କୋଭାକ୍ସିନ ବୁଷ୍ଟର ଡୋଜ୍ ଉଭୟ ଡେଲଟା ଓ ଓମିକ୍ରନ ବିରୋଧରେ ପ୍ରଭାବୀ : ଭାରତ ବାୟୋଟେକ୍

ହାଇଦ୍ରାବାଦ : କୋଭାକ୍ସିନର ବୁଷ୍ଟର ଡୋଜ୍ ଉଭୟ ଡେଲଟା ଓ ଓମିକ୍ରମକୁ ପରାହତ କରିପାରୁଛି ବୋଲି ଏହି ଟିକା ଉତ୍ପାଦନ କରୁଥିବା ଭାରତ ବାୟୋଟେକ୍ ଦାବି କରିଛି । କମ୍ପାନି ପକ୍ଷରୁ କୁହାଯାଇଛି ଯେ ଉଭୟ ଡୋଜ କୋଭାକ୍ସିନ ନେବାର ୬ ମାସ ପରେ ଦିଆଯାଉଥିବା କୋଭାକ୍ସିନ ବୁଷ୍ଟର ଡୋଜ୍ ଶରୀରରେ ଯଥେଷ୍ଟ ମାତ୍ରାରେ ଆଣ୍ଟିବଡି ବା ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରୁଛି, ଯାହାକି କରୋନାର ବିଭିନ୍ନ ଭାରିଆଣ୍ଟ ଯେପରିକି ଆଲଫା, ବିଟା,ଡେଲଟା,ଡେଲଟା ପ୍ଲସ, ଓମିକ୍ରନକୁ ପରାହତ କରିପାରୁଛି । ଏପରିକି ବୁଷ୍ଟର ଡୋଜ ନେବା ପରେ କୋଭିଡ ଭୁତାଣୁ ବିରୋଧରେ ଆଣ୍ଟିବଡି ୧୯ରୁ ୨୬୫ ଗୁଣ ବୃଦ୍ଧି ପାଉଛି । କମ୍ପାନି ପକ୍ଷରୁ କୋଭାକ୍ସିନ ବୁଷ୍ଟର ଡୋଜ ପାଇଁ କରାଯାଇଥିବା କ୍ଲିନିକାଲ ପରୀକ୍ଷଣରୁ ଏସବୁ ଜଣାପଡ଼ିଛି । ଏହି ପରୀକ୍ଷଣରୁ ଜଣାପଡ଼ିଛି ଯେ ଏହା ଦୀର୍ଘ ସମୟ ପାଇଁ ନିରାପଦ ଓ ଏହାର ସେଭଳି କୌଣସି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ନାହିଁ ।

ସୂଚନାଯୋଗ୍ୟ ଯେ, ଦେଶରେ କରୋନାର ୩ୟ ଲହର ଆରମ୍ଭ ହୋଇଯାଇଥିବାବେଳେ ଗତ ୧୦ ତାରିଖରୁ ସ୍ବାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ଆରମ୍ଭ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୯୪ ହଜାର ନୂଆ କରୋନା ଆକ୍ରାନ୍ତ ଓ ପ୍ରାୟ ୪୦୦ ମୃତ୍ୟୁ ରେକର୍ଡ କରାଯାଇଛି । ଏହା ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୧୫.୮% ଅଧିକ ରହିଛି ।

ସମ୍ବନ୍ଧିତ ଖବର