ନୂଆଦିଲ୍ଲୀ: କରୋନା ମହାମାରୀର ତୃତୀୟ ଲହର ଆସିବା ଆଶଙ୍କା ମଧ୍ୟରେ ପିଲାଙ୍କ ପାଇଁ ଟିକା ପ୍ରସ୍ତୁତି କାର୍ଯ୍ୟ ଆଗକୁ ଜୋରଦାର ବଢ଼ିବାରେ ଲାଗିଛି। ଏହି କ୍ରମରେ ଏମ୍ସରେ କୋଭାକ୍ସିନ ଟିକା ପରୀକ୍ଷଣରେ ଭାଗ ନେଇଥିବା ୧୨ରୁ ୧୮ ବର୍ଷ ଏବଂ ୬ରୁ ୧୨ ବର୍ଷର ପିଲାଙ୍କୁ ମଧ୍ୟ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଆସନ୍ତା ସପ୍ତାହରେ ୨ରୁ ୬ ବର୍ଷ ବର୍ଗର ପିଲାଙ୍କୁ ଟିକାର ଦ୍ବିତୀୟ ଡୋଜ୍ ଦିଆଯିବ। ଏହାପରେ ପରୀକ୍ଷଣରେ ସବୁ ବୟସ ବର୍ଗର ପିଲାଙ୍କୁ ଦ୍ବିତୀୟ ଡୋଜ୍ ଟିକାଦାନ କାର୍ଯ୍ୟ ସରିବ। ଆସନ୍ତା ମାସ ଶେଷବେଳକୁ ପରୀକ୍ଷଣର ଅନ୍ତରୀଣ ରିପୋର୍ଟ ଆସିବା ଆଶା ରହିଛି। ଫଳରେ ପିଲାଙ୍କ ପାଇଁ ଟିକା କେତେ ସୁରକ୍ଷିତ ତାହା ଏହି ରିପୋର୍ଟରୁ ସ୍ପଷ୍ଟ ହେବ।
ବର୍ତ୍ତମାନ ସୁଦ୍ଧା ପରୀକ୍ଷଣରେ ଟିକା ନେଇଥିବା ପିଲାଙ୍କ ଉପରେ କୌଣସି ବଡ଼ ଧରଣର ପ୍ରତିକୂଳ ପ୍ରଭାବ ନଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଦେଶର ୬ଟି ଡାକ୍ତରଖାନାରେ ୫୨୫ ଜଣ ପିଲାଙ୍କ ଉପରେ କରୋନା ଟିକାର ନୈଦାନିକ ପରୀକ୍ଷଣ ଚାଲିଛି। ଏଥିରେ ପିଲାଙ୍କୁ ୩ଟି ବୟସ ବର୍ଗରେ ବିଭକ୍ତ କରାଯାଇଛି। ପ୍ରତି ବର୍ଗର ୧୭୫ ଜଣ ପିଲାଙ୍କୁ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକା ଦିଆଯାଇଛି। ଏହାପରେ ୬ରୁ ୧୨ ବର୍ଷ ବୟସର ପିଲାଙ୍କୁ ଏବଂ ତା ପରେ ୨ରୁ ୬ ବର୍ଷ ବୟସର ପିଲାଙ୍କୁ ମଧ୍ୟ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ବର୍ତ୍ତମାନ ଏହି ବର୍ଗର ପିଲାଙ୍କୁ କେବଳ ଦ୍ବିତୀୟ ଡୋଜ୍ ଟିକା ଦେବା ବାକି ରହିଛି।
ଅନ୍ୟପକ୍ଷରେ ପିଲାଙ୍କ ପାଇଁ ଜାଇଡସ୍ କାଡିଲା କମ୍ପାନିର ଟିକାକୁ ନେଇ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ ଅନେକ ଗୁଡ଼ିଏ ସୂଚନା ନିକଟରେ ଦେଇଛନ୍ତି। ଗତ ଶୁକ୍ରବାର ହାଇକୋର୍ଟକୁ କେନ୍ଦ୍ର ସରକାର ଶପଥପାଠରେ କହିଛନ୍ତି, ୧୨ରୁ ୧୮ ବର୍ଷ ବୟସର ପିଲାଙ୍କଠାରେ କମ୍ପାନିର ଟିକା ପରୀକ୍ଷଣ ଶେଷ ହେବା ପାଖାପାଖି ରହିଛି। ତେବେ ହାଇକୋର୍ଟ କହିଛନ୍ତି, ପିଲାଙ୍କ ପାଇଁ କୋଭାକ୍ସିନ ଟିକା ପରୀକ୍ଷଣକୁ ଠିକ୍ରେ ଶେଷ ହେବାକୁ ଦିଆଯାଉ। ଏଥିପାଇଁ କୌଣସି ସମୟ ସୀମା ନିର୍ଦ୍ଧାରଣ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/54d6j54dg564jdg4j56dgjjdggjdjdgjdgjdg.jpg)