୨୦୨୧ ଜୁନ ସୁଦ୍ଧା ବଜାରକୁ ଆସିବ କୋଭାକ୍ସିନ ଟିକା : ଭାରତ ବାୟୋଟେକ୍ 

ହାଇଦ୍ରାବାଦ : କରୋନା ଟିକା  କୋଭାକ୍ସିନ ପ୍ରସ୍ତୁତ କରୁଥିବା କମ୍ପାନି ଭାରତ ବାୟୋଟେକ କହିଛି ଯେ ଆସନ୍ତା ବର୍ଷ ଜୁନ ସୁଦ୍ଧା ଏହି ଟିକା ବଜାରକୁ ଆସିବ । କୋଭାକ୍ସିନର ୩ୟ ଅର୍ଥାତ ବିଳମ୍ବିତ ପର୍ଯ୍ୟାୟ ପରୀକ୍ଷଣ ପାଇଁ କମ୍ପାନିକୁ ନିକଟରେ ଅନୁମତି ମିଳିଥିଲା ।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ ଜୁନ ସୁଦ୍ଧା ଏହି ଟିକା ଲୋକଙ୍କୁ ଦେବା ପାଇଁ ପ୍ରସ୍ତୁତ ହୋଇଯାଇଥିବ । ତେବେ ଯଦି ସରକାର ଜରୁରୀକାଳୀନ ଭିତ୍ତିରେ ଆଦେଶ ଦିଅନ୍ତି ତେବେ ଏହାକୁ ତା ପୂର୍ବରୁ ବି ବଜାରକୁ ଛଡ଼ାଯାଇପାରେ ବୋଲି ଭାରତ ବାୟୋଟେକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସାଇ ପ୍ରସାଦ କହିଛନ୍ତି ।

କମ୍ପାନି ପକ୍ଷରୁ କୁହାଯାଇଛି ଯେ କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ ନଭେମ୍ବର ମାସରେ କରାଯିବ । ଏଥିଲାଗି ସାରା ଦେଶରେ ପ୍ରାୟ ୨୬ ହଜାର ସ୍ବେଚ୍ଛାସେବୀଙ୍କ ପଂଜୀକରଣ କରାଯିବ । ଦେଶର ୩୦ଟି  ପରୀକ୍ଷଣ କେନ୍ଦ୍ରରେ ଏହି ପରୀକ୍ଷଣ କରାଯିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋଭାକ୍ସିନ ଟିକାକୁ ଭାରତ ସରକାରଙ୍କ ଭାରତୀୟ ଭେଷଜ ଅନୁସଂଧାନ ପରିଷଦ (ଆଇସିଏମଆର) ଅନ୍ତର୍ଗତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜୀ ଦ୍ବାରା ବିକଶିତ କରାଯାଉଛି ।

ଅନ୍ୟପକ୍ଷରେ ଭାରତୀୟ ଫାର୍ମା କମ୍ପାନି ଜାଇଡସ କାଡିଲା ମଧ୍ୟ ଏକ ଟିକାର ପରୀକ୍ଷଣ କରୁଛି । ସେହିପରି ଅକ୍ସଫୋର୍ଡ ଟିକା  କୋଭିସିଲଡର ମଧ୍ୟ ପରୀକ୍ଷଣ ଚାଲିଛି ।

ସମ୍ବନ୍ଧିତ ଖବର