ସ୍ୱଦେଶରେ ପହଞ୍ଚିଲେ କରୋନାଭାଇରସ୍‌ ପ୍ରପୀଡ଼ିତ ଇରାନ୍‌ରେ ଅଟକି ରହିଥିବା ୨୩୪ଜଣ ଭାରତୀୟ

ନୂଆଦିଲ୍ଲୀ: କରୋନାଭାଇରସ୍‌ ପ୍ରପୀଡ଼ିତ ଇରାନ୍‌ରେ ଅଟକି ରହିଥିବା ୨୩୪ଜଣ ଭାରତୀୟ ଭାରତରେ ପହଞ୍ଚି ଯାଇଥିବା କଥା ରବିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।

ଏମାନଙ୍କ ମଧ୍ୟରେ ଅଛନ୍ତି ୧୩୧ଜଣ ବିଦ୍ୟାର୍ଥୀ ଏବଂ ୧୦୩ଜଣ ତୀର୍ଥଯାତ୍ରୀ।

ଟୁଇଟ୍‌ କରି ଜୟଶଙ୍କର କହିଛନ୍ତି: ୧୩୧ଜଣ ବିଦ୍ୟାର୍ଥୀ ଏବଂ ୧୦୩ଜଣ ତୀର୍ଥଯାତ୍ରୀଙ୍କ ସମେତ ଇରାନ୍‌ରେ ଅଟକି ରହିଥିବା ୨୩୪ଜଣ ଭାରତୀୟ ଭାରତରେ ପହଞ୍ଚି ଯାଇଛନ୍ତି। ଉଦ୍ୟମ ପାଇଁ ରାଷ୍ଟ୍ରଦୂତ ଧମୁ ଗଦ୍ଦାମ ଏବଂ ଇଣ୍ଡିଆ ଇନ୍‌ ଇରାନ୍‌ ଟିମ୍‌ଙ୍କୁ ଧନ୍ୟବାଦ। ଇରାନୀୟ ସରକାରୀ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଧନ୍ୟବାଦ।

ରବିବାର ପ୍ରତ୍ୟୁଷରେ ଆସି ଭାରତରେ ପହଞ୍ଚିଥିବା ଏହି ଭାରତୀୟମାନଙ୍କୁ ତୃତୀୟ ଛେକରେ ଇରାନ୍‌ରୁ ଅଣାଯାଇଛି। ଶୁକ୍ରବାର ଦିନ ଦ୍ୱିତୀୟ ଛେକରେ ୪୪ଜଣ ଭାରତୀୟ ତୀର୍ଥଯାତ୍ରୀ ଇରାନ୍‌ରୁ ଫେରିଥିଲେ। ମଙ୍ଗଳବାର ଦିନ ପ୍ରଥମ ଛେକରେ ଇରାନ୍‌ରୁ ୫୮ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କୁ ଭାରତକୁ ଫେରାଇ ଅଣାଯାଇଥିଲା।

ଇରାନ୍‌ ହେଉଛି ଉତ୍କଟ କରୋନାଭାଇରସ୍‌ ସଂକ୍ରମିତ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ। ସେଠାରେ ଅଟକି ରହିଥିବା ଭାରତୀୟମାନଙ୍କୁ ସ୍ୱଦେଶକୁ ଫେରାଇ ଆଣିବାକୁ ଭାରତ ଯୋଜନା କରୁଛି।

ସମ୍ବନ୍ଧିତ ଖବର