ହାଇଦ୍ରାବାଦ : ଆସନ୍ତା ୩ ତାରିଖରୁ ଦେଶରେ ୧୫ରୁ ୧୮ ବର୍ଷର କିଶୋର କିଶୋରୀମାନଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ଟିକା ନିର୍ମାତା ଭାରତ ବାୟୋଟେକ ପକ୍ଷରୁ ଗୁରୁବାର କୁହାଯାଇଛି ଯେ, କୋଭାକ୍ସିନ ଟିକା ୨ରୁ ୧୮ ବୟସ ଶ୍ରେଣୀ ପାଇଁ ବେଶ ସୁରକ୍ଷିତ ଓ ସହନକ୍ଷମ । ପେଡିଆଟ୍ରିକ ବା ଶିଶୁମାନଙ୍କ ଉପରେ ଭାରତ ବାୟୋଟେକ ପକ୍ଷରୁ କରାଯାଇଥିବା ପରୀକ୍ଷଣର ୨ୟ ଓ ୩ୟ ପର୍ୟ୍ୟାୟ ତଥ୍ୟକୁ ଭିତ୍ତି କରି କମ୍ପାନି ଏହି ଦାବି କରିଛି । ଏହି କ୍ଲିନିକାଲ ଡାଟା ବେଶ ଉତ୍ସାହଜନକ ବୋଲି କମ୍ପାନି କହିଛି । ୩ ତାରିଖରୁ ଆରମ୍ଭ ହେଉଥିବା ଟିକାକରଣରେ କେବଳ କୋଭାକ୍ସିନର ବ୍ୟବହାର କରିବାକୁ ସରକାର ନିଷ୍ପତ୍ତି ନିଆଯାଇଛି ।
ଗତ ସପ୍ତାହରେ ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନକୁ ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଦେବା ପାଇଁ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଇଥିଲେ ଭାରତୀୟ ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । କୋଭାକ୍ସିନକୁ ପିଲାମାନଙ୍କ ନିମନ୍ତେ ଅନୁମତି ଦେବାକୁ ଗତ ଅକ୍ଟୋବର ମାସରେ ଡିସିଜିଆଇର ସବଜେକ୍ଟ ଏକ୍ସପର୍ଟ କମିଟି ସୁପାରିଶ କରିଥିଲା । ୧୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ପାଇଁ ଦେଶରେ ଏହା ହେଉଛି ୨ୟ କରୋନା ଟିକା । ଗତ ଅଗଷ୍ଟ ମାସରେ ଜାଇଡସ କାଡିଲାର କରୋନା ଟିକା ଜାଇକୋଭ-ଡିକୁ ଜରୁରୀକାଳୀନ ଅନୁମତି ଦେଇଥିଲେ ଡିସିଜିଆଇ ।