ନୂଆଦିଲ୍ଲୀ : ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନକୁ ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଦେବା ପାଇଁ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଇଛି ଭାରତୀୟ ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । କୋଭାକ୍ସିନକୁ ପିଲାମାନଙ୍କ ନିମନ୍ତେ ଅନୁମତି ଦେବାକୁ ଗତ ଅକ୍ଟୋବର ମାସରେ ଡିସିଜିଆଇର ସବଜେକ୍ଟ ଏକ୍ସପର୍ଟ କମିଟି ସୁପାରିଶ କରିଥିଲା ।
୧୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ପାଇଁ ଦେଶରେ ଏହା ହେଉଛି ୨ୟ କରୋନା ଟିକା । ଗତ ଅଗଷ୍ଟ ମାସରେ ଜାଇଡସ କାଡିଲାର କରୋନା ଟିକା ଜାଇକୋଭ-ଡିକୁ ଜରୁରୀକାଳୀନ ଅନୁମତି ଦେଇଥିଲେ ଡିସିଜିଆଇ ।
ପ୍ରାପ୍ତବଯସ୍କଙ୍କ ପରି ୧୨ ବର୍ଷରୁ ୧୮ ବର୍ଷର ପିଲା ଓ କିଶୋରଙ୍କୁ କୋଭାକ୍ସିନ ଦୁଇଟି ଡୋଜରେ ଦିଆଯିବ । ୨୮ ଦିନ ବ୍ୟବଧାନରେ ପ୍ରଥମ ଓ ଦ୍ବିତୀୟ ଡୋଜ ଦିଆଯିବ ।
ଦେଶରେ ଓମିକ୍ରନ ବ୍ୟାପିବା ପରେ ୩ୟ ଲହରକୁ ନେଇ ଆଶଙ୍କା ବଢିଯାଇଛି । ଏବେ ଓମିକ୍ରନ ପିଲାମାନଙ୍କୁ ବି ଆକ୍ରାନ୍ତ କରୁଥିବାରୁ ଅଭିଭାବକମାନଙ୍କ ଚିନ୍ତା ବଢିଯାଇଛି । ଏ ପରିପ୍ରେକ୍ଷୀରେ ପିଲାମାନଙ୍କ ପାଇଁ କୋଭାକ୍ସିନକୁ ଅନୁମତି ମିଳିବା ବେଶ ମହତ୍ବପୂର୍ଣ୍ଣ କୁହାଯାଉଛି ।
କୋଭାକ୍ସିନକୁ ପିଲାଙ୍କ ପାଇଁ ଅନୁମତି ମିଳିବାକୁ ବାୟୋକନ ମୁଖ୍ୟ କିରନ ମଜୁମଦାର ଶ ଓ ମେଦାନ୍ତ ମୁଖ୍ୟ ଡ.ନରେଶ ତ୍ରେହାନ ସ୍ବାଗତ କରିବା ସହ କରୋନା ବିରୋଧୀ ଲଢେଇରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି ।