ଲଖିମପୁର ଖେରି ହିଂସା: ୩ଦିନ ପାଇଁ ରିମାଣ୍ଡରେ ଗଲେ ଆଶିଷ ମିଶ୍ରା

ଲକ୍ଷ୍ନୌ: ୩ଦିନ ରିମାଣ୍ଡରେ ଗଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା। ଲଖିମପୁର ଖେରି ହିଂସାକାଣ୍ଡକୁ ନେଇ ତାଙ୍କୁ ଗତକାଲି ୧୨ଘଣ୍ଟା କାଳ ପଚରାଉଚରା ପରେ ଗିରଫ କରିଥିବା ୟୁପି ପୁଲିସ। ଏହା ସହ ଅଧିକ ପଚରାଉଚରା ପାଇଁ ପୁଲିସ ଅଦାଲତରେ ୧୪ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଆଜି ରିମାଣ୍ଡ ଆବେଦନ ଉପରେ ଶୁଣାଣି ଥିବା ବେଳେ ୧୪ଦିନ ପରିବର୍ତ୍ତେ ୩ଦିନ ପାଇଁ ରିମାଣ୍ଡରେ ନେବାକୁ ୟୁପି ପୁଲିସକୁ ଅନୁମତି ଦେଇଛନ୍ତି ଅଦାଲତ। ଶୁଣାଣି ସମୟରେ ୟୁପି ପୁଲିସ ଅଦଲତଙ୍କୁ ଜଣାଇଥିଲେ ଯେ, ଷଡଯନ୍ତ୍ର ବିଷୟରେ ଆମକୁ ଅଧିକ ପ୍ରଶ୍ନ ପଚାରିବାକୁ ପଡିବ। ସେଥିପାଇଁ ଆମକୁ ୧୪ଦିନିଆ ରିମାଣ୍ଡର ଆବଶ୍ୟକତା ରହିଛି।

www.indiatoday.in

ଉଲ୍ଲେଖଯୋଗ୍ୟ ଗତ ୩ ତାରିଖରେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଚଳାଇଥିଲେ। ଆନ୍ଦୋଳନରତ କୃଷକଙ୍କ ଉପରେ ଏକ ଗାଡ଼ି ଚଢ଼ାଇ ଦିଆଯାଇଥିଲା। ସେହି ଗାଡ଼ିରେ ଆଶିଷ ମିଶ୍ର ଥିଲେ ବୋଲି ଥାନାରେ ଦିଆଯାଇଥିବା ଏତଲାରେ ଅଭିଯୋଗ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କ ପୁଅ ଏହି ଅଭିଯୋଗକୁ ଅସ୍ବୀକାର କରିବା ପରେ ବିରୋଧୀ ଦଳ ଏବଂ ଚାଷୀ ସଂଗଠନଗୁଡ଼ିକ ସେମାନଙ୍କ ଗିରଫ ଦାବି କରିଥିଲେ। କୃଷକମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯିବା ପରେ ଉତ୍ୟକ୍ତ ଚାଷୀମାନେ ଦୁଇଜଣ ବିଜେପି କର୍ମୀ ଏବଂ ସେମାନଙ୍କ ଗାଡ଼ିର ଡ୍ରାଇଭରକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରାଯାଇଛି। ଏହି ହିଂସାରେ ସ୍ଥାନୀୟ ସାମ୍ବାଦିକ ରମଣ କାଶ୍ୟପଙ୍କର ମଧ୍ୟ ମୃତ୍ୟୁ ହୋଇଛି। କେନ୍ଦ୍ରର ୩ କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନର ନେତୃତ୍ବ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ଅଭିଯୋଗ କରିଛି ଯେ ଲଖିମପୁର ଖେରି ହିଂସା ଘଟଣା ଏକ ପ୍ରାୟୋଜିତ ଷଡ଼୍‌ଯନ୍ତ୍ର। କୃଷକ ସଂଗଠନ ଗୁଡ଼ିକ କହିଛନ୍ତି ଯଦି ଅକ୍ଟୋବର ୧୧ ସୁଦ୍ଧା ସରକାର ସେମାନଙ୍କ ଦାବିକୁ ଗ୍ରହଣ ନକରନ୍ତି ତାହେଲେ ଲଖିମପୁର ଖେରିରୁ ମୃତ କୃଷକଙ୍କ ପାଉଁଶକୁ ଧରି ସହିଦ କିଷାନ ଯାତ୍ରା ଆରମ୍ଭ ହେବ।

ସମ୍ବନ୍ଧିତ ଖବର