ଗିରଫ ପରେ ୮ଦିନ ପାଇଁ ପୁଲିସ ହେପାଜତକୁ ଗଲେ କିରଣ ଗୋସାବି

ମୁମ୍ବାଇ: ଆରୟନ ଖାନ ଡ୍ରଗ୍ସ ମାମଲାରେ ଏନସିବିର ସ୍ୱାଧୀନ ସାକ୍ଷୀ କିରଣ ଗୋସାବିଙ୍କୁ ଆଜି ପୁଣେ ପୁଲିସ ଗିରଫ କରିଥିଲା। ୨୦୧୮ର ଏକ ଠକେଇ ମାମଲାରେ କିରଣ ଗୋସାବିଙ୍କୁ ଗିରଫ କରାଯାଇଥିଲା। ଗୋସାବିଙ୍କୁ ଗିରଫ କରିବା ପରେ ଆଜି ତାଙ୍କୁ ପୁଣେର ସେସନ୍ସ କୋର୍ଟରେ ହାଜର କରାଯାଇଥିବା ବେଳେ ତାଙ୍କୁ ଆଠ ଦିନ ପାଇଁ ପୁଲିସ ହେପାଜତକୁ ପଠାଇଦିଆଯାଇଛି। ୨୦୧୮ରୁ ତାଙ୍କ ବିରୋଧରେ ଠକେଇ ମାମଲା ଥିବା ବେଳେ ବର୍ତ୍ତମାନ ତାଙ୍କ ବିରୋଧରେ ଆଉ ଦୁଇଟି ନୂତନ ମାମଲା ପଞ୍ଜିକୃତ ହୋଇଛି।

ଫେସବୁକରେ ବିଜ୍ଞାପନ ପୋଷ୍ଟ କରି ଚାକିରି ଦେବା ବାହାନାରେ ଯୁବକମାନଙ୍କୁ ଠକିଥିବାରୁ କିରଣ ଗୋସାବିଙ୍କ ବିରୋଧରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୬୬ଡି ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହା ବ୍ୟତୀତ ତାଙ୍କ ବିରୋଧରେ ଆଇପିସି ଧାରା ୪୯୯ ଅଧୀନରେ ଆଉ ଏକ ଠକେଇ ମାମଲା ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨ରେ ଏକ କ୍ରୁଜ୍ ଜାହାଜରେ ଏନସିବି ଚଢ଼ାଉ ପରେ ଏହି ଘଟଣାରେ ଗିରଫ ହୋଇଥିବା ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ସହ କିରଣ ଗୋସାବିଙ୍କ ଏକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ଅନେକ ପ୍ରଶ୍ନ ଉଠିବା ସହ ଡ୍ରଗ୍ସ ମାମଲାର ଅନ୍ୟ ଜଣେ ସ୍ବାଧୀନ ସାକ୍ଷୀ ପ୍ରଭାକର ସାଲ ଅଭିଯୋଗ କରିଥିଲେ ଯେ, ଆରୟନଙ୍କୁ ଛାଡ଼ିବା ପାଇଁ ଏନସିବି ମୁଖ୍ୟ ସମୀର ୱାଙ୍ଖେଡେ ଓ ଗୋସାବି ୨୫କୋଟି ଟଙ୍କା ମାଗିଥିଲେ, ଯାହାର ତଦନ୍ତ ଏବେ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର