲ ହେବ। ଶୁଣାଣି ପରେ କୋର୍ଟ ପାସପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ ସିଙ୍ଗାପୁରର ଡାକ୍ତର ୨୪ ସେପ୍ଟେମ୍ବର ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ସୂଚନା ଥାଉ କି ତାଙ୍କ ପାସପୋର୍ଟ ସିବିଆଇ କୋର୍ଟରେ ଜମା କରାଯାଇଛି। ସେପ୍ଟେମ୍ବର ୧୩ ରେ ତାଙ୍କ ଓକିଲ ପ୍ରଭାତ କୁମାର ପାସପୋର୍ଟ ପ୍ରଦାନ ପାଇଁ ସ୍ୱତନ୍ତ୍ର ସିବିଆଇ ଜଜ୍ ଦୀନେଶ ରାୟଙ୍କ କୋର୍ଟରେ ଆବେଦନ କରିଥିଲେ। ୧୨ ଅଗଷ୍ଟ ୨୦୨୨ରେ ତାଙ୍କର ପାସପୋର୍ଟ ନବୀକରଣ କରାଯାଇଥିଲା | ଅଗଷ୍ଟ ୩୧ ରେ ସିବିଆଇ କୋର୍ଟରେ ନବୀକରଣ ପରେ ଲାଲୁ ପ୍ରସାଦ ତାଙ୍କ ପାସପୋର୍ଟ ଦାଖଲ କରିଥିଲେ। ତାଙ୍କ ପାସପୋର୍ଟର ବୈଧତା ୧୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ରହିଛି |

ଉଲ୍ଲେଖଯୋଗ୍ୟ, ଲାଲୁ ତାଙ୍କର ପାଟନା ସ୍ଥିତ ଘର ପାହାଚରେ ଗତ ଜୁଲାଇ ମାସରେ ପଡ଼ିଯିବା ପରେ ତାଙ୍କ ଦେହର ତିନିଟି ସ୍ଥାନରେ ଗଭୀର ଆଘାତ ଲାଗିବା ସହ ହାଡ଼ ଭାଙ୍ଗି ଯାଇଥିଲା। ଆଉ ତାଙ୍କୁ ପାଟନାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟ ଠିକ ଥିଲେ ବି ଅଧିକ ଚିକିତ୍ସା ପାଇଁ ସେ ସିଙ୍ଗାପୁର ଯିବେ |

ସମ୍ବନ୍ଧିତ ଖବର