ନୂଆଦିଲ୍ଲୀ : ହାଇଦ୍ରାବାଦର ଫାର୍ମା କମ୍ପାନି ଭାରତ ବାୟୋଟେକ୍ ଓ ଆଇସିଏମ୍‌ଆର୍‌ ପକ୍ଷରୁ ମିଳିତ ଭାବେ ସ୍ବଦେଶୀ ଜ୍ଞାନକୌଶ‌ଳରେ ବିକଶିତ ହୋଇଥିବା କୋଭାକ୍ସିନ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ସ୍ବୀକୃତି ଖୁବଶୀଘ୍ର ମିଳିଯିବା ଆଶା ଉଜ୍ଜୀବିତ ହୋଇଛି। କମ୍ପାନି ପକ୍ଷରୁ ଦାଖଲ ହୋଇଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଭଲ ରହିଛି। ତେଣୁ ଅଗଷ୍ଟ ଶେଷବେଳକୁ ଏହି ଟିକାକୁ ‘ହୁ’ ମଞ୍ଜୁରି ଦେବା ଆଶା ରହିଛି ବୋଲି ଏହି ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ କହିଛନ୍ତି।

Advertisment

ନିକଟରେ ସ୍ବାମୀନାଥନ ଏକ ସାକ୍ଷାତକାରରେ କହିଥିଲେ, କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଉତ୍ସାହଜନକ ଓ ଭଲ ରହିଛି। ଟିକାର ଫଳପ୍ରଦତା ଓ ସୁରକ୍ଷା ଆଦି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡକୁ ପୂରଣ କରିବାର ସ‌ଂକେତ ମିଳିଛି। ମୋଟାମୋଟି ଫଳପ୍ରଦତା ଅଧିକ ଥିବାବେଳେ ଡେଲ୍‌ଟା ପ୍ରଜାତି ଭୂତାଣୁ ବିରୋଧରେ ଏହାର ଫଳପ୍ରଦତା ତୁଳନାତ୍ମକଭାବେ କମ୍ ରହିଛି। ଏହା ସତ୍ତ୍ବେ ରିପୋର୍ଟ ଭଲ ରହିଛି ବୋଲି ସେ କହିଛନ୍ତି। ତେବେ ଏହି ତଥ୍ୟର ବିସ୍ତୃତ ଅନୁଧ୍ୟାନ ‘ହୁ’ ର ବୈଜ୍ଞାନିକଙ୍କ ଦ୍ବାରା କରାଯାଉଛି। କୋଭାକ୍ସିନକୁ ମଞ୍ଜୁରି ଦେବାର ବର୍ତ୍ତମାନ ସ୍ଥିତି କ’ଣ ରହିଛି ବୋଲି ପ୍ରଶ୍ନ ହେବାରୁ ସେ କହିଥି‌ଲେ ଗତ ଜୁନ୍ ୨୩ ତାରିଖରେ ପ୍ରାକ୍ ଦାଖଲ ବୈଠକ ହୋଇଥିଲା। ତଥ୍ୟ ପ୍ୟାକେଜ୍ ବର୍ତ୍ତମାନ ଦାଖଲ କରାଯାଇଛି ଏବଂ ସେଗୁଡ଼ିକୁ ଏକାଠି କରାଯାଉଛି। ଏହାପରେ ଟିକାର ନିରାପତ୍ତା, ଗୁଣବତ୍ତା ଏବଂ ଉତ୍ତମ ଉତ୍ପାଦନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ମାନଦଣ୍ଡ ଆଦି ଦିଗ ଦେଖୁଥିବା ବ୍ୟକ୍ତିମାନଙ୍କ ଦ୍ବାରା ଏସବୁର ଅନୁଧ୍ୟାନ କରାଯିବ। ତେଣୁ ଅଗଷ୍ଟ ଶେଷ ଭାଗ ସୁଦ୍ଧା କୋଭାକ୍ସିନକୁ ହୁର ଜରୁରୀ ବ୍ୟବହାର ତାଲିକାରେ ସାମିଲ ପାଇଁ ସ୍ବୀକୃତି ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଭାରତ ସମେତ ବିଶ୍ବର ୧୬ଟି ଦେଶ କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ଅନୁମତି ଦେଇସାରିଛନ୍ତି।