କରୋନାଭାଇରସ୍ ସଂକ୍ରମଣ ଡରରେ ପତ୍ନୀଙ୍କୁ ଘରକୁ ଛାଡ଼ିଲେ ନାହିଁ ସ୍ବାମୀ

ବେଙ୍ଗାଲୁରୁ: ମାର୍ଚ ମାସ ଶେଷ ଭାଗରେ ହଠାତ୍ ଲକ୍‌ଡାଉନ୍‌ ଯୋଗୁଁ ତିନି ମାସ ହେଲା ପରିବାର ଠାରୁ ବିଚ୍ଛିନ୍ନ ହୋଇ ଚଣ୍ଡିଗଡ଼ରେ ରହିଯାଇ ଥିବା ଜଣେ ୩୮ ବର୍ଷୀୟ ମହିଳା ବ୍ୟାକୁଳ ହୋଇ ବେଙ୍ଗାଲୁରୁରେ ଥିବା ତାଙ୍କ ୧୦ ବର୍ଷିୟ ପୁଅ ଓ ସ୍ବାମୀଙ୍କ ପାଖକୁ ଫେରି ଆସିବା ପରେ ସ୍ବାମୀ ତାଙ୍କୁ ଘରେ ପୂରାଇ ଦେଇ ନାହାନ୍ତି।

ଗତ ସପ୍ତାହରେ ସେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ସ୍ବାମୀ ଜିଦ୍‌ ଧରିଲେ ସେ ଘରକୁ ନ ଆସି ଅନ୍ୟତ୍ର ୧୪ ଦିନ କ୍ବାରେଣ୍ଟିନ୍‌ରେ ରୁହନ୍ତୁ। କୋଭିଡ୍-୧୯-ନେଗେଟିଭ୍ ସାର୍ଟିଫିକେଟ୍ ପାଇବା ପରେ ଯାଇ ଘରକୁ ଫେରିବେ।

ସେତେବେଳକୁ ରାତି ଅଧ। ମହିଳାଜଣକ ‘ପରିହର ବନିତା ସହାୟବାଣୀ’ ନାମକ ମହିଳା ହେଲ୍‌ପ୍‌ଲାଇନ୍‌କୁ ଫୋନ୍ କଲେ। ସେମାନେ ସ୍ବାମୀଙ୍କୁ ଭୂତାଣୁ ସଂକ୍ରାନ୍ତ ଭ୍ରାନ୍ତ ଧାରଣା ସମ୍ବନ୍ଧରେ କାଉନ୍‌ସେଲିଙ୍ଗ୍‌ କରିବା ସହ ପତ୍ନୀଙ୍କୁ ଘରକୁ ଛାଡ଼ିବାକୁ କହିଲେ। କିନ୍ତୁ, ସେ ନ ବୁଝିବାରୁ, ମହିଳାଜଣକ ବର୍ତୁର ଥାନାକୁ ଗଲେ। ଥାନାରୁ ଜଣେ କର୍ମଚାରୀ ସେ ମହିଳାଙ୍କ ସହ ତାଙ୍କ ଘରକୁ ଆସିଲେ। ସେମାନେ ପହଞ୍ଚିବା ବେଳକୁ ଘରେ ତାଲା ପକାଇ ପୁଅ ଓ ସ୍ବାମୀ ଚାଲିଯାଇଥିଲେ।

କୌଣସି ଆତ୍ମୀୟଙ୍କ ଘରେ ଆଶ୍ରୟ ନେବାକୁ ପୁଲିସ ମହିଳାଜଣଙ୍କୁ କହିବା ସହ ସ୍ବାମୀ ଫେରିଲେ ଥାନାକୁ ଫୋନ୍ କରିବା କଥା କହିଲେ। ପୁଲିସ ଭୟରେ ଘରୁ ଚାଲି ଯାଇଥିବା ସ୍ବାମୀ କିଛି ସମୟ ପରେ ଘରକୁ ଫେରିଲେ। ସେ ଭାବିଥିଲେ ପତ୍ନୀ ମଧ୍ୟ କେଉଁ ଆଡ଼େ ଚାଲିଯାଇଥିବେ। କିନ୍ତୁ, ତାଙ୍କର ଭାବନା ଥିଲା ଭୁଲ୍।

ସ୍ବାମୀ ପହଞ୍ଚିବା ଦେଖି ପତ୍ନୀ ବେଙ୍ଗାଲୁରୁ ସହର ପୁଲିସ କମିସନର୍‌ଙ୍କ କାର୍ଯ୍ୟାଳୟର ‘ପରିହର ବନିତା ସହାୟବାଣୀ’କୁ ଫୋନ୍‌ କଲେ। ପତ୍ନୀଙ୍କୁ ଘରକୁ ଛଡ଼ାଯାଉ ବୋଲି ସ୍ବାମୀ ବାଧ୍ୟ କଲେ। ସେତେବେଳକୁ ପତ୍ନୀ ସ୍ବାମୀଙ୍କ ବ‌ିରୋଧରେ ମାମଲା ରୁଜୁ କରି ସାରିଥିଲେ। ଏବେ ପତ୍ନୀ ହୋମ୍‌ କ୍ବାରେଣ୍ଟିନ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର