କୋଭାକ୍ସିନ୍‌ ଦ୍ୱନ୍ଦ୍ୱ: ପ୍ରସ୍ତୁତ ୬ କୋଟିରୁ ୨ କୋଟି ବିନିଯୋଗ! ବାକି ଗଲା କୁଆଡ଼େ?

ନୂଆଦିଲ୍ଲୀ : ଭାରତୀୟ ଭେଷଜ କମ୍ପାନି ଭାରତ ବାୟୋଟେକ୍‌ ଦ୍ବାରା ରେକର୍ଡଭୁକ୍ତ ଆକଳନ କରାଯାଇଥିବା କୋଭିଡ୍‌ ଟିକାର ପ୍ରସ୍ତୁତି ଓ ବିନିଯୋଗ ଭିତରେ ଦେଖାଦେଇଥିବା ବିଶାଳ ଫରକ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସରକାରୀ ତଥ୍ୟ ମୁତାବକ, ଗୁରୁବାର ସକାଳ ସୁଦ୍ଧା ଦେଶରେ ପ୍ରାୟ ୨.୧ କୋଟି କୋଭାକ୍ସିନ୍‌ ଟିକାର ବିନିଯୋଗ ହୋଇଛି। ଅପରପକ୍ଷେ, କେନ୍ଦ୍ର ସରକାର ଓ କମ୍ପାନି ଦ୍ବାରା ପ୍ରଦତ୍ତ ତଥ୍ୟ ମୁତାବକ ସମ୍ପ୍ରତି ଅତି କମ୍‌ରେ ୬ କୋଟି ଟିକା ଭାରତରେ ବ୍ୟବହାର ପାଇଁ ଉପଲବ୍‌ଧ ହେବା କଥା। ସୁତରାଂ କେବଳ ଦେଶ ଭିତରେ ଯୋଗାଇବାକୁ ପ୍ରାଥମିକତା ଦେଇଥିବା ଏହି ଦେଶଜ କମ୍ପାନି ଭାରତ ବାୟୋଟେକ୍‌ ପ୍ରସ୍ତୁତ ପ୍ରାୟ ୪ କୋଟି କୋଭାକ୍ସିନ୍‌ ମାତ୍ରା କୁଆଡ଼େ ଗାଏବ ହେଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ଆଣିଛି। ବାକି ଦୁଇ ତୃତୀୟାଂଶ କେଉଁଠି ରହିଲା ବୋଲି ଖୋଲତାଡ଼ ଚାଲିଥିବା ବେଳେ ଏ ସମ୍ପର୍କରେ କମ୍ପାନି ପକ୍ଷରୁ କୌଣସି ଉତ୍ତର ରଖିବାକୁ ମନା କରିଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୨୦ ତାରିଖରେ କମ୍ପାନିର ସିଇଓ କୃଷ୍ଣା ଏଲ୍ଲା କହିଥିଲେ ଯେ ତାଙ୍କ ପାଖରେ ଦେଢ଼ କୋଟି ଟିକା ଗଚ୍ଛିତ ଥିଲା ବେଳେ ମାର୍ଚ୍ଚ ମାସରେ ଆଉ ଦେଢ଼ କୋଟି ମାତ୍ରା ପ୍ରସ୍ତୁତ ସରିଛି ଏବଂ ଏପ୍ରିଲରେ ତାହା ୨ କୋଟି ଏବଂ ମେ’ ବେଳକୁ ମାସକୁ ୩ କୋଟି ଟିକା ବାହାରିବ। ସେହିପରି କେନ୍ଦ୍ର ସରକାର ମଧ୍ୟ ଅଦାଲତଙ୍କୁ ସତ୍ୟପାଠ ଜରିଆରେ ମାସକୁ ୨ କୋଟି କୋଭାକ୍ସିନ୍‌ ପ୍ରସ୍ତୁତ ହେଉଛି ବୋଲି ଜଣାଇଛନ୍ତି। ଏ ସବୁକୁ ବିଚାର କଲେ ମେ’ ଶେଷ ବେଳକୁ କମ୍ପାନି ପାଖରେ ୮ କୋଟି ଟିକାର ହିସାବ ରହିବା କଥା। ଅବଶ୍ୟ ଦେଶର ଟିକା କୂଟନୀତିରେ କିଛି ପରିମାଣ ଅନ୍ୟ ଦେଶକୁ ରପ୍ତାନି ହୋଇଥିବ। ମାତ୍ର ଦେଶରୁ ଏପରି ମୋଟ ୬.୬ କୋଟି ଟିକା ରପ୍ତାନି ହୋଇଥିବା ବେଳେ ସେଥିରୁ ସିଂହଭାଗ କୋଭିସିଲ୍‌ଡ ରହିଛି। ଏପରିକି ଯଦି କୋଭାକ୍ସିନ୍‌ର ୨ କୋଟି ମାତ୍ରା ରପ୍ତାନି ହୋଇଛି ବୋଲି ଧରାଯାଏ, ତେବେ ଦେଶରେ ବ୍ୟବହୃତ ପାଇଁ ଆହୁରି ୬ କୋଟି ଟିକା ଉପଲବ୍‌ଧ ହେବା କଥା। ମାତ୍ର ସରକାରୀ ନଥି ଅନୁସାରେ ଏ ଯାଏ କୋଭାକ୍ସିନ୍‌ର ମାତ୍ର ୨.୧ କୋଟି ମାତ୍ରା ବ୍ୟବହୃତ ହୋଇଛି। କେନ୍ଦ୍ର ସରକାରଙ୍କ ପାଖରେ ସେଭଳି ଟିକା ଗଚ୍ଛିତ ନାହିଁ। ଦେଶରେ ଚାଲିଥିବା ଟିକାକରଣକୁ ସୁଗମ କରିବା ଲକ୍ଷ୍ୟରେ ଟିକା ଚାହିଦା ପୂରଣ ପାଇଁ ସରକାର ଟିକା ନିର୍ମାତାମାନଙ୍କୁ ବିପୁଳ ସହାୟତା ଦେଉଥିବାରୁ ଏ ବାବଦରେ ସର୍ବାଧିକ ପାରଦର୍ଶିତା ଅବଲମ୍ବନ ପାଇଁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର