ଆସନ୍ତା ଫେବ୍ରୁଆରିରେ ଉପଲବ୍ଧ ହୋଇପାରେ କରୋନା ଟିକା କୋଭାକ୍ସିନ

ହାଇଦ୍ରାବାଦ : ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଧାର୍ଯ୍ୟ ସମୟର କିଛି ମାସ ପୂର୍ବରୁ ବଜାରକୁ ଛଡ଼ାଯାଇପାରେ । ଏହି ଟିକାକୁ ଆସନ୍ତା ୨୦୨୧ ଜୁନ ସୁଦ୍ଧା ବଜାରକୁ ଛାଡ଼ିବାକୁ କମ୍ପାନି ଲକ୍ଷ୍ୟ ରଖିଥିବାବେଳେ ମିଳିଥିବା ନୂଆ ସୂଚନା ଅନୁସାରେ ଏହାକୁ ଆସନ୍ତା ଫେବ୍ରୁଆରିରେ ହିଁ ଲଞ୍ଚ୍ କରାଯିବ ।

ଚଳିତ ମାସଠାରୁ ଆରମ୍ଭ ହୋଇଥିବା କୋଭାକ୍ସିନର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣର ପ୍ରାରମ୍ଭିକ ରିପୋର୍ଟ ସନ୍ତୋଷଜନକ ଥିବାରୁ ଏହି ଟିକାକୁ ଜୁନ ବଦଳରେ ଫେବ୍ରୁଆରି କିମ୍ବା ମାର୍ଚ୍ଚରେ ହିଁ ଲଞ୍ଚ୍ କରାଯିବାର ସମ୍ଭାବନା ରହିଛି  ବୋଲି ଆଇସିଏମଆରର ବୈଜ୍ଞାନିକ ରଜନୀକାନ୍ତ କହିଛନ୍ତି । ସେ କହିଛନ୍ତି ଯେ କୋଭାକ୍ସିନ ନିରାପଦ ଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ୁଛି ।

ଗତ ମାସରେ ବାୟୋଟେକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସାଇ ପ୍ରସାଦ କହିଥିଲେ ଯେ, ଆସନ୍ତା ବର୍ଷ ଜୁନ ସୁଦ୍ଧା ଏହି ଟିକା ଲୋକଙ୍କୁ ଦେବା ପାଇଁ ପ୍ରସ୍ତୁତ ହୋଇଯାଇଥିବ । ତେବେ ଯଦି ସରକାର ଜରୁରୀକାଳୀନ ଭିତ୍ତିରେ ଆଦେଶ ଦିଅନ୍ତି ତେବେ ଏହାକୁ ତା ପୂର୍ବରୁ ବି ବଜାରକୁ ଛଡ଼ାଯାଇପାରେ ।

ଚଳିତ ମାସଠାରୁ କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି । ଏଥିଲାଗି ସାରା ଦେଶରେ ପ୍ରାୟ ୨୬ ହଜାର ସ୍ବେଚ୍ଛାସେବୀଙ୍କ ପଂଜୀକରଣ କରାଯାଇଛି । ଦେଶର ୩୦ଟି  ପରୀକ୍ଷଣ କେନ୍ଦ୍ରରେ ଏହି ପରୀକ୍ଷଣ କରାଯାଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋଭାକ୍ସିନ ଟିକାକୁ ଭାରତ ସରକାରଙ୍କ ଭାରତୀୟ ଭେଷଜ ଅନୁସଂଧାନ ପରିଷଦ (ଆଇସିଏମଆର) ଅନ୍ତର୍ଗତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜୀ ଦ୍ବାରା ବିକଶିତ କରାଯାଉଛି ।

 

ସମ୍ବନ୍ଧିତ ଖବର