କୋଭିଡ୍-୧୯: ପୂରା ବିଶ୍ବକୁ ବିଭ୍ରାନ୍ତ କରିଛି ଚୀନ୍
ପ୍ରଥମ ମାମଲାଠାରୁ ମହାମାରୀ ପର୍ଯ୍ୟନ୍ତ ସବୁ ତଥ୍ୟ ଲୁଚାଇଥିଲା
ନୂଆଦିଲ୍ଲୀ: ଚୀନ୍ରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଏବେ ପୂରା ବିଶ୍ବରେ ବିପର୍ଯ୍ୟୟ ସୃଷ୍ଟି କରିଛି। ବିଶ୍ବ ବ୍ୟାପୀ ୬୩.୭୫ କୋଟି ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୧୪.୭୭ ଲକ୍ଷ ଲୋକଙ୍କ ଜୀବନ ଚାଲିଯାଇଛି। ଚୀନ୍ ଆରମ୍ଭରୁ ହିଁ ଭାଇରସ୍ ନେଇ ଗୋଟିଏ ପରେ ଗୋଟିଏ ମିଛ କହି ବିଶ୍ବକୁ ବିଭ୍ରାନ୍ତ କରିଛି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ କରୋନା ଭାଇରସ୍ ନେଇ ଚୀନ୍ର ସବୁଠାରୁ ବଡ଼ ମିଛ ସାମ୍ନାକୁ ଆସିଛି। ହୁୱେଇ ପ୍ରଦେଶ ସ୍ଥିତ ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ କାର୍ଯ୍ୟାଳୟରୁ ୧୧୭ ପୃଷ୍ଠାର ଏକ ଗୋପନୀୟ ରିପୋର୍ଟ ସିଏନ୍ଏନ୍ ହାସଲ କରିଛି। ଏହି ରିପୋର୍ଟରେ କରୋନା ଭାଇରସ୍ର ପ୍ରଥମ ମାମଲା ସାମ୍ନାକୁ ଆସିବାଠାରୁ ଆରମ୍ଭ କରି ପ୍ରଦେଶରେ ମହାମାରୀ ବ୍ୟାପକ ହେବା ପର୍ଯ୍ୟନ୍ତ ବିସ୍ତୃତ ତଥ୍ୟ ରହିଛି। ଚୀନ୍ ସରକାର କରୋନା ଭାଇରସ୍ ଆରମ୍ଭ ହେବା ପରଠାରୁ ହିଁ ସମଗ୍ର ବିଶ୍ବକୁ ଅନ୍ଧାରରେ ରଖିଥିଲେ ଏବଂ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇନଥିଲେ ବୋଲି ଏଥିରୁ ଜଣାପଡ଼ୁଛି।
ଏହା ବ୍ୟତୀତ ଚୀନ୍ରେ ଯେଉଁ ପରିମାଣରେ ଲୋକେ ସଂକ୍ରମିତ ହୋଇଥିଲେ ଏବଂ ପ୍ରାଣ ହରାଇଥିଲେ, ସେ ସଂକ୍ରାନ୍ତରେ ଚୀନ୍ ତଥ୍ୟ ଲୁଚାଇଛି। ସରକାରୀ ଭାବେ ପ୍ରସ୍ତୁତ ହୋଇଥିବା ରିପୋର୍ଟକୁ ଆଦୌ ପ୍ରଘଟ କରାଯାଇନାହିଁ ଏବଂ ସଂକ୍ରମଣ ସଂଖ୍ୟାକୁ ଅତି କମ୍ କରି ଦର୍ଶାଯାଇଛି। ଚଳିତ ବର୍ଷ ଫେବ୍ରୁଆରିରେ ଚୀନ୍ ୫୯୧୮ ସଂକ୍ରମଣ ମାମଲା ରହିଥିବା ଦର୍ଶାଇଥିବା ବେଳେ ପ୍ରକୃତରେ ଏହାର ୧୦ ଗୁଣରୁ ଅଧିକ ଲୋକ ସଂକ୍ରମିତ ଥିଲେ ଏବଂ ସ୍ଥିତି ଉଦ୍ବେଗଜନକ ଥିଲା। ଉହାନ ସହରରେ ପ୍ରଥମ ସଂକ୍ରମଣ ମାମଲା ୨୦୧୯ ନଭେମ୍ବରରେ ସାମ୍ନାକୁ ଆସିଥିଲା। ଜଣେ ୫୫ ବର୍ଷୀୟ ବ୍ୟକ୍ତି ଏଥିରେ ସଂକ୍ରମିତ ହୋଇଥିଲେ।