ହାଫିଜ୍‌କୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ

ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ: ପାକିସ୍ତାନରେ ଗୃହବନ୍ଦୀ ଥିବା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦକୁ ତୁରନ୍ତ ମୁକ୍ତ କରିବାକୁ ଲାହୋର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ ସରକାର ହାଫିଜ ବିରୋଧରେ ଅତ୍ୟନ୍ତ ବେପରୁଆ ଭାବେ ଦଲିଲ ଉପସ୍ଥାପନ କରିବା ଏବଂ ବଳିଷ୍ଠ ପ୍ରମାଣ ଦାଖଲ ନକରିବାରୁ କୋର୍ଟ ହାଫିଜକୁ ଗୃହବନ୍ଦୀ ଅବସ୍ଥାରୁ ମୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ହାଫିଜ୍‌କୁ ମୁକ୍ତି ମିଳିବ ଏବଂ ସେ ଅବାଧରେ ତା’ର କାର୍ଯ୍ୟକ୍ରମ ଜାରି ରଖିବ ବୋଲି ଜଣାପଡ଼ିଛି। ପାକିସ୍ତାନର ପଂଜାବ ପ୍ରଦେଶ ସରକାର ହାଫିଜ୍‌ ବିରୋଧରେ ଯେଉଁ ତଥ୍ୟ ଉପସ୍ଥାପନ କରିଥିଲେ ତାହା ତାକୁ ଗୃହବନ୍ଦୀ କରି ରଖିବା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି କୋର୍ଟ କହିଛନ୍ତି । ଗୁଇନ୍ଦା ରିପୋର୍ଟ ଆଧାରରେ ହାଫିଜ୍‌କୁ ଗୃହବନ୍ଦୀ କରି ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ହାଫିଜ୍‌ ବିରୋଧରେ ବହୁ ସଂଖ୍ୟାରେ ଅପରାଧ ମାମଲା ରହଥିବାରୁ ତାକୁ ଅନ୍ୟ କୌଣସି ମାମଲାରେ ଅଟକ ରଖିବା ପାଇଁ ପଂଜାବ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି। ତେବେ ଏ ବାବଦରେ କିଛି ସ୍ପଷ୍ଟ ହୋଇନଥିବାରୁ ହାଫିଜ୍‌ର ମୁକ୍ତିକୁ କେହି ଅଟକାଇ ପାରିବେ ନାହିଁ ବୋଲି ତା’ର ସମର୍ଥକମାନେ କହିଛନ୍ତି। ଗତ ଜାନୁଆରି ୩୧ ତାରିଖରେ ହାଫିଜ ଏବଂ ତା’ର ଅନ୍ୟ ୪ ଜଣ ସହଯୋଗୀଙ୍କୁ ପଂଜାବ ସରକାର ଆତଙ୍କବାଦ ନିରୋଧ ଆଇନ-୧୯୯୭ ବଳରେ ଗିରଫ କରିଥିଲେ। ୨୬/୧୧ ଆକ୍ରମଣ ପରେ ହାଫିଜକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଭାରତର ଦାବି ପ୍ରତି ପାକିସ୍ତାନ ଲଗାତାର ଅଣଦେଖା କରି ଚାଲିଛି ଏବଂ ଭାରତ ଦ୍ୱାରା ଉପସ୍ଥାପନ କରାଯାଇଥିବା ପ୍ରମାଣକୁ ଗୁରୁତ୍ୱ ଦେଇନାହିଁ।

ହାଫିଜ୍‌ ବିରୋଧରେ ଅନେକ ବର୍ବର ଅପରାଧର ଲମ୍ବା ତାଲିକା ରହିଥିଲେ ମଧ୍ୟ ପାକିସ୍ତାନ ସରକାର କୋର୍ଟରେ କୌଣସି ପ୍ରମାଣ ଦାଖଲ କରିନଥିବାରୁ ଆତଙ୍କବାଦ ନେଇ ପାକିସ୍ତାନର ଦୋମୁହାଁ ନୀତି ପଦାରେ ପଡ଼ିଯାଇଛି। ହାଫିଜ ସୟିଦର ସଙ୍ଗଠନ ଜମାତ ଉଦ୍‌ ଦାଓ୍ଵାକୁ ଆମେରିକା ୨୦୧୪ରୁ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିସାରିଛି । ବିଭିନ୍ନ ଆତଙ୍କବାଦୀ କାଣ୍ଡରେ ହାଫିଜର ସଂପୃକ୍ତି ପାଇଁ ତା ମୁଣ୍ଡରେ ୧୦ ମିଲିୟନ ଡଲାର ପୁରସ୍କାର ରାଶି ରହିଛି। ଏଭଳି ସ୍ଥିତିରେ ହାଫିଜ ଉପରୁ ଆତଙ୍କବାଦ ମାମଲ ପ୍ରତ୍ୟାହାର କରି ତାକୁ ମୁକ୍ତ କରିବାକୁ ରାସ୍ତା ସଫା କରିବା ପାକିସ୍ତାନ ପାଇଁ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି। ହାଫିଜ୍‌ ଗୃହବନ୍ଦୀରୁ ମୁକ୍ତି ପାଇବା ମାତ୍ରେ ଏକ ବଡ଼ ର‍୍ୟାଲିରେ ଉଦ୍‌ବୋଧନ ଦେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର