କୋଭାକ୍ସିନ ବୁଷ୍ଟର ଡୋଜ୍ ନିରାପଦ ଓ ପ୍ରଭାବୀ : ଭାରତ ବାୟୋଟେକ୍

ହାଇଦ୍ରାବାଦ : ଭାରତରେ ଓମିକ୍ରନ ଆସିବା ପରେ ସଂକ୍ରମଣ ପୁଣି ଉପର ମୁହାଁ ହୋଇଯାଇଛି । ମାତ୍ର କିଛି ଦିନ ଭିତରେ ଦୈନିକ ସଂକ୍ରମଣ ୧ ଲକ୍ଷ ଟପିଯାଇଛି । ଏହାର ମୁକାବିଲା ପାଇଁ ଲୋକମାନଙ୍କୁ ବୁଷ୍ଟର ଡୋଜ କରୋନା ଟିକା ଦେବାକୁ ଯୋଜନା ଚାଲିଛି ।

ଏହି ପରିସ୍ଥିତି ମଧ୍ୟରେ ଭାରତ ବାୟୋଟେକ ପକ୍ଷରୁ ନିଜର କରୋନା ଟିକା କୋଭାକ୍ସିନର ବୁଷ୍ଟର ଡୋଜ ପାଇଁ କରାଯାଇଥିବା କ୍ଲିନିକାଲ ପରୀକ୍ଷଣରେ କେତେକ ଆଶାଜନକ ରିପୋର୍ଟ ଆସିଛି । ଏହି ପରୀକ୍ଷଣରୁ ଜଣାପଡ଼ିଛି ଯେ ଏହା ଦୀର୍ଘ ସମୟ ପାଇଁ ନିରାପଦ ଓ ଏହାର ସେଭଳି କୌଣସି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ନାହିଁ । କ୍ଲିନିକାଲ ପରୀକ୍ଷଣରେ ଭାଗ ନେଇଥିବା ୯୦ ପ୍ରତିଶତ ଲୋକଙ୍କ ଶରୀରରେ ଏହା ଦୀର୍ଘ ସମୟ ପାଇଁ ଆଣ୍ଟିବଡି ସୃଷ୍ଟି କରୁଥିବା ପ୍ରମାଣିତ ହୋଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ୧୫-୧୯ ବର୍ଷ ବୟସ ବର୍ଗରର ପିଲାମାନଙ୍କୁ କେବଳ କୋଭାକ୍ସିନ ଦେବାକୁ କମ୍ପାନି ପକ୍ଷରୁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୪୧ ହଜାର ନୂଆ କରୋନା ଆକ୍ରାନ୍ତ ଓ ୨୮୫ମୃତ୍ୟୁ ରେକର୍ଡ କରାଯାଇଛି । ଏହା ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୨୧.୩% ଅଧିକ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୩,୬୮,୩୭୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୨୮୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୩,୪୬୩ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର