ପିଲାଙ୍କ ପାଇଁ କୋଭାକ୍ସିନ ପରୀକ୍ଷଣ ଜାରି: ଏମ୍‌ସ ପାଟନାରେ ଆଉ ୭ ଶିଶୁ ନେଲେ କୋଭାକ୍ସିନ

ଦିଲ୍ଲୀ ଏମ୍ସରେ ଆଜିଠାରୁ ସ୍କ୍ରିନିଂ, ଟିକାକରଣ ସଂଖ୍ୟା ୨୩ କୋଟି ଟପିଲା

ନୂଆଦିଲ୍ଲୀ: ଦେଶରେ ତୃତୀୟ ଲହରରେ ପିଲାମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ କିଭଳି ଆଗୁଆ ଟିକା ପ୍ରଦାନ କରାଯାଇ ପାରିବ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପିଲାଙ୍କ ଠାରେ କୋଭାକ୍ସିନ ଟିକାର ପରୀକ୍ଷଣକୁ ତ୍ବରାନ୍ବିତ କରାଯାଇଛି। ଏହି କ୍ରମରେ ପାଟନାସ୍ଥିତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଶନିବାର ଅତିକମ୍‌ରେ ୭ ଜଣ ପିଲାଙ୍କୁ ଟିକା ଦିଆଯାଇଛି। ଜୁନ୍‌ ୩ ତାରିଖରେ ଏଠାରେ ପ୍ରଥମେ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ଠାରେ ଟିକା ପରୀକ୍ଷଣ ଆରମ୍ଭ ହୋଇଥିଲା। ପ୍ରଥମ ଦିନ ୩ ଜଣ ଶିଶୁଙ୍କୁ କରୋନା ଟିକା ଦିଆଯାଇଥିଲା। ପିଲାମାନଙ୍କୁ ଟିକା ଦିଆଯିବା ପୂର୍ବରୁ ଡାକ୍ତରମାନେ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି। ଶନିବାର ୨୧ ଜଣ ପିଲାଙ୍କ ଠାରେ ହୋଇଥିବା ଯାଞ୍ଚରୁ ଜଣାପଡ଼ିଥିଲା ଯେ ଅତିକମ୍‌ରେ ୧୨ଜଣଙ୍କ ଠାରେ ପର୍ଯ୍ୟାପ୍ତ ମାତ୍ରାରେ ଆଣ୍ଟିବଡି ବିକଶିତ ହୋଇଛି। ଫଳରେ ବର୍ତ୍ତମାନ ସୁଦ୍ଧା ଏମ୍‌ସ ପାଟନାରେ ୧୦ ଜଣ ପିଲା କୋଭାକ୍ସିନର ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ୨୮ ଦିନ ପରେ ଏହି ପିଲାମାନଙ୍କୁ ଦ୍ବିତୀୟ ଡୋଜ୍ କୋଭାକ୍ସିନ ଟିକା ଦିଆଯିବ। ଅନ୍ୟପକ୍ଷରେ ଦିଲ୍ଲୀ ଏମ୍‌ସରେ ମଧ୍ୟ ପିଲାଙ୍କଠାରେ କୋଭାକ୍ସିନ ପରୀକ୍ଷଣ ପାଇଁ ଆସନ୍ତାକାଲିଠାରୁ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ଦେଶରେ ଜାରିରହିଥିବା ବିଶ୍ବର ବୃହତ୍ତମ ଟିକାକରଣ କାର୍ଯ୍ୟକ୍ରମର ୧୪୧ ତମ ଦିନରେ ଶନିବାର ଦେଶବାସୀଙ୍କୁ ୩୧,୨୦,୪୫୧ଟି କୋଭିଡ୍‌ ଟିକା ପ୍ରଦାନ କରାଯାଇଥିବା ବେଳେ ମୋଟ ଟିକାକରଣ ସଂଖ୍ୟା ୨୩ କୋଟି ଟପିଯାଇଛି। କେବଳ ଏହି ଶନିବାର ଉପକୃତ ହୋଇଥିବା ହିତାଧିକାରୀଙ୍କ ମଧ୍ୟରୁ ୨୮,୭୦,୬୯୩ ଜଣ ସେମାନଙ୍କର ପ୍ରଥମ ମାତ୍ରା ନେଇଥିବା ବେଳେ ୨,୪୯,୭୫୮ ଜଣ ଦ୍ବିତୀୟ ମାତ୍ରା ନେଇଛନ୍ତି। ସେଥି ମଧ୍ୟରେ ୧୬,୧୯,୫୦୪ ଜଣ ୧୮ରୁ ୪୪ ବର୍ଷ ବୟସର ହିତାଧିକାରୀ ପ୍ରଥମ ମାତ୍ରା ଓ ୪୧,୦୫୮ ଜଣ ଦ୍ବିତୀୟ ମାତ୍ରା ଟିକା ନେଇଥିବା ଜଣାଯାଇଛି।

ସେହିପରି ଗତ ମେ ପହିଲାରୁ ଆରମ୍ଭ ହୋଇଥିବା ତୃତୀୟ ଦଫା ଟିକାକରଣରେ ବର୍ତ୍ତମାନ ସୁଦ୍ଧା ମୋଟ ୨,୭୬,୩୫,୯୩୭ ଜଣଙ୍କୁ ପ୍ରଥମ ମାତ୍ରା ଓ ୧,୬୦,୪୦୬ ଜଣଙ୍କୁ ଦ୍ବିତୀୟ ମାତ୍ରା ଟିକା ପ୍ରଦାନ କରାଯାଇଛି। ତେବେ ମୋଟାମୋଟି ଭାବେ ଏହି ୧୪୧ ଦିନ ଭିତରେ ୨୩,୧୦,୮୯,୨୪୧ ଜଣ ନାଗରିକଙ୍କର ଟିକାକରଣ କରାଯାଇଥିବା ବେଳେ ସେଥିରେ ୯୯,୬୨,୭୨୮ ଜଣ ସ୍ବାସ୍ଥ୍ୟକର୍ମୀ ସେମାନଙ୍କର ପ୍ରଥମ ମାତ୍ରା ଓ ୬୮,୫୩,୪୧୩ ଜଣ ଦ୍ବିତୀୟ ମାତ୍ରା ନେଇଛନ୍ତି। ସେହିପରି କୋଭିଡ୍‌ ସମ୍ମୁଖ ଯୋଦ୍ଧାଙ୍କ ଭିତରୁ ୧,୬୧,୫୭,୪୩୭ ଜଣ ପ୍ରଥମ ମାତ୍ରା ଓ ୮୬,୫୮,୮୦୫ ଜଣ ଦ୍ବିତୀୟ ମାତ୍ରା ନେଇଥିବା ବେଳେ ୧୮ରୁ ୪୪ ବର୍ଷ ବୟସର ହିତାଧିକାରୀଙ୍କ ଭିତରୁ ୨,୭୬,୩୫,୯୩୭ ଜଣଙ୍କୁ ପ୍ରଥମ ମାତ୍ରା ଓ ୧,୬୦,୪୦୬ ଜଣଙ୍କୁ ଦ୍ବିତୀୟ ମାତ୍ରା ଟିକା ଦିଆଯାଇଛି। ଏହା ବ୍ୟତୀତ ୪୫ରୁ ୬୦ ବର୍ଷ ବୟସର ୬,୦୫,୨୫,୧୯୫ ଜଣ ହିତାଧିକାରୀଙ୍କୁ ପ୍ରଥମ ମାତ୍ରା ଓ ୧,୧୨,୯୩,୮୬୮ ଜଣଙ୍କୁ ଦ୍ବିତୀୟ ମାତ୍ରା ଦିଆଯାଇଥିବା ବେଳେ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ୬,୦୫,୨୫,୧୯୫ ଜଣ ପ୍ରଥମ ମାତ୍ରା ଓ ୧,୯୧,୯୯,୮୩୯ ଜଣ ଦ୍ବିତୀୟ ମାତ୍ରା ଟିକା ନେଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର