ପ୍ରଥମ ପର୍ଯ୍ୟାୟ ଟୀକାକରଣ ଫଳାଫଳ: କୋଭାକସିନ ଅଧିକ ସୁରକ୍ଷିତ!

ନୂଆଦିଲ୍ଲୀ: ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ କୋଭାକସିନ ଅଧିକ ଫଳପ୍ରଦ ସାବ୍ୟସ୍ତ ହୋଇଛି | ପ୍ରଥମ ପର୍ଯ୍ୟାୟ ଟୀକାକରଣ ପରେ ଜଣାପଡିଛି ଯେ କୋଭାକସିନ ନେବା ଦ୍ୱାରା କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇନାହିଁ | ସ୍ୱାସ୍ଥ୍ୟ ଭିତ୍ତିକ ମାଗାଜିନ ଲାନସେଟରେ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି | ହାଇଦ୍ରାବାଦର ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଟିକାକୁ ବ୍ୟବହାର କରିବା ପାଇଁ ଆଇସିଏମଆର(ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ) ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ଅନୁମତି ଦେଇଥିଲେ | ଆଉ ଏହି ଟିକାର ବ୍ୟବହାର ପରେ କଣ ପ୍ରଭାବ ପଡିଛି, ତାହା ଲାନସେଟରେ ପ୍ରକାଶ ପାଇଛି |

ରିପୋର୍ଟ ଅନୁଯାୟୀ, ଦେଶର ୧୧ ଟି ବିଭିନ୍ନ ସ୍ଥାନରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ୩୭୫ ଜଣ ସୁସ୍ଥ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ୧୮ ରୁ ୫୫ ବର୍ଷ ବୟସର ଏହି ସ୍ବେଚ୍ଛାସେବୀମାନଙ୍କୁ ଏହି ଟିକା ଦିଆଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ କାହା ପାଖରେ ବି ଗୁରୁତର ପ୍ରତିକ୍ରିୟା ଦେଖାଯାଇ ନଥିଲା। କୋଭାକସିନର ମାତ୍ରା କରୋନା ଭୂତାଣୁ ବିରୁଦ୍ଧରେ ଦୁଇ ପ୍ରକାରର ପ୍ରତିଷେଧକ ପ୍ରତିକ୍ରିୟା ସୃଷ୍ଟି କରିଥାଏ।

ପ୍ରଥମ ପର୍ଯ୍ୟାୟ ପରୀକ୍ଷା ରିପୋର୍ଟରେ ଏହା ଜଣାପଡିଛି ଯେ କୋଭାକସିନର ମାତ୍ରା କରୋନା ଭାଇରସର ଅତିକମରେ ଦୁଇଟି ଭେରୀଏଣ୍ଟ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି | ଏହା ସହିତ କୋଭାକସିନ ଶରୀରରେ କୋଭିଡ -୧୯ ବିରୁଦ୍ଧରେ ଆଣ୍ଟିବଡି ସୃଷ୍ଟି କରିଥାଏ, ଯାହା ମହାମାରୀର ବିସ୍ତାରକୁ ରୋକିବା ପାଇଁ ସାହାଯ୍ୟ କରିଥାଏ |

ସମ୍ବନ୍ଧିତ ଖବର