୨୦୧୬ ଜେଏନୟୁ ମାମଲା: କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କୁ ମାର୍ଚ୍ଚ ୧୫ ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୨୦୧୬ରେ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ହୋଇଥିବା ଦେଶଦ୍ରୋହ ମାମଲାକୁ ନେଇ ପଟିଆଲା ହାଉସ୍ କୋର୍ଟ କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କୁ ସମନ ଜାରି କରିଛି । ୨୦୧୬ ମସିହାରେ ଜେଏନୟୁରେ ହୋଇଥିବା ଏକ ରାଲିରେ ଦେଶ ବିରୋଧି ନାରା ଲଗାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ କହ୍ନେୟା କୁମାରଙ୍କ ସମେତ ଅନେକ ଛାତ୍ର ଗିରଫ ହୋଇଥିଲେ । ହେଲେ ପୂର୍ବବର୍ଷ ଏହି ମାମଲାରେ ସମସ୍ତଙ୍କୁ ଜାମିନ୍ ମିଳିଥିବା ବେଳେ ବର୍ଷେ ପରେ ଦିଲ୍ଲୀର ଏକ ଅଦାଲଦ ଅଭିଯୋଗ ପତ୍ରର ବିଚାର ପାଇଁ ଅନୁମତି ଦେବା ସହ ସମସ୍ତ ଅଭିଯୁକ୍ତଙ୍କୁ ମାର୍ଚ୍ଚ ମାସ ୧୫ ତାରିଖରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀ ପୁଲିସ କୋର୍ଟରେ ଦାଖଲ କରିଥିବା ଅଭିଯୋଗରେ କହିଛି କି, କହ୍ନେୟା କୁମାର ଗୋଟିଏ ଦେଶ ବିରୋଧି ରାଲିର ନେତୃତ୍ୱ ନେଇଥିଲେ  । ଦିଲ୍ଲୀ ସଂସଦ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଫଜଲ୍ ଗୁରୁଙ୍କୁ ଫାସି ଦିଆଯିବା ଦିନ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କହ୍ନେୟା କୁମାରଙ୍କ ସମେତ ୯ ଜଣ ଛାତ୍ର ଦେଶ ବିରୋଧୀ ନାରା ଲଗାଇଥିଲେ ବୋଲି ପୁଲିସ ଅଭିଯୋଗ ପତ୍ରରେ ଲେଖିଛି ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ଡା.ପଙ୍କଜ ଶର୍ମା କହ୍ନେୟା କୁମାରଙ୍କ ସମେତ ସୟଦ ଓମାର ଖାଲିଦ, ଅନୀରବାନ୍ ଭଟ୍ଟାଚାର୍ଯ୍ୟ, ଆକିବ୍ ହୁସେନ୍, ମୁଜିବ ହୁସେନ ଗାଟୁ, ମୁନିବ ହୁସେନ ଗାଟୁ, ଓମାର ଗୁଲ, ରାଇସ୍ ରସୁଲ୍, ଅଲ୍ଲି, ଏବଂ ଖାଲିଦ ବଶୀର ଭଟ୍ଟଙ୍କ ବିରୋଧରେ ଚାର୍ଜସିଟ୍ ନୋଟିସ୍ ଗ୍ରହଣ କରିଥିଲେ ।

ଏହାକୁ ନେଇ ମାଜିଷ୍ଟ୍ରେଟ୍ କହିଛନ୍ତି କି, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଗୃହ ବିଭାଗ (ଦିଲ୍ଲୀ ସରକାର) ପୂର୍ବରୁ ତଥ୍ୟ ଦାଖଲ କରିସାରିଛନ୍ତି । ଚାର୍ଜସିଟ୍ କୁ ଗମ୍ଭୀରତା ସହ ବିଶ୍ଳେଷଣ କରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ସମନ କରାଯାଇଛି ।

ସମ୍ବନ୍ଧିତ ଖବର