ନୂଆଦିଲ୍ଲୀ : ବିଭିନ୍ନ ମାମଲାରେ ଉଚ୍ଚ ଅଦାଲତଗୁଡ଼ିକ ସରକାରୀ ଅଧିକାରୀମାନଙ୍କୁ ଅତି ବେପରୁଆ ଢଙ୍ଗରେ ସମନ କରି ବ୍ୟକ୍ତିଗତ ଭାବେ ହାଜର ହେବାକୁ କହୁଥିବାରୁ ସୁପ୍ରିମକୋର୍ଟ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ସରକାରୀ ଅଧିକାରୀଙ୍କୁ ହେୟଜ୍ଞାନପୂର୍ବକ ସମନ କରିବା ପୂର୍ବରୁ ବିଚାରପତିମାନେ ସେମାନଙ୍କ ସୀମା ନେଇ ଭଲଭାବେ ଚିନ୍ତା କରିବାକୁ ହେବ। ବିଚାରପତିମାନେ ଅଧିକାରୀଙ୍କୁ ସମନ କରିବା କ୍ଷେତ୍ରରେ ସେମାନଙ୍କ କ୍ଷମତା ବ୍ୟବହାର କଲାବେଳେ ନମ୍ରତା ଓ ଉଦାରତାର ସହ କାର୍ଯ୍ୟ କରିବାକୁ ପଡ଼ିବ। ବିଚାରପତିମାନେ ସେମାନଙ୍କ ସୀମା ଭୁଲିଯାଇ ସମ୍ରାଟ ଭଳି ଆଚରଣ ନଦେଖାଇବାକୁ ସୁପ୍ରିମକୋର୍ଟ ସତର୍କ କରାଇ ଦେଇଛନ୍ତି।

Advertisment

ଉତ୍ତର ପ୍ରଦେଶ ସରକାରଙ୍କ ଏକ ମାମଲାର ଶୁଣାଣି ବେଳେ ଜଷ୍ଟିସ୍‌ ସଂଜୟ କିଶାନ କୌଲ ଏବଂ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି, ବିଚାରପତିମାନଙ୍କ ଏଭଳି ଆଚରଣ ନିନ୍ଦନୀୟ। ଏହାଦ୍ବାରା ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକା ମଧ୍ୟରେ କ୍ଷମତା ବଣ୍ଟନ ନିୟମର ମଧ୍ୟ ଉଲ୍ଲଂଘନ ହେଉଛି । ବିଚାରପତିମାନେ ଏଭଳି ଆଚରଣ ବନ୍ଦ କରିବାପାଇଁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ବିଚାରପତିମାନେ ସେମାନଙ୍କ ଅଧିକାରର ନିୟନ୍ତ୍ରଣ ଭିତରେ ରହି କାର୍ଯ୍ୟକଲେ ହିଁ ଅଦାଲତର ସମ୍ମାନ ବଢ଼ିବ ଏବଂ ଏଭଳି ସମ୍ମାନ କୌଣସି ଆଦେଶ ଓ ଦାବି ବଳରେ ହାସଲ ହୋଇପାରିବ ନାହିଁ। ସରକାରୀ ଅଧିକାରୀଙ୍କୁ କୋର୍ଟଙ୍କୁ ମନଇଚ୍ଛା ସମନ କଲେ କୋର୍ଟ କିମ୍ବାା ବିଚାରପତିଙ୍କ ସମ୍ମାନ ବୃଦ୍ଧି ହୁଏନା ବୋଲି ଖଣ୍ଡପୀଠ କହିଛନ୍ତି।

ସରକାରୀ ଅଧିକାରୀଙ୍କୁ ବାରମ୍ବାର ସମନ୍‌ କରିବାଦ୍ବାରା ସେମାନଙ୍କ କାର୍ଯ୍ୟରେ ବାଧା ଉପୁଜୁଛି। କିଛି କ୍ଷେତ୍ରରେ ଅଧିକାରୀଙ୍କୁ ଅନେକ ବାଟ ଯାତ୍ରା ମଧ୍ୟ କରିବାକୁ ପଡ଼ୁଛି। ସେମାନଙ୍କ କାମ ମଧ୍ୟ ବିଳମ୍ବ ହେଉଛି ଏବଂ ଏହା ସେମାନଙ୍କ ଉପରେ ଏକ ବୋଝ ସଦୃଶ। ଉଲ୍ଲେଖଯୋଗ୍ୟ, କୋର୍ଟ ଉତ୍ତରପ୍ରଦେଶ ସରକାର ଏବଂ ଜଣେ ମେଡିକାଲ୍‌ ଅଧିକାରୀଙ୍କ ମଧ୍ୟରେ ଥିବା ଏକ ବିବାଦର ବିଚାରଣ କରି ରାୟ ଦେବା ସମୟରେ ଏହା କହିଛନ୍ତି। ସରକାରୀ ଅଧିକାରୀମାନଙ୍କୁ ଅନାବଶ୍ୟକ ଭାବେ କୋର୍ଟକୁ ଡାକିବାର ଆବଶ୍ୟକତା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।